Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୀମ ଭୋଇ ଭଜନ ପ୍ରତିଯୋଗିତା ଅନୁଷ୍ଠିତ

ସମ୍ବଲପୁର: ରେଢ଼ାଖୋଲ ସନ୍ଥକବି ଭୀମ ଭୋଇ ଏକାଡେମୀ ପକ୍ଷରୁ ମଙ୍ଗଳବାର ଭୀମ ଭୋଇ ଭଜନ ପ୍ରତିଯୋଗିତା ସ୍ଥାନୀୟ ରାଣୀ ଅନ୍ନପୂର୍ଣ୍ଣା ବାଳିକା ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ବ୍ରହ୍ମ ଅବଧୂତ ବାବା ଆନନ୍ଦ ଚନ୍ଦ୍ର ଦାସ ଉଦ୍‌ଘାଟନ କରିଥିଲେ। ବରିଷ୍ଠ ଓ କନିଷ୍ଠ ବିଭାଗରେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। କନିଷ୍ଠ ବିଭାଗରେ ଅର୍ଚ୍ଚିତା କର୍ମୀ ପ୍ରଥମ, ରମାଉତ୍ସର୍ଗିତା ଧଳ ଦ୍ବିତୀୟ, ସୁକୁମତି ବଙ୍କିରା ତୃତୀୟ, ହରିପ୍ରିୟା କହଁର ଓ ସୁଧାଂଶୁ ପ୍ରଧାନ ସାନ୍ବନାମୂଳକ ପୁରସ୍କାର ଏବଂ ବରିଷ୍ଠ ବିଭାଗରେ କରିସ୍ମା ପ୍ରଧାନ ପ୍ରଥମ, ତିଳୋତ୍ତମା ସିଂ ଦ୍ବିତୀୟ, ପଦ୍ମା ହାତୀ ତୃତୀୟ, ଦୁଷ୍ମନ୍ତ ବେହେରା ଓ ସଂଗୀତା ପ୍ରଧାନ ସାନ୍ତ୍ବନା ମୂଳକ ଭାବେ ପୁରସ୍କୃତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଗୀତିକାର ରତନ ପୂଜାରୀ, ରେଢ଼ାଖୋଲ ଏନ୍‌ଏସି ଅଧ୍ୟକ୍ଷ ଶିବରାମ ସାହୁ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ ପ୍ରଧାନ, ନାଟ୍ୟକାର ପ୍ରଶାନ୍ତ ମାଝୀ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଗୀତିକାର ଶ୍ରୀ ପୂଜାରୀ କହିଲେ, କେବଳ ଭୀମ ଭୋଇଙ୍କ ଭଜନ ପ୍ରତିଯୋଗିତା ଆୟୋଜନ ​କରିବା ବିରଳ। ସନ୍ଥକବି ଜଣେ ସମାଜ ସଂସ୍କାରକ ଥିଲେ। ସେଥିପାଇଁ ସେ ଲେଖନୀ ଚାଳନା କରିଥିଲେ। କବିତା, ଭଜନ, ଜଣାଣ ମାଧ୍ୟମରେ ଲୋକଙ୍କୁ ପାଖକୁ ସମାଜର ବାର୍ତ୍ତା ପହଞ୍ଚାଉଥିଲେ। ​ସେ ନିଜକୁ ନର୍କକୁ ଠେଲି ଜଗତ ଉଦ୍ଧାର ଚିନ୍ତା କରୁଥିଲେ। କିନ୍ତୁ ଆଜି ଲୋକଙ୍କ ଚିନ୍ତାଧାରା ଓଲଟି ଯାଇଛି। ପିଲାମାନେ ଭୀମ ଭୋଇଙ୍କ ବାଣୀରେ ଅନୁପ୍ରାଣିତ ହେବା ଉଚିତ୍ ବୋଲି କହିଥିଲେ।
ଉଭୟ ଅଧିବେଶନରେ ଏକାଡେମୀର ଅଧ୍ୟକ୍ଷ ମୁରଲୀଧର ସେଠୀ ସଭାପତିତ୍ବ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଅନୀଲ ମେହେର ପରିଚାଳନା କରିଥିବା ବେଳେ ଉପଦେଷ୍ଟା ମହାବୀର ସିଂଦେଓ ଧନ୍ୟବାଦ ଦେଇଥିଲେ। ଶକୁନ୍ତଳା ଜେନା ଓ ପୁଷ୍ପାଞ୍ଜଳି ଦୋରା ବିଚାରକ ଥିଲେ। ହିମାଂଶୁ ଶେଖର ପ୍ରଧାନ, ଚନ୍ଦ୍ରହାସ୍ୟ ପ୍ରଧାନ, ଗଗନ ଭେସ୍ରା, ସ୍ମାରକ ବିଶ୍ବାଲ, ପରୀକ୍ଷିତ ଦାଶ, ସିକୁନ ମହାନ୍ତି, ଆଦିକନ୍ଦ ପ୍ରଧାନ, ସୁଶୀଲ ବାରିକ, ବିକାଶ ଶାସନୀ ପ୍ରମୁଖ ସହଯୋଗ କରିଥିଲେ।