Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ ସମ୍ବଲପୁରକୁ ସ୍ୱଚ୍ଛ ସମ୍ବଲପୁର କରିବା ଆମର ଦାୟିତ୍ୱ – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁରରେ ‘ଜନ ଭାଗିଦାରୀ ଦ୍ୱାରା ସ୍ୱଚ୍ଛତା ଅଭିଯାନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
• ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସହରରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ୍ କରିବା ନେଇ ମଧ୍ୟ ମୋଦୀ ସରକାର ଯୋଜନା
• ଆମ ସମ୍ବଲପୁର ସ୍ଵଚ୍ଛ ସମ୍ବଲପୁର ନାରାକୁ ସଫଳ କରିବା ପାଇଁ କଲେ ଆହ୍ୱାନ
• ସ୍ଵଚ୍ଛ ସାଥୀଙ୍କୁ ଉତ୍ସାହିତ କରିବା, ନିରୋଗ ଜୀବନ ପାଇଁ ସ୍ଵଚ୍ଛତାକୁ ଆପଣାଇବା
ସମ୍ବଲପୁର:ସମ୍ବଲପୁରକୁ ସ୍ୱଚ୍ଛ ରଖିବାକୁ ହେଲେ ଆମ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ଦାୟିତ୍ୱ ନେବାକୁ ପଡିବ । ନିଜକୁ ପରିବର୍ତ୍ତନ ନ କଲେ, ସ୍ୱଚ୍ଛତା ପ୍ରତି ନିଜର ଦାୟିତ୍ୱବୋଧ ନ ରହିଲେ ସମ୍ବଲପୁର ସ୍ୱଚ୍ଛ ହେବ ନାହିଁ । ଦଳ, ମତ, ସଂଗଠନ ଓ ବିଚାରରୁ ଉର୍ଦ୍ଧ୍ୱରେ ରହି ସମସ୍ତଙ୍କୁ ଏଥିପାଇଁ ଆମ ସମସ୍ତଙ୍କୁ କାମ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
ନିଜ ସଂସଦୀୟ କ୍ଷେତ୍ର ସମ୍ବଲପୁର ମହାନଗର ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ “ଜନ ଭାଗିଦାରୀ ଦ୍ୱାରା ସ୍ୱଚ୍ଛତା”ର ଶୁଭାରମ୍ଭ କରିବା ସହ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ପତାକା ଦେଖାଇ ସମ୍ବଲପୁର ମହାନଗର ନିଗମର ସ୍ୱଚ୍ଛତା ଗାଡିର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଦେଶର ପ୍ରଗତିରେ ‘ସ୍ୱଚ୍ଛତା’କୁ ଏକ ମାଧ୍ୟମ କରିଥିଲେ । ସେହି ସ୍ୱଚ୍ଛତା ଅଭିଯାନକୁ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନଆନ୍ଦୋଳନରେ ପରିଣତ କରିଛନ୍ତି ।
ସମ୍ବଲପୁରରେ ସ୍ୱଚ୍ଛ ସମାଜସେବୀ ତିଆରି ହୋଇପାରିଲେ ହିଁ ଆମର ସ୍ୱଚ୍ଛ ସମ୍ବଲପୁରର ସ୍ୱପ୍ନ ପୂରଣ ହୋଇପାରିବ । ନିଜକୁ ଫିଟ୍ ରଖିବା ପାଇଁ ଯେଉଁଭଳି ଶାରିରୀକ ବ୍ୟାୟାମ କିମ୍ବା ଅନ୍ୟ ପ୍ରୟୋଗ ଆପଣାଇଛେ, ସେହି ସମୟରେ ସ୍ୱଚ୍ଛତାକୁ ମଧ୍ୟ ସମସ୍ତେ ଆପାଣାଇବା ଦରକାର । ସହରର ବିଭିନ୍ନ ପଡ଼ା, ଗଳି ଓ ରାସ୍ତାରେ ବ୍ୟବସ୍ଥିତ ଭାବରେ ଆମେ ସମସ୍ତେ ଓଦା ଓ ଶୁଖିଲା ଆବର୍ଜନାକୁ ପୃଥକ ଭାବେ ରଖିବା ଦରକାର । ଆମ ସମ୍ବଲପୁର ସ୍ଵଚ୍ଛ ସମ୍ବଲପୁର ନାରାକୁ ସଫଳ କରିବା ଦରକାର । ସ୍ୱଚ୍ଛ ସମ୍ବଲପୁର ଲକ୍ଷ୍ୟରେ ଆଗାମୀ ଦିନରେ ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସହରରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ୍ କରିବା ନେଇ ମଧ୍ୟ ମୋଦୀ ସରକାର ଯୋଜନା କରିଛନ୍ତି । ସ୍ଵଚ୍ଛତା ରକ୍ଷା ଦିଗରେ ସାମୂହିକ ଉଦ୍ୟମ ଲୋଡ଼ା ରହିଛି ।
ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦରେ ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ସଂକଳ୍ପ ନେବା ଏବଂ ଆମ ସହର ଓ ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା । ଗାନ୍ଧିଜୀଙ୍କ ସ୍ଵଚ୍ଛ ଭାରତ ସ୍ଵପ୍ନକୁ ପୂରା କରିବା ପାଇଁ ସଂକଳ୍ପ ନେବା । ସ୍ଵଚ୍ଛ ରଖୁଥିବା ସାଥୀମାନଙ୍କୁ ଉତ୍ସାହିତ କରିବା ଓ ନିରୋଗ ଜୀବନ ପାଇଁ ସ୍ଵଚ୍ଛତାକୁ ଆପଣାଇବା ବୋଲି ସେ କହିଛନ୍ତି ।
ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୁର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଆରକ୍ଷୀ ମହାନିରୀକ୍ଷକ ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ୱର୍ ବଳିରାମ ବୋନ୍ଦର, ମହାନଗର ନିଗମ ପୌରାଧକ୍ଷ ବେଦ ଭୂଷଣ ଭୋଇ, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୋ, ଗିରିଶ ପଟେଲ, ସିମାଞ୍ଚଲ୍ ଖଟେଇ, ଡ. ପ୍ରମୋଦ ରଥ, ଗୋବିନ୍ଦ ଅଗ୍ରୱାଲା, ମାନସ ରଞ୍ଜନ ବକ୍ସି, ସମୀର ରଞ୍ଜନ ବାବୁ, ଦାମୋଦର କର, ସୁଶାନ୍ତ ପୁରୋହିତ, ରାମଦାସ ପଣ୍ଡା, ସହର ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ସାମିଲ୍ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ