ସର୍ବ ପୁରାତନ ସାହି ନୂଆସାହିରେ ମା ‘ପାଟ୍ଟଖଣ୍ଡା ଙ୍କ କୃଷି ଭିତ୍ତିକ କାନ୍ଦୁଲ ଭଜା ଯାତ୍ରା


ବାଲିଗୁଡ଼ା, ତା, ୧୮/୦୩: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାର ସର୍ବ ପୁରାତନ ସାହି ନୁଆସାହି ରେ ପାରମ୍ପରିକ ମା ‘ପାଟ୍ଟଖଣ୍ଡା ଙ୍କ କୃଷି ଭିତ୍ତିକ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପଶ୍ଚିମ ଓଡ଼ିଶାରେ ହେଉଥିବା ଗଣପର୍ବ ନୂଆଖାଇ ଭଳି ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ ଦୀର୍ଘ ହଜାରେ ବର୍ଷ ରୁ ଉର୍ଦ୍ଧ୍ବ ହେବ ଏହି କାନ୍ଦୁଲ୍ ଭଜା ଯାତ୍ରା ପୀଢ଼ି ପରେ ପୀଢ଼ି ମା ‘ପାଟ୍ଟଖଣ୍ଡା ଓ ମା ‘ବରାଳ ଦେଵୀ ପୀଠରେ ପାଳିତ ହୋଇଆସୁଛି l ଏହା ମଧ୍ୟ ଗଣ ପର୍ବ ଭାବରେ ବିଦିତ l ସର୍ବ ପ୍ରଥମେ ମହାସିଙ୍ଗି ଗଡ଼ରେ କାନ୍ଦୁଲ ଯାତ୍ରା ପରେ ଅନ୍ୟ ଅଞ୍ଚଳ ରେ ଯାତ୍ରା ହେବାର ଵିଧି ରହିଛି, ଧରଣୀ ପେନୁ ଯାତ୍ରା ଶେଷ ହେଲା ପରେ ଏହି ଯାତ୍ରା ଆୟୋଜିତ ହେବାର ପ୍ରଥା ରହିଛି, ପରମ୍ପରା ଅନୁଯାୟୀ ନୁଆଁ କାନ୍ଦୂଲ ଓ ଶିମ୍ବ ମଞ୍ଜି କୁ ଭାଜି ଲିଆ ଉଖୁଡା ନଡିଆ ଭୋଗ ସହିତ ବଣୁଆ ପଳାସ ଫୁଲ ଧାଧୁନ ଫୁଲ କୁ ପୂଜାର୍ଚ୍ଚନା କରି ମାଆ ଙ୍କୁ ଅର୍ପଣ କରାଯାଏ l ନୂଆ ବସ୍ତ୍ର ପରିଧାନ କରି ଭକ୍ତ ଓ ଶ୍ରଦ୍ଧାୁଳୁ ମାନେ ଏହି ପୂଜା ପରେ ଘରେ ସମସ୍ତେ ମିଳିମଶି ପ୍ରସାଦ ସେବନ କରନ୍ତି l ମାନସିକ ଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ପୀଠ ରେ ବୋଦା ଏବଂ ବରାଳଦେବୀ ଙ୍କ ନିକଟରେ କୁକୁଡ଼ା ମଧ୍ୟ ବଳୀ ଦିଅନ୍ତି l ଏହା ଏକ କୃଷି ଭିତ୍ତିକ ପର୍ବ ଅଟେ l ପୂର୍ବରୁ ମା’ ପାଟଖଣ୍ଡା ଙ୍କୁ ଆଦିବାସୀ ମାନେ ପୁଜା କରୁଥିଲେ l କାଳକ୍ରମେ ପାଇକ ଖଣ୍ଡାୟତ ଓ କ୍ଷତ୍ରିୟ ବଂଶ ଧର ପୂଜାର୍ଚ୍ଚନା କରି ଆସୁଛନ୍ତି l ହଜାର ବର୍ଷ ରୁ ଉର୍ଦ୍ଧ ହେବ ଏହି ପାରମ୍ପରିକ ଯାତ୍ରା ହୋଇ ଆସୁଛି l ପ୍ରତ୍ୟେକ ବର୍ଷଭଳି ଚଳିତ ଫଗୁଣ ମାସ ମଙ୍ଗଳ ବାର ଦିନ ରେ ବାଲିଗୁଡା ଉପଖଣ୍ଡ ର ସର୍ବ ବୃହତ୍ତମ ଏବଂ ସର୍ବ ପୁରାତନ ସାହି ପ୍ରଚଳିତ ରୀତିନୀତି ଅନୁସାରେ ଗ୍ରାମ୍ୟକମିଟି ପକ୍ଷରୁ ଯାତ୍ରା ଆୟୋଜିତ ହୋଇଯାଇଛି l