Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁରୀ ଭାଷାକୁ ରାଜ୍ୟରେ ଦ୍ଵିତୀୟଭାଷାର ମର୍ଯ୍ୟାଦା ଦାବି, ତୀବ୍ର ହେଲା ସ୍ୱର

ସମ୍ବଲପୁର: ସମ୍ବଲପୁରୀ ଭାଷାସଂସ୍କୃତିକୁ ଓଡ଼ିଶାର ମହତ୍ତ୍ବପୂର୍ଣ୍ଣ ଅଂଶ ଓ ଗୌରବ ଭାବେ ବିବେଚନା କରି ଓଡ଼ିଶା ସରକାର ଏଥିପ୍ରତି ଥିବା ନିଜର ସାମ୍ବିଧାନିକ ଦାୟିତ୍ଵ ନିର୍ବାହ କରିବାକୁ ହୀରାଖଣ୍ଡ ସାମ୍ମୁଖ୍ୟ ଦାବି କରି ସ୍ବରକୁ ତୀବ୍ର କରିଛି ।
ସମ୍ବଲପୁରୀ ଭାଷା ରାଜ୍ୟର ଦେଢ଼କୋଟିରୁ ଊର୍ଦ୍ଧ୍ଵ ଲୋକଙ୍କ ଭାଷା । ଏଥିଭାଷାରେ ପ୍ରଚୁରମାତ୍ରାରେ କଳା,ସାହିତ୍ୟ ସୃଷ୍ଟି ହୋଇଛି। ପ୍ରତି ବର୍ଷ ଶହ ଶହ ସଂଖ୍ୟାରେ ସମ୍ବଲପୁରୀ ପୁସ୍ତକ ପ୍ରକାଶ ପାଉଛି। ବାର୍ଷିକ ୫୦ରୁ ଊର୍ଦ୍ଧ୍ବ ସମ୍ବଲପୁରୀ ନାଟକ ରଚନା ଓ ମଞ୍ଚସ୍ଥ କରାଯାଉଛି। ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଗତ ସରକାର ଦୁଇଥର କେନ୍ଦ୍ର ସରକାରଙ୍କୁ ସୁପାରିଶ କରି ସାରିଛନ୍ତି।ଏପରିକି ସମ୍ବଲପୁରୀକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ଶୀର୍ଷକରେ ଜାରି ବିଜେପିର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରାଯାଇଥିଲା। ତେଣୁ ରାଜ୍ୟ ସରକାର କାଳ ବିଳମ୍ବ ନ କରି ଏ ଦିଗରେ ଅଗ୍ରସର ହୋଇ ଡବଲ ଇଞ୍ଜିନ ସରକାରର ମହତ୍ତ୍ଵ ପ୍ରତିପାଦିତ କରନ୍ତୁ ବୋଲି ସମ୍ବଲପୁରୀ ଭାଷା ସାହିତ୍ୟର ସୁରକ୍ଷା ପାଇଁ ଚିନ୍ତାଶୀଳ ବୁଦ୍ଧିଜୀବୀଙ୍କ ସ୍ୱର ତୀବ୍ର ଓ ଶାଣିତ ହୋଇଛି।
ସମ୍ବଲପୁରୀ ଭାଷାକୁ ନେଇ ଗୌରବର ଭାବନା ରଖି ସରକାର ଏହାକୁ ରାଜ୍ୟର ଦ୍ବିତୀୟଭାଷାର ମର୍ଯ୍ୟାଦା ଦିଅନ୍ତୁ ବୋଲି ହୀରାଖଣ୍ଡ ସାମ୍ମୁଖ୍ୟ ଦାବି କରିଛି। ଉତ୍କଳ ନାମରେ ନାମ ରାଜ୍ୟ ସଙ୍ଗୀତକୁ ଆମେ କେବେ ହେଲେ ସ୍ୱୀକାର କରିନାହୁଁ କିମ୍| କରିବୁ ନାହିଁ ବୋଲି ରୋକଠୋକ ଶୁଣାଇ ଦିଆଯାଇଛି।ଭୋଜପୁରୀ ଯେଭଳି ତାର ଭାଷା ସହ ପ୍ରସ୍ଫୁଟିତ, ପଲ୍ଲବିତ ହେଉଛି, ସମ୍ବଲପୁରୀ ମଧ୍ୟ ସେଭଳି ମର୍ଯ୍ୟାଦା, ମାନ୍ୟତାର ଆଦର ଓ ପ୍ରୋତ୍ସାହନ ପାଇବାର ହକଦାର।ସମ୍ବଲପୁରୀ ଐତିହ୍ୟ, ଭାଷା, ସଂସ୍କୃତି, ପରମ୍ପରା ଓ ପରିଚୟକୁ ଅକ୍ଷୁଣ୍ଣ ରଖିବା ଦିଗରେ ସକଳ ପଶ୍ଚିମ ଓଡ଼ିଶାବାସୀ ସଚେତନ ଓ ଜାଗ୍ରତ । ଏସବୁକୁ ଉତ୍କଳୀୟ ଐତିହ୍ୟ ଓ ପରିଚୟରେ ବିଲୀନ ଘଟାଇବାର ଉପକ୍ରମକୁ ଏଠାରେ ଜୋରଦାର ବିରୋଧ କରାଯାଇଥିବା ସହ ଆଗକୁ ଏହା ଜାରି ରହିବ ବୋଲି ଗୁରୁବାର ନିଷ୍ପତ୍ତି ହୋଇଛି।ଭାଷା ସଂସ୍କୃତି ଭଳି ସମ୍ବେଦନଶୀଳ ବିଷୟରେ ରାଜ୍ୟ ସରକାର ଅସୂୟା ମନୋଭାବ ପୋଷଣ କଲେ ପରିସ୍ଥିତି ଆଗକୁ ଭୟାବହ ହେବ ଓ ନିର୍ଣ୍ଣାୟକ ନିଷ୍ପତ୍ତି ନେବାରୁ ପଛଘୁଞ୍ଚା ଦିଆଯିବ ନାହିଁ ବୋଲି ସାମ୍ମୁଖ୍ୟର ସଭାପତି ରାମାନୁଜ ପଣ୍ଡା ଚେତାବନୀ ଦେଇଛନ୍ତି।ରାମାନୁଜଙ୍କ ସହ ସମଗ୍ର ପଶ୍ଚିମ ଓଡ଼ିଶା ବାସୀ ସମ୍ବଲପୁରୀ ଭାଷା ସାହିତ୍ୟର ସୁରକ୍ଷା ଓ ମାନ୍ୟତା ଉପରେ ଯୋର ଦେଉଥିବାରୁ ରାଜ୍ୟ ସରକାର ନିଜ ନିଷ୍ପତ୍ତି ଓ ଆଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ସଚେତନ ମହଲରେ ଦାବି ହେଉଛି।