ନବ ଦାସ ହତ୍ୟା ମାମଲା: ଦୀପାଳି ଓ ବିଶାଳଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍


ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ସ୍ବର୍ଗତ ନବ ଦାସଙ୍କ ହତ୍ୟା ଘଟଣା । ନବଙ୍କ ଝିଅ ଦୀପାଳି ଏବଂ ପୁଅ ବିଶାଲଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ କରିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି । ଉଭୟଙ୍କୁ ହାଜର ହେବାକୁ କ୍ରାଇମବ୍ରାଞ୍ଚ ନୋଟିସ୍ କରିଛି । ମାର୍ଚ୍ଚ ପ୍ରଥମ ସପ୍ତାହରେ କୌଣସି ଦିନ ହାଜର ହେବା ଉଭୟଙ୍କୁ କୁହାଯାଇଛି ।

କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନେଇ କୌଣସି ଆପତ୍ତି ଥିଲେ ବା କିଛି କହିବାର ଥିଲେ ସେମାନେ ଜଣାଇ ପାରିବେ ବୋଲି କୁହାଯାଇଛି । ମାମଲାକୁ ସିବିଆଇ ତଦନ୍ତ କରୁ ବୋଲି ବୟାନବାଜି ଲାଗି ରହିଛି । ଏହାରି ଭିତରେ କ୍ରାଇମ୍‌ବ୍ରାଞ୍ଚ ନୋଟିସ୍‌ ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି । କ୍ରାଇମ୍‌ବ୍ରାଞ୍ଚର ଏହି ନୋଟିସ୍‌ ପରେ ଏବେ ସବୁ ମହଲରେ ଚର୍ଚ୍ଚା ଯେ କ୍ରାଇମ୍‌ବ୍ରାଞ୍ଚକୁ କ’ଣ କହିବେ ଦୀପାଳି ଓ ବିଶାଳ ? 

ତଦନ୍ତରେ ତ୍ରୁଟି ରହିଛି ବୋଲି ଅଭିଯୋଗ ଆଣିବେ କି? ତଦନ୍ତର କେଉଁ କେଉଁ ଦିଗକୁ ନେଇ ସେମାନେ ଆପତ୍ତି ଉଠାଇବେ ?  ଏହି ଘଟଣା ପରେ ବିଭିନ୍ନ ଆଡୁ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣାରେ ନବ ଦାସଙ୍କ ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ଦାବି କରିଥିଲେ । ସେ କହିଥିଲେ, ମୁଁ ଚାହେଁ ଘଟଣାର ଉଚିତ ତଦନ୍ତ ହୋଇ ଆମ ପରିବାରକୁ ନ୍ୟାୟ ମିଳୁ । ଏଥିସହ ମୁଖ୍ୟମନ୍ତ୍ରୀ ମୋ ପରିବାର ସହ ଆଲୋଚନା କରନ୍ତୁ ।

ନବ ଦାସ ହତ୍ୟାର ଦୁଇ ବର୍ଷ ପରେ  ରାଜନୈତିକ ଝଡ ସହ ବୟାନ ବାଜି ତ୍ରୀବ ହେବାରେ ଲାଗିଛି । ସୂଚନା ଅନୁଯାୟୀ, ଦୁଇ ବର୍ଷ ତଳେ ଅର୍ଥାତ ୨୦୨୩ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ ସୁରକ୍ଷାରେ ଥିବା ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳି କରି ହତ୍ୟା କରିଥିଲା । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲେ ତତ୍କାଳ ବିଜେଡି ସରକାର । ଯାହାକୁ ନେଇ ସିବିଆଇ ତଦନ୍ତ ଦାବି କରିଥିଲେ ବିରୋଧି । ହତ୍ୟାକାଣ୍ଡର ଦୁଇ ବର୍ଷ ପରେ ପୁଣି ସିବିଆଇ ତଦନ୍ତକୁ ନେଇ ଜୋର ଧରିଛି ରାଜନୀତି ।