Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶନ ବାତ୍ସଲ୍ୟ ଯୋଜନା ଅନ୍ତର୍ଭୁକ୍ତ ପିଲାମାନଙ୍କ ପାଇଁ ସହାୟତା କାର୍ଯ୍ୟକ୍ରମ:୨୫୨ ସାମିଲ

ସମ୍ବଲପୁର: ମିଶନ ବାତ୍ସଲ୍ୟ ଯୋଜନା ଅନ୍ତର୍ଭୁକ୍ତ ପିଲାମାନଙ୍କ ପାଇଁ ଏକ ସହାୟତା କାର୍ଯ୍ୟକ୍ରମ ସମ୍ବଲପୁର ର ତପସ୍ଵିନୀ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀ ରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ, ଶିକ୍ଷା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାଏକ, ରାଜସ୍ୱ ବିଭାଗୀୟ ଆୟୁକ୍ତ(ଉତ୍ତରାଞ୍ଚଳ) ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ (ଆଇଏଏସ), ଉତ୍ତରାଞ୍ଚଳ ଆଇଜି ଶ୍ରୀ ହିମାଂଶୁ ଲାଲ(ଆଇ.ପି.ଏସ), ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏସ.ଏ), ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୁ(ଆଇପିଏସ), ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ବେଦ ଭୂଷଣ(ଆଇ.ଏ.ଏସ.) ପ୍ରମୁଖ ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ପ୍ରଶାସନିକ ଅଧିକାରୀ, ଜନସାଧାରଣ,ବୁଦ୍ଧିଜୀବୀ, ପିଲାମାନେ, ଅଭିଭାବକ ଉପସ୍ଥିତ ଥିଲେ। ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ମିଶନ ବାତ୍ସଲ୍ୟ ଯୋଜନା ବିଷୟରେ ଆଲୋକପାତ କରାଇଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବଲପୁର ଜିଲ୍ଲାରେ ଆଜିଠୁ ପ୍ରାୟ ୧୬୩ଜଣ ପିଲାଙ୍କୁ ସହାୟତା ରାଶି ପ୍ରଦାନ ର କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ପୂର୍ବରୁ ସମ୍ବଲପୁର ଜିଲ୍ଲାରେ ୧୦୩ ପିଲାଙ୍କୁ ମିଶନ ବାତ୍ସଲ୍ୟ ଯୋଜନା ରେ ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ପ୍ରକାଶ କରିଥିଲେ।
ରାଜସ୍ୱ ବିଭାଗୀୟ ଆୟୁକ୍ତ(ଉତ୍ତରାଞ୍ଚଳ) ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ (ଆଇଏଏସ) ନିଜ ଅଭିଭାଷଣରେ ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ଶିଶୁ-କୈନ୍ଦ୍ରିକ ପଦକ୍ଷେପ ମିଶନ ବାତ୍ସଲ୍ୟ ଯୋଜନା, ଯାହାକି ବିଶେଷକରି ଅନାଥ, ପରିତ୍ୟକ୍ତ ପିଲାମାନଙ୍କର ଭରଣପୋଷଣ, କଲ୍ୟାଣ, ସୁରକ୍ଷା ଏବଂ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ଉପରେ ଲକ୍ଷ ରଖିଛି ଏକ ନିଆରା ପ୍ରୟାସ କହି ଭୁଇଁୟସି ପ୍ରସଂଶା କରିଥିଲେ।
ମାନ୍ୟବର କେନ୍ଦ୍ରମନ୍ତ୍ରୀ, ଶିକ୍ଷା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଭିଭାଷଣରେ ଏପରି ଏକ ଭାବାନାତ୍ମକ କାର୍ଯ୍ୟକ୍ରମ ରେ ଯୋଗ ଦେବା ତାଙ୍କୁ ସୁଯୋଗ ଦେଇଥିବାରୁ ଜିଲ୍ଲା ପ୍ରଶାସନ କୁ ଧନ୍ଯବାଦ ଜଣେଇଥିଲେ।କହିଥିଲେ କୋରୋନା ଅପରାନ୍ତେ ସମାଜ ରେ ବହୁ ବିଚିତ୍ର ପରିସ୍ଥିତି ସୃଷ୍ଠି ହୋଇଥିଲା, ସେତେବେଳେ ଅନେକ ପିଲା ନିଜ ପିତାମାତା ଙ୍କୁ ହରାଇଥିଲେ, ସେଥିପାଇଁ ସେମାନେ କିପରି ଗୋଟେ ସାଧାରଣ ଜୀବନ ଜାପନ କରିବେ ତାର ଦାୟିତ୍ଵ କେନ୍ଦ୍ର ସରକାର ଗ୍ରହଣ କରି ମିଶନ ବାତ୍ସଲ୍ୟ ଯୋଜନା ଉନ୍ମୋଚନ କରିଥିଲେ।ଯେଉଁ ଯୋଜନା ମାଧ୍ୟମରେ ୧୮ ବର୍ଷ ପର୍ଯ୍ୟନ୍ତ ପିଲାର ଭରଣପୋଷଣ ବାବଦରେ ମାସିକ ୪୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ଯେମିତି କୌଣସି ପିଲା ଯେମିତି ଏହି ସୁବିଧା ପାଇବାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଏହି ଯୋଜନାର ଜନ ସଚେତନତା କାର୍ଯ୍ୟକ୍ରମ କରିବାପାଇଁ ସେ କହିଥିଲେ । ଆଜି ବି ଅନେକ ଅନାଥ ଶିଶୁ ଅଛନ୍ତି ଯେଉଁ ମାନେ ଜୀବନ ଜୀବିକା ପାଇଁ ଭିକ୍ଷା କରୁଛନ୍ତି, ସେଥିପାଇଁ କୌଣସି ଅନାଥ ପିଲା ଯେମିତି ଭିକ୍ଷା ନକରନ୍ତି, ସମସ୍ତେ ମିଶନ ବାତ୍ସଲ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହୁଅନ୍ତି ଓ ସମ୍ବଲପୁର ଜିଲ୍ଲା ଯେମିତି ଶୂନ୍ୟ ଶିଶୁ ଭିକ୍ଷା ଜିଲ୍ଲାରେ ପରିଣତ ହୁଏ ସେଥିପ୍ରତି ପ୍ରୟାସ କରିବାକୁ ଜିଲ୍ଲା ପ୍ରଶାସନ କୁ ଉପଦେଶ ଦେଇଥିଲେ। ଶେଷରେ ଆଗାମୀ ଦିନରେ ଯେମିତି ଏହି ଯୋଜନାରେ ପିଲାମାନଙ୍କ ସଂଖ୍ୟା ଶୂନ୍ୟ ହେଉ ବୋଲି ଶ୍ରୀ ପ୍ରଧାନ ଈଶ୍ଵରଙ୍କ ପାଖରେ ପ୍ରାର୍ଥନା କରିଥିଲେ।ତେବେ ଏଥିପାଇଁ ପ୍ରଶାସନିକ ତତ୍ପରତା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲାରେ ଧନକଉଡା(୩୩),ରେଢାଖୋଲ(୨୦), ନାକଟିଦେଉଳ(୨୧), ରେଙ୍ଗାଲି(୨୪), ବାମରା(୧୫), ଯୁଯୁମୁରା(୨୬), ମାନେଶ୍ବର(୩୭), କୁଚିଣ୍ଡା(୧୧) ଓ ଜମନକିରା(୩୪) ବ୍ଲକ, ଏସଏମସି(୩୧) ସମେତ ମୋଟ ୨୫୨ ଜଣ ପିଲାଙ୍କୁ ମିଶନ ବାତ୍ସଲ୍ୟ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଛି।

More Stories