କଟକ: ଦୁଇ ଶ୍ରମିକଙ୍କୁ ଅପହରଣ କଲେ । ବନ୍ଧକ ରଖି ଟଙ୍କା ମାଗିଲେ । ହେଲେ ଅପହରଣ ପଡ଼ିଲା ମହଙ୍ଗା । ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା କଟକ ମଙ୍ଗଳାବାଗ ଥାନା ପୋଲିସ । ଝାଡ଼ଖଣ୍ଡର ଦୁଇ ଜଣ ଶ୍ରମିକ ଏସସିବି ମେଡିକାଲ ସଂପ୍ରସାରଣ କାମରେ ନିୟୋଜିତ ଏକ ଠିକା ସଂସ୍ଥାରେ କାମ କରୁଥିଲେ । ଗତ ୫ ତାରିଖ ଦିନ ହାଡିଆପଠାରେ କିଛି ନିଶାସକ୍ତ ଯୁବକଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା । ଏହାପରେ ଯୁବକମାନେ ଦୁଇ ଶ୍ରମିକଙ୍କୁ ଉଠାଇ ନେଇ ଯୋବ୍ରା ଅଞ୍ଚଳର ଏକ ପରିତ୍ୟକ୍ତ ଘରେ ରଖିଥିଲେ ।
ସେମାନଙ୍କ ପରିବାର ଲୋକଙ୍କୁ ଏକ ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନ ଦେଲେ ହତ୍ୟା କରିବାକୁ ଧମକ ଦେଇଥିଲେ ଦୁର୍ବୃତ୍ତ । ଏ ନେଇ ଶ୍ରମିକଙ୍କ ପରିବାର ଲୋକ ସେମାନଙ୍କ ସହ ରହୁଥିବା କଟକର ଆଉ ଜଣେ ବ୍ୟକ୍ତିଙ୍କୁ କହିଥିଲେ । ମଙ୍ଗଳବାଗ ଥାନାରେ ଅଭିଯୋଗ ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ପୋଲିସ୍ ଯୋବ୍ରା ଅଞ୍ଚଳର ବିନୋଦ ସାମଲ ଏବଂ ମଙ୍ଗଳାବାଗ ଘାଷିଆ ସାହିର ଦେବୁନ ସାମଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏହାସହ ଅଭିଯୁକ୍ତଙ୍କୁ ଉଦ୍ଧାର କରିଛି । ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି, ତାହାର ଖୋଳତାଡ଼ ଚଲାଇଛି ପୋଲିସ ।