Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକ ସେବକ ମଣ୍ଡଳ ଓ ସମାଜ ରିଲିଫ କମିଟି ପକ୍ଷରୁ ଲଖନପୁରରେ କମ୍ବଳ ବିତରଣ,ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ

ସମ୍ବଲପୁର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବଞ୍ଜାରୀ ପଞ୍ଚାୟତ ଅନ୍ତର୍ଗତ ଗ୍ରିଣ୍ଡୋଲା ରିଶବାହାଲିପଡ଼ା ଓ ଘଞ୍ଚ ଜଙ୍ଗଲରେ ଅବସ୍ଥିତ ତେତଲିଆବାହାଲ ଭଳି ଦୁଇ ଗ୍ରାମର ୬୦ ଟି ପରିବାରର ଗରିବ ଅଧିବାସୀ ମାନଙ୍କୁ ଆଜି ବୁଧବାର ଦିନ ଲୋକ ସେବକ ମଣ୍ଡଳ ତଥା ସମାଜ ରିଲିଫ କମିଟି ପକ୍ଷରୁ କମ୍ବଳ ବିତରଣ କରାଯାଇଛି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନୀତି, ଆଦର୍ଶ, ସମାଜସେବା, ଦେଶପ୍ରେମକୁ ପାଥେୟ କରି ସମାଜ ଖବରକାଗଜ ସହିତ ଲୋକ ସେବକ ମଣ୍ଡଳ ଓ ସମାଜ ରିଲିଫ କାର୍ଯ୍ୟକ୍ରମ ବର୍ଷବ୍ୟାପୀ ପରିଚାଳିତ ହୋଇଆସୁଅଛି । ଗରିବ ଲୋକଙ୍କୁ ନିରନ୍ତର ଭାବେ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ରିଶବାହାଲିପଡ଼ା ଓ ତେତଲିଆବାହାଲ ଗ୍ରାମରେ ୬୦ଟି ପରିବାରର ଗରିବ ଅସହାୟ ଅସମର୍ଥ ବୃଦ୍ଧବୃଦ୍ଧା ଭିନ୍ନକ୍ଷମ ଦିବ୍ୟାଙ୍ଗ ମାନଙ୍କୁ କମ୍ବଳ ବିତରଣ କରାଯାଇଥିଲା । ଏଭଳି ଜନକଲ୍ୟାଣକାରୀ କାର୍ଯ୍ୟ ପାଇଁ ଉଭୟ ଗ୍ରାମର ଗ୍ରାମବାସୀ ମାନେ ଲୋକ ସେବକ ମଣ୍ଡଳ ତଥା ସମାଜ ରିଲିଫ କମିଟିକୁ ଅନେକ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଓଡ଼ିଶାର ଅନ୍ୟତମ ସୁପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ବିକ୍ରମଖୋଲକୁ ଯିବା ବାଟରେ ଘଞ୍ଚ ଜଙ୍ଗଲ ମଝିରେ ତେତଲିଆବାହାଲ ଗ୍ରାମ ଅବସ୍ଥିତ । ଏହି ଗାଁରେ ପ୍ରାୟ ୨୪ ରୁ ଅଧିକ ହୀରାକୁଦ ବିସ୍ଥାପିତ ହରିଜନ ସମ୍ପ୍ରଦାୟର ପରିବାର ଅତ୍ୟନ୍ତ ଦୁଃଖ କଷ୍ଟରେ ଜୀବନଯାପନ କରୁଛନ୍ତି । ଏହି ଗ୍ରାମବାସୀ ମାନେ ସରକାରୀ ଯୋଜନା ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ପାଇଁ ପକ୍କା ରାସ୍ତା ପାଇଁ, ଭତ୍ତା, ହୀରାକୁଦ ବିସ୍ଥାପିତ ବାବଦକୁ ୧୦ ଡିସିମିଲ ଲେଖାଏଁ ଜମି ଆଦି ସମସ୍ତ ସୁବିଧାରୁ ବଞ୍ଚିତ ହେବା ସହ ଚିର ଅବହେଳାର ଶିକାର ହୋଇଆସୁଛନ୍ତି । ଏପରିକି ଏହି ଗାଁକୁ ନିକଟ ଅତୀତରେ ବିଦ୍ୟୁତ୍ ସଂଯୋଗ ମଧ୍ୟ ହୋଇଥିଲା । ହେଲେ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଦ୍ୟୁତ୍ ତାରକୁ କେତେକ ଦୁର୍ବୃତ୍ତ ଚୋରି କରି ନେଇ ଯାଇଥିବା ବେଳେ ଏହାକୁ ପୁନଃ ସୁଯୋଗ କରାଯାଇଛି । ଏହି ଗାଁକୁ ଉପଯୁକ୍ତ ଗମନାଗମନ ପାଇଁ ଏକ ପକ୍କା ଅବା ପିଚୁ ରାସ୍ତା ନିର୍ମାଣ, ଗାଁରେ ଥିବା ପୋଖରୀର ପୁନରୁଦ୍ଧାର ସହ କଂକ୍ରିଟ ପାହାଚ ଘାଟ ନିର୍ମାଣ, ଗୋଷ୍ଠୀ କେନ୍ଦ୍ର, ୧୦ ଡିସିମିଲ ଲେଖାଏଁ ଜମି ଯୋଗାଇବା, ଗତ ବର୍ଷା ଋତୁରେ ଭାଙ୍ଗି ଯାଇଥିବା ରାଏମତି ରୋହିଦାସଙ୍କ ଘରର କ୍ଷୟକ୍ଷତି ଆକଳନ କରି ଆବଶ୍ୟକ କ୍ଷତିପୂରଣ ଯୋଗାଇବା, ବଞ୍ଚିତ ଥିବା ପରିବାରଙ୍କୁ ଆବାସ, ପୁଷ୍ପଲତା ରୋହିଦାସ ଓ ଅନ୍ୟମାନଙ୍କୁ ଭତ୍ତା ସୁବିଧା ଯୋଗାଇବା, ଶିଶୁମାନଙ୍କ ବିକାଶ ପାଇଁ ଗାଁରେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବାକୁ ଗ୍ରାମବାସୀ ଦାବି କରିଥିଲେ । ସେହିପରି ରିଶବାହାଲିପଡ଼ାକୁ ଗମନାଗମନ ପାଇଁ ଏକ ପକ୍କା ରାସ୍ତା ଅବା ପିଚୁ ନିର୍ମାଣ, ଘରକୁ ଘର ପାନୀୟ ଜଳ ଯୋଗାଣ, ଗାଁ ନିକଟରେ ଏକ ପୋଖରୀ ଖନନ, ଗୋଷ୍ଠୀ କେନ୍ଦ୍ର, ବଞ୍ଚିତ ଥିବା ପରିବାରଙ୍କୁ ଆବାସ, ମୁନକୀ ଖଡ଼ିଆ, ଗେଥଲ୍ କିଶାନ ଓ ଅନ୍ୟମାନଙ୍କୁ ଭତ୍ତା ସୁବିଧା ପାଇଁ ଗ୍ରାମବାସୀ ମାନେ ଦାବି କରିଥିଲେ । ଲୋକ ସେବକ ମଣ୍ଡଳ ତଥା ସମାଜ ରିଲିଫ କମିଟିର ପ୍ରତିନିଧିଗଣ ସେହି ଗ୍ରାମବାସୀଙ୍କ ବାସ୍ତବିକ ସ୍ଥିତି ଅନୁଧ୍ୟାନ କରିବା ସହ ଖୁବ ଶୀଘ୍ର ସରକାରଙ୍କ ସମେତ ସ୍ଥାନୀୟ ବିଧାୟକ ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଏହାର ସମାଧାନର ବାଟ ବାହାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଲୋକ ସେବକ ମଣ୍ଡଳ ତଥା ସମାଜ ରିଲିଫ କମିଟିର ପ୍ରତିନିଧି ଦଳରେ ସମ୍ବଲପୁର ସ୍ଥାନୀୟ ଉପଦେଷ୍ଟା ମଣ୍ଡଳୀର ସମ୍ପାଦକ ଶ୍ରୀଯୁକ୍ତ ରଘୁନାଥ ମିଶ୍ର, ସମାଜସେବୀ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର, ରିଲିଫ ସଦସ୍ୟ ଲୋକନାଥ ରାଉତ, ସମାଜ ଲଖନପୁର ପ୍ରତିନିଧି ସରୋଜ କୁମାର ମିର୍ଦ୍ଧା, ସ୍ବେଚ୍ଛାସେବୀ ମନୋଜ ମେହେର, ଲଳିତା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।