ବିଦ୍ୟୁତ୍ ଚୋରି ଅଭିଯୋଗରେ ସାଂସଦଙ୍କ ଘରେ ଚଢ଼ାଉ


ସମ୍ଭଲ: ଉତ୍ତରପ୍ରଦେଶ ସମ୍ଭଲର ସମାଜବାଦୀ ପାର୍ଟି ସାଂଦସଙ୍କ ଘରେ ପଶିଲା ପୋଲିସ । ସାଂସଦ ଜିୟା ଉର ରେହମାନଙ୍କ ନାଁରେ ହୋଇଛି ବିଦ୍ୟୁତ ମିଟର ଟାମ୍ପରିଂ ଅଭିଯୋଗ । ସକାଳୁ ପୋଲିସ ଫୋର୍ସ ସହ ବିଦ୍ୟୁତ ବିଭାଗ ଟିମ୍ ସାଂସଦଙ୍କ ଘରେ ଖୋଳତାଡ଼ ଆରମ୍ଭ କରିଛନ୍ତି ।

ନୂଆ କରି ଲାଗିଥିବା ସ୍ମାର୍ଟ ମିଟର ରିଡିଂକୁ ଯାଞ୍ଚ କରାଯାଇଛି । ସାଂସଦଙ୍କ ଘରେ ଲାଗିଥିବା ଦୁଇଟି ମିଟରରେ ଟାମ୍ପରିଂର ପ୍ରମାଣ ମିଳିଛି । ତେବେ ଯାଞ୍ଚ ପାଇଁ ଯାଇଥିବା ପୋଲିସ ଓ ବିଦ୍ୟୁତ୍‌ ବିଭାଗ ଟିମ୍‌କୁ ସାଂସଦ ଧମକାଇଥିବା ଅଭିଯୋଗ ହୋଇଛି । ଏହାପରେ ସାଂସଦଙ୍କ ନାଁରେ ଧାରା ୧୩୫ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ପୂର୍ବରୁ ବିଦ୍ୟୁତ ବିଭାଗ ସାଂସଦଙ୍କ ଘରେ ଲାଗିଥିବା ପୁରୁଣା ମିଟରକୁ ହଟାଇ ତାକୁ ସିଲ୍ କରିଥିଲେ । ଏହାପରେ ଯାଞ୍ଚ ପାଇଁ ଲ୍ୟାବକୁ ପଠାଇଥିଲେ । ଯାଞ୍ଚରୁ ଜଣାପଡ଼ିଥିଲା ସାଂସଦଙ୍କ ଘରର ବିଜୁଳି ବିଲରେ ବର୍ଷ ବର୍ଷର ରିଡିଂ ଜିରୋ ଥିଲା ।

ଏହାପରେ ତାଙ୍କ ଘରର ବିଦ୍ୟୁତ୍ ମିଟରକୁ ଦୁଇ ଦିନ ତଳେ ବଦଳାଇ ନୂଆ ଲଗାଯାଇଥିଲା । କେବଳ ସେତିକି ନୁହେଁ ସାଂସଦଙ୍କ ଘରେ କେତେ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରାଯାଉଛି ତାହା ଜାଣିବା ପାଇଁ ବିଦ୍ୟୁତ୍ ବିଭାଗ ଟିମ୍ ସାଂସଦଙ୍କ ଘରେ ବ୍ୟବହୃତ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକୁ ଯାଞ୍ଚ କରିଥିଲେ ।

ସୂଚନାଯୋଗ୍ୟ, ସମ୍ଭଲରେ ମସଜିଦ ଓ ମଦ୍ରାସା ସମେତ ଅନେକ ଘରେ ବିଦ୍ୟୁତ୍ ଚୋରି ହେଉଥିଲା । ଏଠାରେ ହୋଇଥିବା ହିଂସା ପରେ ପ୍ରଶାସନ ବିଦ୍ୟୁତ ଚୋରି ବିରୋଧରେ ଅଭିଯାନକୁ ଜୋରଦାର କରିଛି । ଗତ ୩ ମାସ ମଧ୍ୟରେ ୧୨୫୦ ଏଫଆଇଆର ରୁଜୁ ହୋଇଛି । ଏହାସହ ୫ କୋଟି ୨୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି ।