ବିଶ୍ୱ କାର୍ଯ୍ୟାଳୟରେ ଇଡି-ସିବିଆଇ ଚଢ଼ାଉ ଓ ତଥ୍ଯ ଅନ୍ବେଷଣ


ସମ୍ବଲପୁର:ଏଠାକାର ଦାନୀପାଲି ସ୍ଥିତ ଭାରତ ସମନ୍ବିତ ସାମାଜିକ କଲ୍ୟାଣ ସଂଗଠନ (ବିସ୍ବା) କାର୍ଯ୍ୟାଳୟରେ ଆଜି ସକାଳୁ ଇଡି ଓ ସିବିଆଇ ପକ୍ଷରୁ ମିଳିତ ଚଢାଉ ସହିତ ଖାତା ପତ୍ରର ତନଖି ଜାଞ୍ଚ କରାଯାଉଛି ।‌ ସୁରକ୍ଷା ଦୃଷ୍ଟିରୁ ସେଠାରେ ସଶସ୍ତ୍ର ପୁଲିସ ବଳ ମୁତୟନ ହୋଇଥିବାରୁ ବାହାରୁ କେହି ପଶିପାରୁ ନାହାନ୍ତି ଓ ଭିତରୁ କେହି ବାହାରକୁ ଆସି ପାରୁନାହାନ୍ତି।‌ ଏକ ଶୀର୍ଷସ୍ଥ ସାମାଜିକ ଓ ମାଇକ୍ରୋ ଫାଇନାନ୍ସ ସଂଗଠନ ରୂପେ ଏକଦା ସମଗ୍ର ଓଡ଼ିଶାରେ ଓ ରାଜ୍ୟ ବାହାରେ ସୁନାମ ଅର୍ଜନ କରିଥିବା ସଂଗଠନର ଏହି ମୁଖ୍ୟ କାର୍ଯ୍ୟାଳୟ ବିଗତ କିଛି ବର୍ଷରୁ ବନ୍ଦ ରହିଛି । ସକ୍ରିୟ ରହିଥିବା ସମୟରେ ଏହା ସହସ୍ରାଧିକ ପରିବାରକୁ ପ୍ରତ୍ୟକ୍ଷ ନିଯୁକ୍ତି ଓ ଲକ୍ଷାଧିକ ପରିବାରକୁ ପରୋକ୍ଷ ରୋଜଗାର ଯୋଗାଇଆସିଛି। ଏହି କିଛି ମାସ ପୂର୍ବେ ଏହାର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ କ୍ଷିରୋଦ ଚନ୍ଦ୍ର ମଲ୍ଲିକଙ୍କ ଅସାମୟିକ ମୃତ୍ୟୁ ପରେ ଏହି ସୁଉଚ୍ଚ ଭବନ ଶ୍ରୀହୀନ ହୋଇପଡିରହିଛି ।‌ ତାଙ୍କର ଏକମାତ୍ର ସୁପୁତ୍ର ଦେବବ୍ରତ ସେଠାରେ ସପରିବାର ରହୁଛନ୍ତି । ଆଜିକାର ଇଡି ଓ ସିବିଆଇ କାର୍ଯ୍ୟାନୁଷ୍ଠାନ ବିଷୟରେ ଅଧିକୃତ ରୂପେ କିଛି ସୂଚନା ଉପଲବ୍ଧ ହେଉନାହିଁ ଓ କିଛି ବିଶ୍ବସ୍ତ ସୂତ୍ର ଅନୁସାରେ ଭୁବନେଶ୍ଵରରେ ତାଙ୍କ ଭଗିନୀ ପୂର୍ବତନ ମନ୍ତ୍ରୀ ଓ ବିଜୁ ଜନତା ଦଳର ନାରୀନେତ୍ରୀ ପ୍ରମିଳା ମଲ୍ଲିକଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ଇଡି-ସିବିଆଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସମ୍ପର୍କୀତ ଏଠାରେ ଖାନତଲାସ ଜାରି ରହିଛି । ସ୍ବର୍ଗତ ମଲ୍ଲିକଙ୍କ ବିରୁଦ୍ଧରେ ତାଙ୍କ ଜୀବିତାବସ୍ଥା ସମୟରୁ ହିଁ ସରକାରୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଥିଲା ଓ ତାଙ୍କର ଏହି ସଂଗଠନକୂ କଳା ତାଲିକାଭୁକ୍ତ କରାଯିବା ଫଳରେ ଏହା ବନ୍ଦ ହୋଇଯାଇଥିଲା । ମାଇକ୍ରୋ ଫାଇନାନ୍ସ କାମ ପାଇଁ ବିଭିନ୍ନ ବ୍ୟାଙ୍କରୁ ଶତାଧିକ କୋଟି ଟଙ୍କା ଋଣ ଆଣି ସେ ସଂଗଠନ ପରିଚାଳନା କରୁଥିଲେ । ସେତେବେଳେ ତାଙ୍କ ଅଧୀନରେ ସହସ୍ରାଧିକ ସ୍ବୟଂସହାୟିକା ଗୋଷ୍ଠୀ ସକ୍ରିୟ ରହି ତାଙ୍କଠାରୁ ଋଣ ନେଉଥିଲେ ଓ ଏସବୁର ପରିଚାଳନାରେ କିଛି ବିସଙ୍ଗତି ବିଷୟରେ ଅଭିଯୋଗ ହୋଇଥିଲା ଓ ଏହି ମାମଲାର ଗହନ ତଦନ୍ତ ଚାଲିଥିଲା ।‌ ଇତିମଧ୍ୟରେ ଏକ ଅପରାଧିକ ମାମଲାରେ ଛନ୍ଦି ହୋଇଥିବାରୁ ୨୦୧୨ ରେ ଶ୍ରୀ ମଲ୍ଲିକଙ୍କୁ ଗିରଫ କରାଯାଇଥିଲା ଓ ଓଡ଼ିଶା ହାଇକୋର୍ଟର ଏକ ନିର୍ଦ୍ଦେଶ ବଳରେ ତାଙ୍କୁ ଜାମିନ ମିଳିଥିଲା । ତା’ପର ଠାରୁ ସେ ନିଜ ଘରେ ଏକାନ୍ତରେ ରହୁଥିଲେ ଏଠାରେ ହିଁ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।‌ ହଠାତ ତାଙ୍କ କାର୍ଯ୍ୟାଳୟ ଉପରେ ଆଜିକାର କାର୍ଯ୍ୟାନୁଷ୍ଠାନ ଫଳରେ ତାଙ୍କ ନାଁ ପୁଣି ଥରେ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚାକୁ ଆସିଛି ।