ଓଡ଼ିଶା ଆସିବାକୁ ବୋଧେ ନାରାଜ ବାଘୁଣୀ ଜିନ୍ନତ: ଛାଡ଼ଖଣ୍ଡରୁ ପଳାଇଲା ପଶ୍ଚିମବଙ୍ଗ


ବାରିପଦା: ଓଡ଼ିଶାର ଜଳବାୟ ବାଘଙ୍କ ପାଇଁ ବେଶ ଅନୁକୂଳ । ବିଶେଷ କରି ଶିମିଳିପାଳ ବାଘଙ୍କ ପାଇଁ ବାଘଙ୍କ ପାଇଁ ସ୍ବର୍ଗ କୁହାଯାଏ । ଏଥିପାଇଁ ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଇଁ ମହାରାଷ୍ଟ୍ରରୁ ଦୁଇଟି ବାଘୁଣୀ ଅଣାଯାଇଛି । ହେଲେ ଏମିତି ଲାଗୁଛି ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ ଓଡ଼ିଶାରେ ରହିବାକୁ ପସନ୍ଦ କରୁନାହିଁ ।

ଏନକ୍ଲୋଜରରୁ ଛଡ଼ାଯିବାର କିଛି ଦିନ ପରେ ଜିନ୍ନତ ଝାଡ଼ଖଣ୍ଡ ପଳାଇଥିଲା । ଲାଗୁଥିଲା, କିଛିଦିନ ପରେ ସେ ପୁଣି ଫେରି ଆସିବ । ଏହା ସତ ବି ହେଲା । ଜିନ୍ନତ ଫେରିଥିଲା । ହେଲେ ଓଡ଼ିଶାକୁ ଆସିବା ବଦଳରେ ସେ ପଶ୍ଚିମବଙ୍ଗକୁ ଚାଲି ଯାଇଛି । ଗତକାଲି ରାତିରେ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜ ଛାଡ଼ି ସେ ପଶ୍ଚିମବଙ୍ଗର ବେଲପାହାଡି ଜଙ୍ଗଲକୁ ଚାଲି ଯାଇଛି । ଜିନ୍ନତ ପଶ୍ଚିମବଙ୍ଗ ଚାଲିଯାଇଥିବା ନେଇ ସୂଚନା ଦେଇଛନ୍ତି ପୂର୍ବତନ ଅନରାରୀ ୱାଇଲ୍‌ଡ ଲାଇଫ ୱାଡେନ ଭାନୁମିତ୍ର ଆଚାର୍ଯ୍ୟ ।

ଜିନ୍ନତକୁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଥିଲା । ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା । ପରେ ତାକୁ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା । ତେବେ ଗତ ୧୦ ତାରିଖରେ ଜିନ୍ନତ ଶିମିଳିପାଳ ଛାଡ଼ ଝାଡ଼ଖଣ୍ଡ ପଳାଇଥିଲା । ଜିନ୍ନତ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜର ଚାକୁଳିଆ ଅଞ୍ଚଳରେ ଥିଲା । ଗତକାଲି ରାତିରେ ସେ ସେଠାରୁ ପଶ୍ଚିମବଙ୍ଗର ବେଲପାହାଡ଼ି ଜଙ୍ଗଲକୁ ପଳାଇଛି ।

ଜିନ୍ନତକୁ ଜିପିଏସ ଟ୍ରାକିଂରେ ରଖାଯାଇଥିବା ବେଳେ ସେ ଝାଡ଼ଖଣ୍ଡରେ ଥିବା ସମୟରେ ଏକ ସ୍ୱତନ୍ତ୍ର ଟିମ ତା’ର ଗତିବିଧି ଉପରେ ନଜର ରଖିଥିଲେ । ସେ ଝାଡ଼ଖଣ୍ଡରେ ଥିବା ସମୟରେ ଶିକାର କରି ଖାଇଥିବା ଓ ତା’ର ସ୍ୱାସ୍ଥ୍ୟ ଭଲ ଥିବା ନେଇ ବନ ବିଭାଗ ପକ୍ଷରୁ କୁହାଯାଇଥିଲା । ତେବେ ତାକୁ ସେଠାରୁ ଫେରାଇ ଆଣିବାର ସମସ୍ତ ଯୋଜନା ଫେଲ୍ ମାରିଛି । 

ଜିନ୍ନତ ପଶ୍ଚିମବଙ୍ଗ ପଳାଇଥିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷ କୌଣସି ସଠିକ୍ ସୂଚନା ଦେଉ ନଥିବା ବେଳେ ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି ଯେ ଜିନ୍ନତ ପଶ୍ଚିମବଙ୍ଗକୁ ପଳାଇଛି । କୁହାଯାଉଛି, ପଶ୍ଚିମବଙ୍ଗ ବେଲପାହାଡ଼ିରେ ବାଘ ପାଇଁ ଭରପୂର ଖାଦ୍ୟ ରହିଥିବା ବେଳେ ହୁଏତ ଜିନ୍ନତ ସେଠାରେ ବେଶ୍ କିଛି ଦିନ ରହିଯାଇପାରେ ।