ବୌଦ୍ଧ: ଘରୋଇ କଳହକୁ କେନ୍ଦ୍ର କରି ବିଷ ପିଇଦେଲେ ଦୁଇ ଭଉଣୀ । ବଡ଼ ଭଉଣୀର ମୃତ୍ୟୁ ଘଟିଥିବା ବେଳେ ସାନ ଭଉଣୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି । ଘଟଣା ଘଟିଛି ହରଭଙ୍ଗା ମହାଲିକ୍ ପଡ଼ା ଗାଁରେ । ମୃତକ ହେଲେ ନଳିନୀ ସାହୁ । ସାନ ଭଉଣୀ ହେଲେ ସାଲିନୀ ମହାଳିକ ।
ଅଭିଯୋଗ ଅନୁସାରେ, ମହାଲିକପଡ଼ା ଗାଁରେ ମଣ୍ଟୁ ସାହୁ ଓ ତାଙ୍କ ପତ୍ନୀ ନଳିନୀ ସାହୁ ଓ ୨ ବର୍ଷ ପୁଅ ରହି ଆସୁଥିଲେ । ସାଲିନୀ କିଛି ଦିନ ହେବ ନିଜ ଭଉଣୀ ଘରକୁ ବୁଲିବାକୁ ଯାଇଥିଲେ । ଗତକାଲି ନଳିନୀ ଓ ତାଙ୍କ ସାନ ଭଉଣୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏହି ସମୟରେ ନଳୀନଙ୍କ ସ୍ୱାମୀ ଘରେ ନଥିଲେ । ଦୁଇ ଭଉଣୀଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା ।
ପରେ ନଳୀନଙ୍କ ସାନ ଭଉଣୀ ପ୍ରଥମେ ବିଷ ପିଇ ଦେଇଥିଲେ । ପରେ ବଡ଼ ଭଉଣୀ ନଳିନୀ ଉତ୍ତ୍ୟକ୍ତ ହୋଇ ବିଷ ପିଇ ଦେଇଥିଲେ । ପାଖ ପଡ଼ୋଶୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ନଳୀନଙ୍କ ମୃତ୍ୟୁ ଘଟିଥିବା ବେଳେ ସାଳିନୀଙ୍କ ଅବସ୍ଥା ଗୁରୁତର ରହିଛି । କାରଣ ପାଇଁ ଦୁଇ ଭଉଣୀଙ୍କ ମଧ୍ୟରେ ବଚସା ହୋଇଥିଲା, ତାହା ଜଣାପଡ଼ିନାହିଁ । ପୋଲିସ ନଳିନୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରାଉଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।