Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ବୀର ସୁରେନ୍ଦ୍ର ସାଏ ଙ୍କର ୧୪୧ ତମ ଶ୍ରାଦ୍ଧ ବାର୍ଷିକୀ: ହୀରାଖଣ୍ଡ ପଶ୍ଚିମ ଓଡ଼ିଶା ପୂର୍ବତନ ସୈନିକ ସଙ୍ଗଠନ ପକ୍ଷରୁ ଉଲଗୁଲାନ ସ୍ମାରକୀ ସ୍ଥଳରେ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ଆଜି ସମ୍ବଲଭୂମିର ଭାରତ ପ୍ରଖ୍ୟାତ ଦୁର୍ଦ୍ଦମନୀୟ ସ୍ବାଧୀନତା ସଂଗ୍ରାମୀ, ମହାନ୍ କ୍ରାନ୍ତିକାରୀ, ଜାତୀୟ ବୀର ସୁରେନ୍ଦ୍ର ସାଏ ଙ୍କର ୧୪୧ ତମ ବଳିଦାନ ଦିବସ ପାଳନ ଅବସରରେ ଐତିହାସିକ ବୁଢ଼ାରଜା ପାହାଡ଼ ଶୀର୍ଷ ସ୍ଥିତ ଉଲଗୁଲାନ ସ୍ମାରକୀରେ ସ୍ମୃତିଚାରଣ ସହ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି | “ହୀରାଖଣ୍ଡ ପଶ୍ଚିମ ଓଡ଼ିଶା ପୂର୍ବତନ ସୈନିକ ସଙ୍ଗଠନ” ପକ୍ଷରୁ ସୁବେଦାର ମେଜର ଶିବ ନାରାୟଣ ବେହେରା ଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟଅତିଥି ଭାବରେ କର୍ଣ୍ଣେଲ ପ୍ରଭାତ କୁମାର ପଣ୍ଡା ଏବଂ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସମାଜସେଵୀ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ଯୋଗଦାନ କରି ଉଦ୍’ବୋଧନ ଦେଇଥିଲେ |
ମୁଖ୍ୟବକ୍ତା ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ଜାତୀୟ ବୀର ସୁରେନ୍ଦ୍ର ସାଏ ଙ୍କର ଵୀରତ୍ବ ଆଧାରିତ ଏକ କବିତା ଆବୃତ୍ତି କରିବା ସଙ୍ଗେ ସଙ୍ଗେ ନିଜ ଉଦ୍’ବୋଧନରେ କହିଥିଲେ ଯେ – ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ଅର୍ଥାତ୍ ୧୮୨୭ ମସିହାରୁ ସମ୍ବଲଭୂମିରୁ ବିଦେଶୀ ଇଂରେଜ ସରକାରଙ୍କ ବିରୁଦ୍ଧରେ ଦୁଇଟି ପର୍ଯ୍ୟାୟରେ ଦୀର୍ଘ ୨୦ ବର୍ଷ କାଳ ସଶସ୍ତ୍ର ସଂଗ୍ରାମ କରି ଏବଂ ଦୀର୍ଘ ୩୭ ବର୍ଷ କାଳ କାରାବରଣ କରି ୧୮୮୪ ମସିହା ଆଜିର ଦିନରେ ପ୍ରାଣ ଉତ୍ସର୍ଗ କରିଥିଲେ ଚୌହାଣ ବୀର ସୁରେନ୍ଦ୍ର ସାଏ | ସମ୍ବଲପୁରର ଐତିହାସିକ ବୁଢ଼ାରଜା ପାହାଡ଼ ସଂଗ୍ରାମୀ ମାନଙ୍କର ଗଡ଼ ମାନଙ୍କ ମଧ୍ୟରୁ ଏକ ପ୍ରମୁଖ ଗଡ଼ ଥିଲା ବୋଲି ମୁଖ୍ୟବକ୍ତା ଶ୍ରୀଯୁକ୍ତ ବହିଦାର ନିଜ ବକ୍ତବ୍ୟରେ କହିଥିଲେ |
ମୁଖ୍ୟଅତିଥି କର୍ଣ୍ଣେଲ ପ୍ରଭାତ କୁମାର ପଣ୍ଡା ନିଜ ବକ୍ତବ୍ୟରେ ସମ୍ବଲଭୂମିକୁ ବୀରଭୂମି ଭାବରେ ବର୍ଣ୍ଣନା କରି ତାଙ୍କର ପୂର୍ବପୁରୁଷ ମାନେ ମଧ୍ୟ ବୀର ସୁରେନ୍ଦ୍ର ସାଏ ଙ୍କ ସହଯୋଗୀ ଭାବରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ କରି ସେମାନଙ୍କ ଜୀବନକୁ ଭାରତମାତାଙ୍କ ଚରଣରେ ଉତ୍ସର୍ଗ କରିଥିଲେ ବୋଲି କହିଥିଲେ | ରାଷ୍ଟ୍ରରକ୍ଷା ପାଇଁ ସଂକଳ୍ପବଦ୍ଧ ସମସ୍ତ ଯୁବକ ଯୁବତୀ ମାନଙ୍କୁ ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ଜୀବନାଦର୍ଶ ଉଦ୍’ବୁଦ୍ଧ କରିବ ବୋଲି ମୁଖ୍ୟଅତିଥି କର୍ଣ୍ଣେଲ ପଣ୍ଡା କହିଥିଲେ |
ଜାତୀୟ ବୀର ସୁରେନ୍ଦ୍ର ସାଏ, ଭାରତମାତା, ମାଁ ସମଲେଶ୍ୱରୀ ଏବଂ ବୁଢ଼ାରଜା ମହାଦେବ ବାବା ଙ୍କର ଜୟଧ୍ଵନୀ ମଧ୍ୟରେ “ହୀରାଖଣ୍ଡ ପଶ୍ଚିମ ଓଡ଼ିଶା ପୂର୍ବତନ ସୈନିକ ସଙ୍ଗଠନ” ର ସମସ୍ତ ସଭ୍ୟସଭ୍ୟା ଏବଂ ଉପସ୍ଥିତ ସମସ୍ତ ଭଦ୍ରବ୍ୟକ୍ତି ଭଦ୍ରମହିଳା ଉଲ୍’ଗୁଲାନ୍ ସ୍ମାରକୀରେ ପୁଷ୍ପ ମାଲ୍ୟାର୍ପଣ ଏବଂ ଧୂପଦୀପ ଦ୍ୱାରା ପୂଜାର୍ଚ୍ଚନା କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ସଙ୍ଗଠନର ସାଧାରଣ ସମ୍ପାଦକ ବିକାଶ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ବୀର କିଶୋର ବେହେରା, ଶ୍ରୀମତୀ ନମିତା ପଣ୍ଡା, ଶିବ ଶମ୍ଭୁ ୟାଦବ, ସୋମନାଥ ସାହୁ, ରାଜକୁମାର ତିୱାରୀ, ଅନିଲ କୁମାର ମିଶ୍ର, କରୁଣାକର ବେହେରା, ନରେନ୍ଦ୍ର ଭୂତିଆ, ବିଶ୍ୱ ରଞ୍ଜନ ଜେନା, ରାଜେନ୍ଦ୍ର କୁମାର ଶତନାମୀ ଏବଂ ହରି ଶଙ୍କର ମିଶ୍ର ପ୍ରମୁଖ ବହୁ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ଏହି ସମାରୋହରେ ଉପସ୍ଥିତ ରହି ଉଲ୍’ଗୁଲାନ୍ ସ୍ମାରକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଶେଷରେ ସୁବେଦାର ମେଜର ଶିବ ନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ