20 ତମ ପାତାଳୀ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶହଶହ ମହିଳା


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ୨୦ ତମ ପାତାଳୀ ମହୋତ୍ସବ ଉପଲକ୍ଷେ ଆଜି ଭବ୍ୟ କଳଶ ଓ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂଜାର୍ଚ୍ଚନା କରି ଗ୍ରାମର ଜଗନ୍ନାଥ ପୋଖରୀ ରୁ ମହିଳାମାନେ କଳଶ ବୋହି ନଗର ପରିକ୍ରମା ରେ ପାତାଳୀ ଶ୍ରୀକ୍ଷେତ୍ର କୁ କଳଶ ବୋହିଥିଲେ । ବୁଧବାର ଯଥାବିଧି ଦେବ ନିମନ୍ତ୍ରଣ , କର୍ତ୍ତା କର୍ତ୍ତୀ ସଂକଳ୍ପ ଧାରଣ ଆଦି ନୀତି ପରମ୍ପରା ହୋଇଥିଲା । କଳଶ ଯାତ୍ରା ସହ ରାଧାକୃଷ୍ଣ ଙ୍କ ପରିକ୍ରମା ଓ ମଣ୍ଡପ ବିଜେ ମଧ୍ୟ ଅନୁଷ୍ଠିତ ହୋଇଥିଲା । କଳଶ ଶୋଭାଯାତ୍ରାରେ ମହିଳାମାନେ କଳଶ ବୋହି ଯଜ୍ଞ ମଣ୍ଡପ , ନାମ ମଣ୍ଡପ ଓ ପାରାୟଣ ମଣ୍ଡପରେ ଘଟ ସ୍ଥାପନ କରିଥିଲେ । ଏଥିରେ ୨୦୦ଜଣ ମହିଳା କଳଶ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଆଜି ପାତାଳୀ ଶ୍ରୀକ୍ଷେତ୍ର ତଥା ଗାଁ ପରିବେଶ ଉତ୍ସବମୁଖର ଥିବାବେଳେ ଘଣ୍ଟ , ଶଙ୍ଖ , ନାମ ସଂକୀର୍ତ୍ତନ ରେ ମୁଖରିତ ହୋଇ ଉଠିଥିଲା । ଉଫୁଲା ର ମାଁ ମାହେଶ୍ୱରୀ ଘଣ୍ଟ ବାଦ୍ୟ ଦ୍ୱାରା ଘଣ୍ଟବାଦ୍ୟ ପରିବେଷଣ ହୋଇଥିଲା । ପାତାଳୀ ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ର , ସଦସ୍ୟ ଜାନକୀରାମ ଦେହେରୀ , ମହାଦେବ ସାହୁ , ପୂର୍ଣ୍ଣଚନ୍ଦ୍ର ପାଢୀ ଆଦି ପରିଚାଳନା କରିଥିବା ବେଳେ ନରସିଂହ ପଧାନ , ବୀରମିତ୍ର ପଧାନ , ସତ୍ୟଜିତ ଗଡୁଆ , ସତ୍ୟବ୍ରତ କର୍ଣ୍ଣ , ଅଭିଷେକ ଦେହେରୀ ଆଦି କଳଶଯାତ୍ରା ଦାୟିତ୍ୱରେ ଥିଲେ । କଳଶ ଶୋଭାଯାତ୍ରା ରେ ହଜାର ହଜାର ଶ୍ରଦ୍ଧାଳୁ, ଭକ୍ତଙ୍କ ସମାଗମ ହୋଇଥିଲା । ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ଫେବୃଆରୀ 6 ଗୁରୁବାର ନାମଯଜ୍ଞ ର ପୂର୍ଣ୍ଣାହୁତି ହେବ l ଏ ଅବସରରେ 56 ପ୍ରହରୀ ନାମଯଜ୍ଞ , ଘୃତ ଯଜ୍ଞ , ଶ୍ରୀ ଜଗନ୍ନାଥ ଙ୍କ ଦୁର୍ଲ୍ଲଭ 32 ବେଶ ପ୍ରଦର୍ଶନୀ ସହିତ ଶ୍ରୀ ମନ୍ଦିରରେ ଜଗନ୍ନାଥ ଙ୍କ ପଦ୍ମମୁଖ ବେଶ ଆଦି କାର୍ଯ୍ୟକ୍ରମ ରହିଛି l