ବାରିପଦା: ପେଟର ଭୋକ ସହି ହେଲାନି । ନାତିର ଭୋକିଲା ପେଟକୁ ଲୁହ ଭିଜା ଆଖି ଛାତିକୁ ଚିରି ଦେଉଥିଲା । ଦୁଇ ବେଳା ଖାଇବା ଜୋଗାଡ଼ କରିବା ଥିଲା ମୃତ୍ୟୁ ସହ ସଂଘର୍ଷ କରିବା ପରି । ମୁଣ୍ଡ ଉପରେ ଛାତ ନଥିବାରୁ କେତେବେଳେ ବସଷ୍ଟାଣ୍ଡ ତ ଆଉ କେତେ ବେଳେ ପର ପିଣ୍ଡାରେ ମୁଣ୍ଡ ଗୁଞ୍ଜି ରାତି କଟାଉଥିଲେ । ଏମିତି ସ୍ଥିତିରେ ପଣତ ଢାଙ୍କି ରଖିଥିବା ନାତିକୁ ମାତ୍ର ୨୦୦ ଟଙ୍କାରେ ବିକ୍ରି କରି ଦେଇଛନ୍ତି ବୁଢ଼ି ଜେଜେମାଆ । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ ଅନ୍ତର୍ଗତ ବଳଦିଆ ଗ୍ରାମରେ । ନିଜ କଥା ଛାଡ଼ନ୍ତି, ଭୋକରେ ମରିବା ବଦଳରେ ନାତି କେମିତି ଦୁଇ ବେଳା ଖାଇ ବଞ୍ଚି ଯିବ ସେହି ଚିନ୍ତାରେ ପର ହାତକୁ ନାତିକୁ ଟେକି ଦେଇଛନ୍ତି ବଳଦିଆ ଗାଁର ମନ୍ଦ ହେମ୍ବ୍ରମ ।
ମନ୍ଦଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟି ସାରିଛି । ଶାଶୂ ଘରେ ଜାଗାବାଡ଼ି ନଥିବାରୁ ସେ ରାସଗୋବିନ୍ଦପୁର ବ୍ଲକ୍ ଛାତନା ପଞ୍ଚାୟତ ରାଇପାଳ ଗାଁରେ ୨୦୦୮ ମସିହାଠାରୁ ସାନ ଭଉଣୀ ଓ ଭଉଣୀ ଜ୍ୱାଇଁଙ୍କ ଘରେ ରହୁଥିଲେ । ତେଣୁ, ପାଞ୍ଚ ବର୍ଷର ନାତିଟିକୁ ଧରି ଏଣେ ତେଣେ ମୁଣ୍ଡ ଗୁଞ୍ଜୁଥିଲେ ମନ୍ଦ । ଭିକ ମାଗି ବସ୍ଷ୍ଟାଣ୍ଡରେ ରହୁଥିଲେ । କିଏ କେତେବେଳେ ଦୟା ଦେଖାଇ ମୁଠେ ଦେଇ ଦେଲେ ସେ ନିଜେ ଖାଆନ୍ତି ଆଉ ନାତି ତୁଣ୍ଡରେ ବି ଦେଉଥିଲେ । ମନ୍ଦଙ୍କ କହିବା କଥା ନାତିର କଷ୍ଟ ଦେଖି ସେ ଆଉ ସହିପାରିଲେନି । ଜଣେ ଲୋକ ନିଜର ପିଲା ନାହିଁ ବୋଲି କହି ବାରମ୍ବାର ଆସି ଦେଖା କରିଥିଲା । ମୋ ନାତିକୁ ନେଇ ଭଲରେ ରଖିବ ବୋଲି କହିଲା । କାଲି ରାତିରେ ସେ ନେଇଯାଇଛି । ଆଉ ମୋତେ ୨୦୦ ଟଙ୍କା ଦେଇଯାଇଛି । ଆଉ କାଗଜରେ ଫୋନ୍ ନମ୍ବର ଲେଖି ଦେଇଛି ବୋଲି କାନ୍ଦିକାନ୍ଦି କହିଛନ୍ତି ମନ୍ଦ ।