Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଦ୍ୟୁତ ବଳକା ରାଜ୍ୟରେ ବିଦ୍ୟୁତ ଉପଭୋକ୍ତା ଶୋଷିତ: ସରକାର ଆଣିବେକି ବିଦ୍ୟୁତ ସଂସ୍କାର ବିଲ ?

ସମ୍ବଲପୁର:୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ବିଦ୍ୟୁତ୍ ଦର ନେଇ ମାର୍ଚ୍ଚ ଶେଷ ସପ୍ତାହ ମଧ୍ୟରେ ଓଇଆର୍‌ସି ଆଦେଶ ଜାରି କରିବେ। ବିଦ୍ୟୁତ୍ ଦର ବଢ଼ିବ କି ଅପରିବର୍ତ୍ତିତ ରହିବ; ତାହା ଉପରେ ସମସ୍ତଙ୍କ ନଜର ରହିଛି।ତେବେ ବିଦ୍ୟୁତ ବଳକା ଓଡିଶା ଭଳି ରାଜ୍ୟରେ ଅନ୍ୟ ରାଜ୍ୟ ଅପେକ୍ଷା ୟୁନିଟ ପିଛା ସର୍ବାଧିକ ମୂଲ୍ୟ ଥିବା ବେଳେ ନୁଆଁ ସରକାର କିଛି ନୁଆଁ କରି ବିଦ୍ୟୁତ ଉପଭୋକ୍ତା ମନରେ ଆଶ୍ବତୀ ଆଣିବେ ବୋଲି ଆଶା କରାଯାଉଛି।
ବର୍ତ୍ତମାନ ମାର୍ଚ୍ଚ ଆରମ୍ଭରୁ ଅସମ୍ଭାଳ ହେଲାଣି ତାତି। ଆଗକୁ ଗ୍ରୀଷ୍ମ ପ୍ରବାହ । ମାର୍ଚ୍ଚ ରୁ ଜୁନ ଏହି ୪ ମାସ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହୋଇଥାଏ । ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଭଳି ସ୍ଥିତିରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଉପଭୋକ୍ତାଙ୍କୁ ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।ହେଲେ ବିଦ୍ୟୁତ୍ ବିତରକ କମ୍ପାନୀର ମନମାନି ଯୋଗୁଁ ବର୍ଷ ବର୍ଷ ଅଘୋଷିତ ବିଦ୍ୟୁତ୍ କାଟ୍ ଉପଭୋକ୍ତାଙ୍କୁ ସହିବାକୁ ପଡ଼ୁଛି । ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ ପାୱାର ଟ୍ରିପ୍ ନାଁରେ ଚାଲିଛି ଅଘୋଷିତ ବିଦ୍ୟୁତ୍ କାଟ୍। ହେଲେ ଏ ପାୱାର ଟ୍ରିପ କଣ ଓ କାହିଁକି ପାୱାର ଟ୍ରିପ ହୁଏ, ସେଥିପ୍ରତି କେହି ସଚେତନ ନଥିବାରୁ କମ୍ପାନୀ ପାୱାର ଟ୍ରିପ ନାମରେ ଖେଳୁଛି ଭଲ ଖେଳ।
ଏଥର ରାଜ୍ୟ ସରକାର ଖରାଦିନେ ଶୂନ୍ୟ ପାୱାର କଟ୍ ଲାଗି ବିତରକ କମ୍ପାନୀଗୁଡ଼ିକୁ ନିର୍ଦେଶ ଦେଇଥିବା ବେଳେ ଏହାର ପାଳନ ନେଇ ଆରମ୍ଭରୁ ହିଁ ଅନିଶ୍ଚିତତା ଲାଗିରହିଛି। ସେହିପରି ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କୁ ୟୁନିଟ ପିଛା ଅଧିକ ଶୁକ୍ଳ ଗଣିବାକୁ ପଡିଥାଏ। ଏହାକୁ ନେଇ ୨୦୨୩-୨୪ରେ ବଡ଼ ହୋ ଆଲ୍ଲା ବି ହୋଇଥିଲା। ଫଳରେ ରାଜ୍ୟ ସରକାର ନିରବି ଯିବାକୁ ବାଧ୍ୟ ହୋଇଥିଲେ।କିନ୍ତୁ ଆମ ରାଜ୍ୟରୁ ବିଦ୍ୟୁତ କିଣୁଥିବା ରାଜ୍ୟ ଅପେକ୍ଷା ଓଡିଶା ଉପଭୋକ୍ତାଙ୍କୁ ଅଧିକ ଅର୍ଥ ଗଣିବାକୁ ପଡୁଥିବାରୁ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି।
ସୂଚନା ଅନୁସାରେ ଓଡ଼ିଶାରେ ମୋଟ ୪୩. ୯୮୯ ମିଲିୟନ ବିଦ୍ୟୁତ ଉତ୍ପାଦିତ ହେଉଥିବାବେଳେ ୩୮, ୮୧୪ ମିଲିୟନ ୟୁନିଟ ବ୍ୟବହାର ହେଉଛି। ୫, ୧୩୫ ମିଲିୟନ ୟୁନିଟ ବିଦ୍ୟୁତ୍ ବଳକା ହେଉଥିବା ସତ୍ତ୍ୱେ ରାଜ୍ୟରେ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଜୁଳି ମିଳିପାରୁନି ଓ ଅନ୍ୟ ରାଜ୍ୟ ତୁଳନାରେ ୟୁନିଟ ପିଛା ସର୍ବାଧିକ ଟ ୫. ୮୮ଙ୍କା ଗଣିବାକୁ ପଡିଥାଏ।
ତେବେ ନିୟମ ଅନୁସାରେ ପାୱାର କଟ୍ କଲେ ଆଗୁଆ ଜଣାଇବା ଜରୁରୀ। ହେଲେ ଅଧିକାଂଶ ସମୟରେ ବିନା ଘୋଷଣାରେ ପାୱାର ଟ୍ରିପ୍‌ର ଦ୍ୱାହି ଦେଇ ବିତରକ କମ୍ପାନୀ ବିଦ୍ୟୁତ୍ କାଟ କରୁଛନ୍ତି।୨୦୧୯ରେ ହୋଇଥିବା ନିୟମ ଅନୁସାରେ ଜଣେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମାସକୁ ୧୦ ଘଣ୍ଟା ଓ ୧୫ ଥର ବିଦ୍ୟୁତ୍ କାଟ୍ ସହିବାକୁ ପଡ଼ିବ। ହେଲେ ଗତ ବର୍ଷମାନଙ୍କରେ ଏହାର ଢେରଗୁଣା ଅଧିକ ବିଦ୍ୟୁତ୍ କାଟ୍ ହୋଇଛି । ଖୋଦ୍ ବିତରକ କମ୍ପାନୀ ସତ୍ୟପାଠ ଜରିଆରେ ଏହା ସ୍ୱୀକାର କରିଛନ୍ତି । ୨୦୨୩-୨୪ ତଥ୍ୟ ଅନୁସାରେ ଜଣେ ଉପଭୋକ୍ତାଙ୍କୁ ମାସିକ ୧୦ ଘଣ୍ଟା ବଦଳରେ ହାରାହାରି ୨୩ ଘଣ୍ଟା ଓ ୧୫ ଥର ପରିବର୍ତ୍ତେ ହାରାହାରି ୩୪ ଥର ବିଦ୍ୟୁତ୍ କାଟ୍ ସହିବାକୁ ପଡ଼ିଛି। ଉତ୍ତର ଓଡ଼ିଶାରେ ମାସକୁ ୨୯ ଘଣ୍ଟା ଓ ୪୮ ଥର ବିଦ୍ୟୁତ୍ ବ୍ୟାଘାତ ଘଟୁଛି । ପଶ୍ଚିମ ଓଡ଼ିଶା ଉପଭୋକ୍ତାମାନେ ମାସକୁ ୨୫ ଘଣ୍ଟା ଓ ୩୬ ଥର ବିଦ୍ୟୁତ୍ କାଟ୍ ସହୁଛନ୍ତି। ସେହିପରି କେନ୍ଦ୍ରୀୟ ଓଡ଼ିଶାରେ ମାସିକ ୧୫ ଘଣ୍ଟା ଓ ୨୬ ଥର ବିଦ୍ୟୁତ୍ କାଟ୍ ହେଉଛି। ଦକ୍ଷିଣ ଓଡ଼ିଶାରେ ମାସକୁ ୨୨ ଘଣ୍ଟା ଏବଂ ୨୭ ଥର ବିଦ୍ୟୁତ୍ ବ୍ୟାଘାତର ସମ୍ମୁଖୀନ ହେଉଛନ୍ତି ଉପଭୋକ୍ତା । ତେବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ୍ ସର୍ବାଧିକ। ଅଘୋଷିତ ବିଦ୍ୟୁତ କାଟର କୌଣସି ହିସାବ ରହେନି।
ଚଳିତ ବର୍ଷ ଖରାଦିନେ ବିଜୁଳି ନ କଟିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।ଏପରିକି ଶୂନ୍ୟ ପାୱାର କଟ୍ ପାଇଁ ଲକ୍ଷ୍ୟ ଥିବାନେଇ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ୍ୟ ସମାନ କଥା କହିଛନ୍ତି।ତେବେ ଏହାର କାର୍ଯ୍ୟକାରିତା ସରକାରଙ୍କ ଆଭିମୁଖ୍ୟ ଓ ଦକ୍ଷତା ଉପରେ ନିର୍ଭର କରୁଛି।
ଅନ୍ୟପକ୍ଷରେ ଓଡ଼ିଶା ବଳକା ବିଦ୍ୟୁତ୍ ରାଜ୍ୟ ହୋଇଥିଲେ ହେଁ ଉପଭୋକ୍ତା ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଶୁକ୍ଳ ଦେଉଛନ୍ତି। ପିଏଫ୍‌ସି ରିପୋର୍ଟ ମୁତାବକ, ଓଡ଼ିଶାରେ ଏବେ ବିଦ୍ୟୁତ୍ ଉପଭୋକ୍ତା ବିଲ୍ ବାବଦକୁ ୟୁନିଟ ପିଛା ୫.୮୮ ଟଙ୍କା ଦେଉଛନ୍ତି। ପଞ୍ଜାବରେ ଏହି ଦର ୩.୬୯ ଟଙ୍କା, ମଧ୍ୟପ୍ରଦେଶରେ ୩.୭୭ ଟଙ୍କା, ରାଜସ୍ଥାନରେ ୩.୭୯ ଟଙ୍କା, ଝାଡ଼ଖଣ୍ଡରେ ୪.୩୭ ଟଙ୍କା, ବିହାରରେ ୪.୪୪ ଟଙ୍କା, ହରିୟାଣାରେ ୪.୮୩ ଟଙ୍କା, ତାମିଲନାଡ଼ୁରେ ୫.୮୧ ଟଙ୍କା ରହିଛି।
ସେପଟେ ଓଇଆର୍‌ସି ଅନୁମୋଦିତ ହାରାହାରି ଶୁଳ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରୁଛି। ଆଦାୟ ହୋଇଥିବା ଅଧିକ ଅର୍ଥକୁ ଉପଭୋକ୍ତାଙ୍କୁ ସୁଧ ସହ ଫେରାଇବାକୁ ଶକ୍ତି ସମୀକ୍ଷକ ଦାବି ରଖିଛନ୍ତି। ବର୍ତ୍ତମାନ ସରକାର ଉପରେ ନିର୍ଭର କରୁଛି ରାଜ୍ୟରେ ବିଦ୍ୟୁତ ସଂସ୍କାର ପାଇଁ କି ସବୁ ପଦକ୍ଷେପ ନେଇ ଡବଲ ଇଂଜିନ ସରକାର ଡବଲ ମାଇଲେଜ ନେବାକୁ ସକ୍ଷମ ହେଉଛନ୍ତି?
ତେବେ ଏରିଅର ବିଲ ନାମରେ ବିତରକ କମ୍ପାନୀରେ ଶୋଷଣ ଓ ଜୁଲୁମ ବଢୁଥିବା ବେଳେ ବିଦ୍ୟୁତ ଲାଇନ ବିଛିର୍ନ କରିବା, ଭିଜିଲାନ୍ସ ନାମରେ ଦାଦାଗିରି କରିବା ଓ ନିଜେ ଦାୟିତ୍ୱ ନେବା ପରଠୁ ଅର୍ଥ ସଂଗ୍ରହ କରିବା ବଦଲରେ ବର୍ଷ ବର୍ଷର ଏରିଅର ଦାବି କରି ନିଜର ଫୁଟାଣିଆ ଟାର୍ଗେଟ ପାଇଁ ଲାଗିଛନ୍ତି। ବର୍ଷ ବର୍ଷ ହିସାବ ବହୁ ସ୍ଥାନରେ ନଥିବା ବେଳେ ବର୍ତ୍ତମାନର ବିତରଣ ସଂସ୍ଥା ଯେଉଁଭଳି ଏରିଅର ନାମରେ ଅତ୍ୟାଚାର କରୁଛି ତାହା ସୀମା ବାହାରକୁ ଟପି ଯାଉଥିବାରୁ ସରକାର କମ୍ପାନୀ ଉପରେ ଅଙ୍କୁଶ ଲଗାଇ ବିଦ୍ୟୁତ ଉପଭୋକ୍ତାଙ୍କୁ ନ୍ୟାୟ ପ୍ରଦାନର ଭୂମିକା ନିର୍ବାହ କରିବାକୁ ସମ୍ବଲପୁର ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ସଂଘ ର ଆବାହକ ତଥା ଆଞ୍ଚଳିକ ବିଦ୍ୟୁତ ଉପଭୋକ୍ତା ସଂଘର ସାଧାରଣ ସମ୍ପାଦକ ଡା. ରାଜାରାମ ଷଡ଼ଙ୍ଗୀ, ସଭାପତି ଆଶୁତୋଷ ପଣ୍ଡା,ଉପଦେଷ୍ଟା ସୁବୋଧ କୁମାର ବେହେରା ପ୍ରମୁଖ ଦାବି କରିବା ସହିତ ଅଜା, ବାପା ଅମଳର ଏରିଅର ବିଲକୁ ସମ୍ପୂର୍ଣ୍ଣ ଛାଡ଼ କରି ବିଦ୍ୟୁତ ସଂସ୍କାର ପାଇଁ ସ୍ପଷ୍ଟ ନିୟମ ପ୍ରଣୟନ କରି ବିଦ୍ୟୁତ ଉପଭୋକ୍ତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଆଶା ପୋଷଣ କରିଛନ୍ତି।