ଆଜି ସରିବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା


ବରଗଡ଼: ଆଜି ହେବ ମହାରାଜ କଂସଙ୍କ ନିଧନ । ଭଣଜା କୃଷ୍ଣଙ୍କ ହାତରେ ଯିବ ପ୍ରବଳ ପ୍ରତାପି କଂସଙ୍କ ଜୀବନ । ଆଉ ଏହାସହ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ହେବ ଉଦଯାପନୀ । ଆଜି ଅନ୍ତିମ ପର୍ଯ୍ୟାୟରେ କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକଙ୍କ ମଥୁରା ଭ୍ରମଣ, କୁବଳୟା ହସ୍ତିବଧ, ଚାଣୁର ଓ ମୁଷ୍ଟିକ ଆଦି ଅଷ୍ଟମଲ୍ଲ ବଧ, ଶିବଧନୁ ଭଙ୍ଗ, କଂସ ବଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ, ମଥୁରା କାରାଗାରରୁ ଦେବକୀ-ବସୁଦେବଙ୍କୁ ମୁକ୍ତି ଆଦି ଦୃଶ୍ୟ ଅଭିନୀତ ହେବ ।

ସେପଟେ ଗତକାଲି ଧନୁଯାତ୍ରାର ଦଶମ ଦିନରେ ଅକୃରଙ୍କ ସହିତ ମଥୁରାରେ ପହଞ୍ଚିଛନ୍ତି କୃଷ୍ଣ ବଳରାମ । ପ୍ରଭୁଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହ ଆନନ୍ଦ ଉହ୍ଲାସର ସହିତ ଖୁସିରେ ନାଚି ଉଠିଛନ୍ତି ମଥୁରାବାସୀ । ଆଦିମାତା ମନ୍ଦିର ସ୍ଥିତ ମଧୁବନ ତୋଟାରୁ ବାଙ୍କବିହାରୀ ମଥୁରା ଭ୍ରମଣ କରିଥିଲେ । ପ୍ରଭୁଙ୍କ ପଛରେ ମଥୁରାର ଆବାଳ ବୃଦ୍ଧ ବନିତା ବାହାରି ନଗର ଭ୍ରମଣ କରିଥିଲେ । ବାଟରେ ନୈବେଦ୍ୟ, ଫୁଲ, ଦୀପ, ଚନ୍ଦନରେ ପୂଜା କରି ମଥୁରାବାସୀ କୃଷ୍ଣ, ବଳରାମଙ୍କୁ ସ୍ୱାଗତ କରିଥିଲେ । ଏହାସହ କଂସର ଆତଙ୍କରୁ ରକ୍ଷା କରିବାକୁ ନିବେଦନ କରିଥିଲେ ।

ଖଜୁରଟିକ୍ରାରେ ଥିବା ରାଜକୀୟ ବଗିଚାରେ ପ୍ରଭୁଙ୍କ ସହ ସୁଦାମା ମାଳିଙ୍କ ଭେଟ ହୋଇଥିଲା । ଶ୍ୟାମାକାଳୀ ମନ୍ଦିରରେ ପ୍ରଭୁ ହାତରେ ସ୍ୱର୍ଶରେ ସୁନ୍ଦରୀ ନାରୀରେ ପରିଣତ ହୋଇଥିଲେ କୁବୁଜା । ଧନୁଯାତ୍ରାର ଦଶମ ଦିନରେ ମହାରାଜା କଂସ ନଗର ଭ୍ରମଣ କରିବା ସହ ରଙ୍ଗ ମହଲରେ ନାଚ ଗୀତର ମଜା ଉଠାଇଥିଲେ । ମହାରାଜା କଂସ ରାତ୍ରୀ ନିଦ୍ରାରେ ଥିବା ବେଳେ ସ୍ୱପ୍ନରେ କୃଷ୍ଣଙ୍କୁ ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ।