କିଟ୍ ପ୍ରେମ ଦେବାଶିଷଙ୍କୁ ପଡ଼ିଲା ମହଙ୍ଗା: ଭକ୍ତ କଲେ ସାବଧାନ, କହିଲେ ତୁମ ସମ୍ପର୍କଠୁ ଉପରେ ଦଳରେ


ଭୁବନେଶ୍ବର: ଭକ୍ତ ଦାସ ପିସିସି ସଭାପତି ହେବା ପରେ ରାଜ୍ୟ କଂଗ୍ରେସରେ ପ୍ରତିଦିନ କିଛି ନା କିଛି ହଲଚଲ ଦେଖିବାକୁ ମିଳୁଛି । ପ୍ରଥମେ ଦଳକୁ ଟ୍ରାକ ଆଣିବାକୁ ଭକ୍ତ ଲାଗି ପଡ଼ିଛନ୍ତି । ଗୋଠ ଛଡ଼ା ହୋଇ ଅରଣା ମହିଁଷି ଭଳି ଏଣେ ତେଣେ ବୁଲୁଥିବା ଓ ମନଇଚ୍ଛା ଗପୁଥିବା ନେତାଙ୍କୁ ସାବାଡ଼ କରିବା ଆରମ୍ଭ କରିଛନ୍ତି ଭକ୍ତ । କିଟ୍ ପ୍ରସଙ୍ଗକୁ ନେଇ ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକଙ୍କୁ ରୋକଠୋକ ଶୁଣାଇ ଦେଇଛନ୍ତି ଭକ୍ତ । ଯାହା ଏବେ କଂଗ୍ରେସ ଶିବିରରେ ହଲଚଲ ବଢ଼ାଇ ଦେଇଛି ।

ଭକ୍ତ କହିଛନ୍ତି, ‘ପାର୍ଟି ସବୁବେଳେ ବଡ଼ । ଦଳର ଆଭିମୁଖ୍ୟ ସବୁଠାରୁ ଆଗରେ । ତା’ପରେ ବ୍ୟକ୍ତିଗତ ସଂପର୍କ ଓ ଫାଇଦା ।’ ଗତକାଲି ଏମିତି ଲାଇନରେ ନିଜର କଡ଼ା ମନ୍ତବ୍ୟ ଦେଇ, ନିଜ ଦଳର ନେତାଙ୍କୁ ଲକ୍ଷ୍ମଣରେଖା ନ ଡେଇଁବାକୁ ଚେତାଇ ଦେଇଛନ୍ତି ଭକ୍ତ । ସେ କହିଛନ୍ତି, କୌଣସି ଜାଗାରେ କିଛି କହିବା ଆଗରୁ ପ୍ରଥମେ ବୁଝିନିଅ ସେହି ନିର୍ଦ୍ଦିଷ୍ଟ ଘଟଣାରେ ଦଳର ଆଭିମୁଖ୍ୟ କ’ଣ । କାରଣ ଦଳର ନେତା ଯାହା କହିବେ, ତାହା ଦଳ ଆଭିମୁଖ୍ୟ ବୋଲି ଧରିନିଆ ଯିବ । ସେଥିପାଇଁ କୌଣସି ଜାଗାରେ ବ୍ୟକ୍ତିଗତ ସଂପର୍କ ପାଇଁ ଦଳୀୟ ଆଦର୍ଶକୁ ବଳି ଦିଆଯିବନି ।

ସୂଚନାଯୋଗ୍ୟ, କିଟ ପ୍ରସଙ୍ଗରେ ଦେବାଶିଷଙ୍କୁ ଏପରି କହି ଭକ୍ତ ଛାଟ ମାରିଛନ୍ତି । ଦେବାଶିଷଙ୍କୁ ତାଗିଦ କରି ଭକ୍ତ କହିଛନ୍ତି, ବ୍ୟକ୍ତିଗତ ସମ୍ପର୍କ ଥାଇପାରେ, ମାତ୍ର ପ୍ରଶଂସା କରିପାରିବେନି । ପାର୍ଟି ଲାଇନରୁ ବାହାରି ଗଣମାଧ୍ୟମରେ କେହି କିଛି କହିପାରିବେନି । ଦଳର ଆଭିମୁଖ୍ୟ ବାହାରକୁ ଯାଇ କହିବାର କାହାର ଅଧିକାର ନାହିଁ ।

ଗତ ୨୨ ତାରିଖରେ କିଟ୍ ଛାତ୍ରୀ ମୃତ୍ୟୁକୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିଥିଲା କଂଗ୍ରେସ । ଅନ୍ୟପଟେ କିଟ୍ ପାଇଁ ଓକିଲାତି କରିଥିଲେ ଦେବାଶିଷ । କଂଗ୍ରେସ ସଭାପତି ଭାବେ ଭକ୍ତ ଦାୟିତ୍ୱ ନେବା ପରେ ପୁରୀକୁ ଭୁବନେଶ୍ୱରରୁ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରା କମିଟିର ମୁଖ୍ୟ ଭାବେ ଦେବାଶିଷ ପଟ୍ଟନାୟକଙ୍କୁ ନିଯୁକ୍ତି ଦେଇଥିଲେ । କିନ୍ତୁ କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ସେ ଦେବାଶିଷଙ୍କୁ ଛାଡ଼ି ନାହାଁନ୍ତି ।

ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ ମରାଯାଇ କିଟ୍ ହଷ୍ଟେଲରୁ ବାହାର କରିଦିଆଯାଇଥିଲା । ଏହି ଘଟଣାରେ ଦେବାଶିଷ କିଟେ ପାଇଁ ଓକିଲାତି କରିଥିଲେ । ପଦଯାତ୍ରା ବେଳେ ସେ କହିଥିଲେ ଯେ, ଗଣମାଧ୍ୟମ ଘଟଣାକୁ ଅତିରଞ୍ଜିତ କରୁଛି । କଂଗ୍ରେସର ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ଦେବାଶିଷଙ୍କ ଯୁକ୍ତି କିନ୍ତୁ ଥିଲା ଭିନ୍ନ । ଏହା କଂଗ୍ରେସର ଦୋମୁହାଁ ନୀତି ବୋଲି କହି ଅନେକ ସମାଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇଥିବା ନୂଆ ପିସିସି ସଭାପତିଙ୍କୁ ଏହା ଅଡୁଆରେ ପକାଇଥିଲା । ଏହା ପରେ ଭକ୍ତ ସ୍ପଷ୍ଟ ଭାବେ କହିଛନ୍ତି, କେହି ବି ପାର୍ଟି ଲାଇନରୁ ବାହାରି ଗଣମାଧ୍ୟମରେ କିଛି ମତାମତ ଦେଇପାରିବେ ନାହିଁ । ସୂଚନାଯୋଗ୍ୟ, ପୂର୍ବତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ପତ୍ନୀ ଇପସିତା ଶତପଥୀ କିଟର ଜଣେ କର୍ମଚାରୀ । ଦୀର୍ଘ ବର୍ଷ ହେବ ସେ କିଟରେ ମ୍ୟାନେଜମେଣ୍ଟ ପ୍ରଫେସର ଅଛନ୍ତି । ଏହି ଘଟଣାରେ ସେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଇପସିତା ଶତପଥୀଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି ।