Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିନବ କୃଷି ଗବେଷଣା ସଂସ୍ଥା ଦ୍ୱାରା ଆୟୋଜିତ ବାର୍ଷିକ କୃଷକ ସମ୍ମିଳନୀ

ସମ୍ବଲପୁର:ଅଭିନବ କୃଷି ଗବେଷଣା ସଂସ୍ଥା ଦ୍ୱାରା ଆୟୋଜିତ ବାର୍ଷିକ କୃଷକ ସମ୍ମିଳନୀ ୨୦୨୫ ଆଜି ସମ୍ବଲପୁରର ଧମା ସ୍ଥିତ AI-Bio Farm ରେ ଉତ୍ସାହ ଭରା ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମ୍ବଲପୁର, ବରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରୁ 70ରୁ ଅଧିକ କୃଷକ ଯୋଗ ଦେଇ ଆଧୁନିକ ଜ୍ଞାନକୌଶଳ ଓ ସଫଳତା କାହାଣୀ ଆଦାନ-ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡା. ଅଜୟ ତ୍ରିପାଠୀ, ଆସିଷ୍ଟାଣ୍ଟ ପ୍ରଫେସର, ଗଙ୍ଗାଧର ମେହେର ମହାବିଦ୍ୟାଳୟ, ସମ୍ବଲପୁର ଏବଂ ସମ୍ମାନନୀୟ ଅତିଥି ଭାବେ ସିତାକାନ୍ତ ବେହେରା, ସଂସ୍ଥାପକ, ଉତ୍କର୍ଷ ନେଚର୍ ଭିଲେଜ଼, ଗୋବର୍ଦ୍ଧନ ବଡ଼ମାଲ ଯୋଗ ଦେଇଥିଲେ। ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହିତ, ମଞ୍ଚ ପରିଚାଳନାରେ ପ୍ରିୟ୍ନାଶୁ ବସ୍ତିଆ ଏବଂ ହରିଶ ଦେବତା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ସକାଳ ୯ ଟାରୁ ଅଂଶଗ୍ରହୀ କୃଷକ ଓ ଅତିଥିମାନଙ୍କ ନାମ ଲେଖା ପ୍ରକ୍ରିୟା ସହିତ କାର୍ଯ୍ୟକ୍ରମର ସୁଭାରମ୍ଭ କରି ଡା଼ ଅଭିଳାଷ ପଧାନ, ମାନେଜିଙ୍ଗ ଟ୍ରଷ୍ଟି, ଅଭିନବ କୃଷି ଗବେଷଣା ସଂସ୍ଥା, ସମ୍ବଲପୁର ମଞ୍ଚର ଭାର ନେଇ ସଂସ୍ଥାପକ ଶ୍ରୀ କୈବଲ୍ୟ ପ୍ରଧାନ, ମୁଖ୍ୟ ଅତିଥି, ସମ୍ମାନନୀୟ ଅତିଥି ସହ ସଂସ୍ଥାର ଟ୍ରଷ୍ଟି ସଦସ୍ୟମାନଙ୍କୁ ମଞ୍ଚରେ ଆମନ୍ତ୍ରଣ କରିଥିଲେ। ସମ୍ମିଳନୀରେ ଶ୍ରୀ କୈବଲ୍ୟ ପ୍ରଧାନ ସ୍ଵାଗତ ଭାଷଣରେ କୃଷକଙ୍କ ମଧ୍ୟରେ ଉଦ୍ଭାବନଶୀଳ କୃଷିର ଉପଯୋଗିତା ବିଷୟରେ ଉଲ୍ଲେଖ କରିଥିଲେ। ଜଟା ଭୂଷଣ ସାହୁ (ଟ୍ରଷ୍ଟି ସଦସ୍ୟ) ସଂସ୍ଥାର ଦୃଷ୍ଟିକୋଣ ଓ ଲକ୍ଷ୍ୟକୁ ସ୍ପଷ୍ଟ କରି କୃଷିକୁ ଅଧିକ ଲାଭକାରୀ କରିବା ପାଇଁ ସମାଲୋଚନା କରିଥିଲେ। ଅତିଥିମାନେ ଆଧୁନିକ ପ୍ରଯୁକ୍ତି ବ୍ୟବହାର କରି କୃଷିକୁ ଏକ ନୂତନ ଦିଗରେ ନେବା ପ୍ରୟାସରେ ଜୋର ଦେଲେ।
ଦିନର ସ୍ପେଶାଲ୍ ଆକର୍ଷଣ ଥିଲା ଲୁତନ କୁମାର ସାହୁ ଓ ଆଶିଷ ଖମାରୀଙ୍କ ସଫଳତା କାହାଣୀ। କୃଷି ଉଦ୍ୟମକୁ ଉତ୍ସାହିତ କରିବା ପାଇଁ ଏବଂ ଶ୍ରେଷ୍ଠ କୃଷି ଉଦ୍ୟମୀ ଲୁତନ କୁମାର ସାହୁ, ଲଖନପୁର, ଝାରସୁଗୁଡ଼ା ଓ ଆଶିଷ ଖମାରୀ, ଧମା, ସମ୍ବଲପୁର ଙ୍କୁ ସମ୍ମାନିତ କରିବା ପାଇଁ “Best Agri-Entrepreneur Award: 2025” ପ୍ରଦାନ କରାଯାଇଥିଲା। ୪୫ ବର୍ଷ ବୟସ୍କ ଆଶିଷ ଖମାରୀ ଏକ ଆଇଟି ପ୍ରୋଫେସନାଲ, ତାଙ୍କ “AI Bio Farm” ରେ ଅନୁଷ୍ଠିତ ଏହି ବୈଠକରେ ଅପରାହ୍ନ ୩ଟାରୁ କୃଷକମାନେ AI-Bio Farmରେ ବିଭିନ୍ନ ପ୍ରାକୃତିକ ବୃକ୍ଷ ପ୍ରଜାତି, ଫଳ ପ୍ରଜାତି ଯେମିତି ମୋସମ୍ବି, ମିଠା କମଳା, ସପେଟା, ଥାଇ ଆପଲ ବେର, ଥାଇ ସିଡ୍ ଲେସ୍ ଲେମ୍ବୁ, କାଗଜି୍ ଲେମ୍ବୁ, ସଜନା (ପିକେଏମ 3), ନଡ଼ିଆ (ମାଲେସିଆନ୍ ଗୋଲ୍ଡେନ୍, ଗ୍ରିନ୍ ଡ୍ୱାର୍ଫ୍), ଥାଇ ପିଙ୍କ୍ ପଣସ, ଆମ୍ବ (ବାଇଗଣପଲ୍ଲି, ହାଫୁସ୍, କେଶର, ମଲ୍ଲିକା, ଥାଇ ଅଲ୍ ଟାଇମ୍, ଥାଇ କିଙ୍ଗ), ଏବଂ ଟିସ୍ୟୁ-କଲ୍ଚର୍ ବାଉଁଶ (Bambusa balcooa), ଗ୍ରାଫ୍ଟେଡ୍ ବାଇଗଣ ଏବଂ ଟମାଟୋ, କଫି ଇତ୍ୟାଦି ଉତ୍ସାହ ସହ ଭ୍ରମଣ କରିଥିଲେ। ହରିଶ ଦେବତା (PhD, ଆଗ୍ରୋଫୋରେଷ୍ଟ୍ରି) ଙ୍କ ନେତ୍ରୁତ୍ବରେ କୃଷକମାନେ ଫାର୍ମ ରେ ସଂରକ୍ଷିତ ସ୍ଥାନୀୟ ପ୍ରଜାତି ମହୁଲ (Madhuca Longifolia), କୁସୁମ (Schleichera oleosa ), ହରଡ଼ (Terminalia chebula ), ବାହାଡ଼ା (Terminalia bellirica ),‌ ଅଁଳା (Phyllanthus emblica ), ଚିରୋନ୍ଜି (Buchanania lanzan ), କେନ୍ଦୁ (Diospyros melanoxylon) ଆଦି ଜଙ୍ଗଲି ଗଛମାନଙ୍କର ଉପକାରିତା ବିଷୟରେ ଜ୍ଞାନ ଅର୍ଜନ କରିଥିଲେ।
ଦିନ ଶେଷରେ, ଶ୍ରୀମତୀ ସୁକାନ୍ତି ଗଡ଼ତିଆ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷିକା, ଦେଓଗଡ଼, ଧନ୍ୟବାଦ ଜଣାଇ ସମ୍ମିଳନୀର ସମାପନ କରିଥିଲେ। ଏହି ପ୍ରସଙ୍ଗରେ ସମସ୍ତ ଅତିଥି ଓ କୃଷକମାନେ ଆଗାମୀରେ ମଧ୍ୟ ଏହିପରି ଅନୁଷ୍ଠାନରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଅଭିନବ କୃଷି ଗବେଷଣା ସଂସ୍ଥା ଦ୍ୱାରା ଆୟୋଜିତ ଏହି କୃଷକ ସମ୍ମିଳନୀ ନିଶ୍ଚୟ ଏକ ନୂତନ ମାର୍ଗରେ କୃଷକମାନଙ୍କୁ ଅଗ୍ରସର କରିବାରେ ସାହାଯ୍ୟ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ