ଆଜିଠାରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ


ପୁରୀ: ରତ୍ନଭଣ୍ଡାର ମରାମତି କାମ ଆଜିଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି । ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି । ଏବେ କାନ୍ଥର ମରାମତି ଓ ଯେଉଁ ପଥରରେ ଅଧିକ ଫାଟ ରହିଥିବ, ତାକୁ ପରିବର୍ତ୍ତନ କରାଯିବ । ଚଟାଣ ନୂତନ ଭାବେ କରାଯିବ । ବିଶେଷ ଦିନ ମାନଙ୍କରେ କାମ ବନ୍ଦ ରହିଛି । ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ କାମ ବନ୍ଦ ରହିଥିଲା । ଆଗକୁ ଅଧିକ ସମୟ ଆବଶ୍ୟକତା ରହିଛି । ତା’ହେଲେ ରତ୍ନଭଣ୍ଡାର ମରାମତି ସମୟ ଧାର୍ଯ୍ୟ ପୂର୍ବରୁ ଶେଷ ହୋଇପାରିବ । ଆଉ ଏପଟେ ଶ୍ରୀମନ୍ଦିର ନାଟମଣ୍ଡପ ଧାଡି ଦର୍ଶନ ଲାଗୁ ପାଇଁ ପୁଣିଥରେ ଆରମ୍ଭ ହୋଇଛି ପ୍ରକ୍ରିୟା । ଭିଡକୁ ଦୃଷ୍ଟିରେ ରଖାଯାଇ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା । ଏବେ ନିଯୋଗମାନଙ୍କ ସହ ଆଲୋଚନା କରାଯାଉଛି । ପ୍ରକ୍ରିୟା ଶେଷ ପରେ ଲାଗୁ ହେବ ନାଟମଣ୍ଡପ ଧାଡି ଦର୍ଶନ ବ୍ୟବସ୍ଥା ।

ପାଞ୍ଚ ଦଶନ୍ଧିର ପ୍ରତୀକ୍ଷାର ଅନ୍ତ ଘଟାଇ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିଥିଲା । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ନେତୃତ୍ବରେ ଏକ ୧୧ ଜଣିଆ ଉଚ୍ଚସ୍ତରୀୟ କମିଟି ରତ୍ନଭଣ୍ଡାର ତଦାରଖ ପାଇଁ ଭିତରକୁ ଯାଇ ଅନୁଧ୍ୟାନ କରିଥିଲେ । ତିନିଟି ତାଲା ଭଙ୍ଗାଯିବା ସହ ବାହାର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା । ପରେ ଭିତର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରଣ ହୋଇଥିଲା । ଡିସେମ୍ୱର ମାସରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି । ରତ୍ନଭଣ୍ଡାର ସଂରକ୍ଷଣ ସହ ମରାମତି କାର୍ଯ୍ୟରେ ଲାଗିଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଟେକ୍ନିକାଲ ଟିମ୍ । କାନ୍ଥରେ ଭର୍ଟିକାଲ ବା ଭୂ-ଲମ୍ବ ଫାଟର ମରାମତି ସହ ଚଟାଣରେ ଗ୍ରାନାଇଟ୍ ଲଗାଯିବ । ଗତ ସେପଟେମ୍ବର ୨୧ ଓ ୨୨ରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଓ ରାଜ୍ୟ ସରକାରଙ୍କ ଏସଓପି ଆଧାରରେ ଚାଲିଛି ରତ୍ନଭଣ୍ଡାର ମରାମତି । ୩ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ଥିବା ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ ।