ବଲାଙ୍ଗୀର: ଟଙ୍କା ନେଣ ଦେଣକୁ ନେଇ ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଠେଙ୍ଗାରେ ପିଟି ପିଟି ନେଇଗଲା ଜୀବନ । ଏମିତି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁଟୁଳାମହୁଲ ଗାଁରେ । ମୃତକ ହେଲେ ବନ୍ଦେଇପଦର ଗାଁର ସୁଶୀଲ ସାହୁ । ହତ୍ୟା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି ।
ଅଭିଯୋଗ ଅନୁସାରେ, ସୁଶୀଲ ଗତକାଲି ପୁଟୁଳାମହୁଲ ଗାଁକୁ ଯାଇଥିଲେ । ସେହି ଗାଁର ପିଣ୍ଟୁ ସାହୁଙ୍କ ସହ ବସି ମଦପାନ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ପିଣ୍ଟୁ ଏକ ଠେଙ୍ଗାରେ ସୁଶୀଲଙ୍କୁ ପିଟି ପିଟି ହତ୍ୟା କରିଥିଲା । ଏହି ଘଟଣାରେ ଆଉ ଜଣେ ଯୁବକଙ୍କ ଆଖିରେ ମଧ୍ୟ ଆଘାତ ଲାଗିଥିବା ଜଣାପଡିଛି ।
ପିଣ୍ଟୁ ଓ ସୁଶୀଲ ଭଲ ସାଙ୍ଗ ଥିଲେ । କେଉଁ କାରଣ ପାଇଁ ଏମିତି ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନି । ତଥାପି ଟଙ୍କା ନେଣଦେଣକୁ ନେଇ ବଚସାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଏବେ ଅଭିଯୁକ୍ତ ପିଣ୍ଟୁ ଫେରାର ଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।