ମାଲକାନଗିରି,(ରାଜାରାମ ଷଡ଼ଙ୍ଗୀ): ମାଲ୍ୟବନ୍ତ ମହୋତ୍ସବ -୨୦୨୪ ଉଦଘାଟନୀ ଉତ୍ସବରେ ଯୋଗ ଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବରେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିବା ନିମନ୍ତେ ସମ୍ମତି ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଆଜି ଭୁବନେଶ୍ୱର ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଓ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଉପସ୍ଥିତ ଥିଲେ। ସେହିପରି ଉପ ମୁଖ୍ୟମନ୍ତ୍ରୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ମଧ୍ଯ ମହୋତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ଏଥି ନିମନ୍ତେ ବିଭାଗ ପକ୍ଷରୁ ବିଧିବଧ ସମ୍ମତି ନିମନ୍ତେ ଅପେକ୍ଷା କରାଯାଇଛି। ସୂଚନା ଥାଉ କି ମାଲ୍ୟବନ୍ତ ମହୋତ୍ସବ ଡ଼ିସେମ୍ବର ୧୩ ରୁ ୧୫ ଓ ପଲ୍ଲୀଶ୍ରୀ ମେଳା ଡ଼ିସେମ୍ବର ୧୩ ରୁ ୧୭ ପର୍ଯ୍ୟନ୍ତ ସ୍ଥାନୀୟ ଡିଏନକେ ପଡିଆ ଠାରେ ଆୟୋଜନ କରାଯିବ। ତତ୍ ସହିତ ସେହି ସମୟରେ ଆଦିବାସୀ ପଡିଆ ଠାରେ କୃଷି ମେଳା ମଧ୍ଯ ଆୟୋଜନ କରାଯିବ।
ଆଜି କୋରକୁଣ୍ଡାସ୍ଥିତ ଜଳେଶ୍ବର ଶୈବ ପୀଠରୁ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି । ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇଙ୍କ ସମେତ ସମସ୍ତ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ମାଲ୍ୟବନ୍ତ ମହୋତ୍ସବ ପୋଷ୍ଟର ଓ ପ୍ରୋମୋ ସଙ୍ଗୀତକୁ ମଧ୍ଯ ଉନ୍ମୋଚନ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋରୁକୋଣ୍ଡା ସୁଜିତ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଜଳେଶ୍ବର ଶୈବ ପୀଠ ଠାରେ କଳସ ପୂଜନ ଓ କଳସ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଶୋଭାଯାତ୍ରାରେ ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ଶୈବ ପୀଠରୁ କଳସ ଶୋଭାଯାତ୍ରାରେ ନାଚଗୀତ ମାଧ୍ୟମରେ କୋରୁକୁଣ୍ଡା ସ୍ଥିତ ମାଉଲୀ ମନ୍ଦିରକୁ ନିଆଯାଇଥିଲା । ସେହିପରି କୋରୁକୋଣ୍ଡା ଠାରେ ଆଜି ବ୍ଲକ ସ୍ତରୀୟ ମହୋତ୍ସବକୁ ଉଦ୍ଘାଟନ କରାଯାଇଛି । ସେଠାରୁ ଏକ ରଥରେ ସମସ୍ତ କଳସକୁ ସଦର ମହକୁମା ସ୍ଥିତ ଭୈରବ ମନ୍ଦିରକୁ ଅଣାଯାଇଥିଲା। କଳସକୁ ପୂଜାର୍ଚ୍ଚନା କରି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ କଳସ ଗୁଡ଼ିକୁ ରଖାଯାଇଛି। ଏଠାରେ ମଧ୍ଯ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ ଓ ଶଶାଙ୍କ ମିଶ୍ରଙ୍କ ସମେତ ମହୋତ୍ସବ କମିଟିର ସଦସ୍ୟ ଉପସ୍ଥିତ ଥିଲେ।