ଭୁବନେଶ୍ବର: ସରକାର ବଦଳିବା ପରେ ବରିଷ୍ଠ ନେତା ସ୍ବର୍ଗତ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ତତ୍କାଳୀନ ନବୀନ ସରକାରର ସବୁଠାରୁ ଚର୍ଚ୍ଚିତ ଘଟଣା ଯାହା ସାରା ଦେଶକୁ ଚକିତ କରି ଦେଇଥିଲା । ଜଣେ ବାହୁବଳୀ ନେତାଙ୍କୁ ଲୋକଙ୍କ ଭିଡ଼ ଭିତରେ ଗୁଳି ମାରି ହତ୍ୟା କରାଯାଇଥିବା ବେଳେ ଏହାର ତଦନ୍ତ କ୍ରାଇମବ୍ରାଞ୍ଚ କରି ରିପୋର୍ଟ ଦାଖଲ କରିସାରିଛି । ହେଲେ ନବଙ୍କ ଝିଅ ଦୀପାଳି ବାପାଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି ।
ଦୀପାଳି ସିବିଆଇ ତଦନ୍ତ ଦାବି କରିବା ପରେ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ରଙ୍କ ମଧ୍ୟ ପ୍ରତିକ୍ରିୟା ଆସିଛି । ପରିବାର ପକ୍ଷରୁ ଲିଖିତ ଭାବେ ଜଣାଇଲେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ସେ କହିଥିଲେ ନବ ଦାସ ହତ୍ୟା ଘଟଣାର ତଦନ୍ତ ସରି ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରାଯାଇଛି ।
ସିବିଆଇ ତଦନ୍ତ ଦାବି ପରେ ଖୋଲୁଛି ନୂଆ ନୂଆ ଦିଗ
ତେବେ ଦୀପାଳି ସିବିଆଇ ତଦନ୍ତ ଦାବି କରିବା ପରେ ନବଙ୍କ ହତ୍ୟାକୁ ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । କ୍ରାଇମବ୍ରାଞ୍ଚ ରିପୋର୍ଟରେ ମୁଖ୍ୟ ସାଖୀ ଶୁଭେନ୍ଦୁ ପଟ୍ଟନାୟକଙ୍କ ସାର୍ଟର ରଙ୍ଗ ବଦଳିବାକୁ ନେଇ ସେ ନିଜେ ପ୍ରଶ୍ନ ଉଠାଇଛନ୍ତି । ସେ ହଳଦିଆ ରଙ୍ଗର ରକ୍ତଲଗା ସାର୍ଟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିବା ବେଳେ ରିପୋର୍ଟରେ କାହିଁକି ଧଳା ରଙ୍ଗର ସାର୍ଟ ଉଲ୍ଲେଖ ରହିଛି ତାକୁ ନେଇ ନିଜେ ଶୁଭେନ୍ଦୁ ପ୍ରଶ୍ନ ଉଠାଇଛନ୍ତି । ଏହାସହ ସେ ମଧ୍ୟ ମାମଲାର ସିବିଆଇ ତଦନ୍ତ କରାଯିବାକୁ ଦାବି କରିଛନ୍ତି ।
ସେପଟେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ନବଙ୍କ ହତ୍ୟାକୁ ନେଇ ଯେଉଁ ଖୁଲାସା କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ହତ୍ୟାର କିଛିଦିନ ପୂର୍ବରୁ ନବ ଓ ସାଲୁଜା ଏକାଠି ହୋଇଥିଲେ । ଖାଇବା ବେଳେ ନବ ସାଲୁଜାଙ୍କୁ କହିଥିଲେ ପରିବହନ କ୍ଷେତ୍ରରୁ ଓହରି ଯିବାକୁ ପାଓ୍ବାର କରିଡ଼ର ଚାପ ପକାଯାଉଛି । ମୁଁ ମନା କରିବାରୁ ତତ୍କାଳୀନ ଝାରସୁଗୁଡ଼ା ଜିଲ୍ଲାପାଳ ଓ ଏସପିଙ୍କ ଜରିଆରେ ମୋ ଉପରେ ଚାପ ପକାଯାଉଛି । ପରିବହନ କ୍ଷେତ୍ରରୁ ନ ହଟିବାକୁ ମୁଁ ସଫା ସଫା ମନା କରି ଦେଇଛି । ତେବେ କାହା ଚାପରେ କୋଇଲା ପରିବହନ କ୍ଷେତ୍ରରୁ ନବଙ୍କୁ ହଟାଇବାକୁ ଚେଷ୍ଟା କରାଯାଉଥିଲା ? ତତ୍କାଳୀନ ଜିଲ୍ଲାପାଳ ଓ ଏସପି କାହା ଇଙ୍ଗିତରେ ନବଙ୍କ ଉପରେ ଚାପ ପକାଉଥିଲେ ତାହାର ତଦନ୍ତ ହେବା ଦରକାର ବୋଲି ସାଲୁଜା ଦାବି କରିଛନ୍ତି ।