ସେତୁ ପକ୍ଷରୁ ୨୫ ତମ ପ୍ରଫେସର ଘନଶ୍ୟାମ ଦାଶ ସ୍ମାରକୀ ବକ୍ତୃତା

ସମ୍ବଲପୁର:ଗାନ୍ଧୀ ଏକ ସ୍ଥିତାବସ୍ଥା,ଗାନ୍ଧିଙ୍କୁ ବିଶ୍ଲେଷଣ କରାଯାଇପାରିବ ନାହିଁ ବରଂ ଗାନ୍ଧୀଙ୍କୁ ଜୀଇଁ ହେବ ବୋଲି ମୁଖ୍ୟବକ୍ତା ରାହୁଲ ଦେବ କହିଛନ୍ତି।ସମ୍ବଲପୁର ସହରର ବୌଦ୍ଧିକ ଅନୁଷ୍ଠାନ “ସେତୁ” ଆନୁକୁଲ୍ୟରେ , ସେତୁର ସଭାପତି ଡ଼ଃ ମୀନକେତନ ପାଠୀଙ୍କ ସଭାପତିତ୍ବରେ ଆୟୋଜିତ ପ୍ରଫେସର ଘନଶ୍ୟାମ ଦାଶ ସ୍ମାରକୀ ବକ୍ତୃତାମାଳାର ୨୫ତମ ସଂସ୍କରଣରେ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ଶ୍ରୀ ରାହୁଲ ଦେବ ନିଜର ବକ୍ତବ୍ୟରେ କହିଥିଲେ ଯେ, ଗାନ୍ଧୀ ଦର୍ଶନ କେବଳ ଅଧ୍ୟୟନ ନୁହେଁ ଏକ ଅନୁଶୀଳନ ଅଟେ। ତାଙ୍କର ବିଷୟରେ ଅଧ୍ୟୟନ କରିବା ଦ୍ୱାରା ତାଙ୍କ ଆଦର୍ଶରେ ପ୍ରଭାବିତ ହେବାକୁ ପଡ଼ିଥାଏ। କେବଳ ଭାରତୀୟ ଚେତନାରେ ନୁହେଁ ବୈଶ୍ବିକ ଭାବନାର ପ୍ରତୀକ ଅଟନ୍ତି ମହାତ୍ମା ଗାନ୍ଧୀ। ଗାନ୍ଧୀଙ୍କ ମତରେ ନିଜର ମାତୃଭାଷା ଓ ରାଷ୍ଟ୍ରଭାଷାର ସମ୍ମାନ ରହିବା ଉଚିତ।ନ ହେଲେ ଆଗାମୀ ଦିନରେ ମାତୃଭାଷାର ପରିସ୍ଥିତି ଅତି ଦୟନୀୟ ହୋଇଯିବ।ସେ ଜଣେ ସାଧାରଣ ବ୍ଯକ୍ତିତ୍ବ ନ ଥିଲେ,ସେ ଥିଲେ ଜଣେ ଯୁଗପୁରୁଷ।ସେ ସର୍ବଦା ବୈଶ୍ବିକ ସମ୍ମାନର ଅଧିକାରୀ।
ସ୍ମାରକୀ ବକ୍ତୃତାର ପ୍ରାରମ୍ଭରେ ଉପସ୍ଥିତ ଅତିଥିମାନେ ଇଷ୍ଟଦେବୀ ମାଁ ସମଲେଶ୍ବରୀ ଓ ପ୍ରଫେସର ଘନଶ୍ୟାମ ଦାଶଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ କରିଥିଲେ। ଏହାପରେ ସଭାପତି ସ୍ବାଗତ ଭାଷଣ ସହ ସେତୁ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ। ସଂପାଦକ ସୁକାନ୍ତ କୁମାର କର ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମ୍ମାନୀତ ଅତିଥିଭାବରେ ଯୋଗଦାନ କରି ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଏନ୍ ନାଗରାଜୁ କାର୍ଯ୍ୟକ୍ରମ ପ୍ରତି ନିଜର ଶୁଭେଚ୍ଛା ଜ୍ଞାପନ କରିଥିଲେ। ଏହି ଅବସରରେ ସେତୁର ଉପସଭାପତି ପ୍ରଫେସର ନୀଳେନ୍ଦ୍ରୀ ପଣ୍ଡା ମଞ୍ଚାସୀନ ଥିଲେ। ପରିଶେଷରେ କାର୍ଯ୍ୟକାରୀ ସମିତିର ବରିଷ୍ଠ ସଭ୍ୟ ହରି ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ସେତୁର କାର୍ଯ୍ୟକାରୀ ସମିତିର ସଦସ୍ୟ ବିଦ୍ଯାର୍ଣ୍ଣ ପଣ୍ଡା, କୋଷାଧ୍ୟକ୍ଷ ରବି ନାରାୟଣ ପ୍ରଧାନ ଡଃ ସ୍ବୟଂ ପ୍ରକାଶ ପଣ୍ଡା ତଥା ସୁଶ୍ରୀ ଅନନ୍ୟା ବେହେରା, ସୁବ୍ରତ ପଟ୍ଟନାୟକ ପ୍ରମୁଖ।