ବାପାଙ୍କୁ ଦି’ଗଡ଼ କରିବା ପରେ ମୁଣ୍ଡ ଧରି ଥାନାରେ ପହଞ୍ଚିଲା ହତ୍ୟାକାରୀ ପୁଅ


ମୟୂରଭଞ୍ଜ: ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗାଁରେ ବିଭତ୍ସ ହତ୍ୟା । ବାପାଙ୍କୁ ହତ୍ୟା କରିବା ପରେ ମୁଣ୍ଡ ଧରି ଥାନାରେ ପହଞ୍ଚିଲା ଅଭିଯୁକ୍ତ ପୁଅ । ମୃତ ବୃଦ୍ଧ ଜଣଙ୍କ ହେଲେ ବାଇଧର ସିଂ । ପୋଲିସ ଅଭିଯୁକ୍ତ ପୁଅ ସମ୍ବୁନାଥ ସିଂଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବ ରାତିରେ ବାଇଧରଙ୍କ ସାନ ପୁଅ ସମ୍ବୁନାଥ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲା । ବାପାକୁ ହାଣି ଦି’ଗଡ କରି ଦେଇଥିଲା । ବାପାଙ୍କୁ ସମ୍ବୁନାଥ ହାଣୁଥିବା ଦେଖି ମାଆ ଦୌଡ଼ି ଆସି ସ୍ୱାମୀକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ସେତେବେଳେ ସଇତାନ ପାଲଟି ଯାଇଥିବା ପୁଅ ମାଆଙ୍କୁ ମଧ୍ୟ ହତ୍ୟା କରିବାକୁ ଚେଷ୍ଟା କରିଥିଲା । ତେବେ ତାଙ୍କ ମାଆ କୌଣସି ପ୍ରକାରେ ତା’ କବଳରୁ ଖସି ଯିବାକୁ ସକ୍ଷମ ହୋଇଥିଲେ ।

ପରେ ପୁଅ ବାପାର ମୁଣ୍ଡକୁ ନେଇ ଥାନାରେ ପହଞ୍ଚିଥିଲା । ଜଣେ ବ୍ୟକ୍ତି ହାତରେ ଏକ କଟା ମୁଣ୍ଡ ଧରି ପହଞ୍ଚିବା ଦେଖି ପୋଲିସ ବି ତାଜୁବ ହୋଇଯାଇଥିଲା । ସେଠାରେ ସମ୍ବୁନାଥ ଆତ୍ମସର୍ମପଣ କରିଥିଲେ । ଆଜି ସକାଳେ ବାଇଧରଙ୍କ ମୃତଦେହ ଘର ସମ୍ମୁଖ ପିଣ୍ଡାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ବାଇଧରଙ୍କ ଗଣ୍ଡି ପଡ଼ିଥିବା ବେଳେ ମୁଣ୍ଡ ନଥିଲା । ଅନ୍ୟପକ୍ଷେ ପୋଲିସ ଜାଁରେ ପହଞ୍ଚି ବାଇଧରଙ୍କ ଗଣ୍ଡି ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରଛି । ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଗୁଣିଗାରେଡି ଶିଖୁଥିଲା । ଏଥିପାଇଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି ।