ଭୁବନେଶ୍ବର: ଏସବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର । ବଦଳିଲା ଏସବିଆଇ ATM ଟ୍ରାଞ୍ଜାକ୍ସନ ନିୟମ । ଏଟିଏମ୍ ଟ୍ରାଞ୍ଜାକ୍ସନ ଫି ଆଉ ଏହାର ଫ୍ରି ୟୁଜ୍ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି ଏସବିଆଇ । ପୂର୍ବରୁ ଏସବିଆଇରୁ ଅତିରିକ୍ତ କାରବାର ପାଇଁ ୨୧ ଟଙ୍କା ସହିତ ଜିଏସଟି ଚାର୍ଜ କରୁଥିଲା । କିନ୍ତୁ ନିୟମ ପରିବର୍ତ୍ତନ କରିବା ପରେ, ଯଦି ଆପଣ ଅନ୍ୟ ବ୍ୟାଙ୍କର ଏଟିଏମରୁ ସର୍ବାଧିକ ଟ୍ରାଞ୍ଜାକ୍ସନ ସୀମା ଅତିକ୍ରମ କରନ୍ତି, ତେବେ ଆପଣଙ୍କୁ ଅଧିକ ଚାର୍ଜ ଦେବାକୁ ପଡିବ ।
ଏସବିଆଇର ନୂଆ ନିୟମ ଅନୁସାରେ, ସେଭିଂ ଆକାଉଣ୍ଟରେ ଆଭରେଜ୍ ମନ୍ଥଲି ବାଲାନ୍ସ ଅନୁସାରେ ଏଟିଏମ୍ ଫ୍ରି ଟ୍ରାଞ୍ଜାକ୍ସନ ମିଳିବ । ସବୁ ଆକାଉଣ୍ଟଧାରୀଙ୍କୁ ଏସବିଆଇ ଏଟିଏମରୁ ମାଗଣା ୧୦ ଥର ଟ୍ରାଞ୍ଜାକ୍ସନ ମିଳିବ । ସେହିପରି ଅନ୍ୟ ଏଟିଏମରୁ ଏସବିଆଇର ଗ୍ରାହକମାନେ ମାଗଣାରେ ୫ ଥର ଟ୍ରାଞ୍ଜାକ୍ସନ କରିପାରିବେ । ଯଦି ଏହାଠାରୁ ଅଧିକ ଥର ଟ୍ରାଞ୍ଜାକ୍ସନ ହୁଏ ତେବେ ଏଥିପାଇଁ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଦେବାକୁ ପଡିବ ।
ଯଦି ଆପଣଙ୍କ ଏସବିଆଇ ଆକାଉଣ୍ଟରେ ହାରାହାରି ମାସିକ ରାଶି (AMB) ୨୫ରୁ ୫୦ ହଜାର ଭିତରେ ରହୁଛି, ତେବେ ଆପଣଙ୍କୁ ଅତିରିକ୍ତ ୫ଟି ଅଧିକ ଟ୍ରାଞ୍ଜାକ୍ସନ ମିଳିବ । ସେହିପରି ମାସିକ ରାଶି ୫୦ ହଜାରରୁ ଲକ୍ଷେ ଟଙ୍କା ଭିତରେ ରହୁଥିଲେ ଆଉ ୫ଟି ଅତିରିକ୍ତ କାରବାର କରିବାର ସୁଯୋଗ ମିଳିବ । ଏହାସହ ଯେଉଁ ଏସବିଆଇ ୟୁଜର୍ସଙ୍କ ହାରାହାରି ମାସିକ ରାଶି ଲକ୍ଷେ ଟଙ୍କାରୁ ଅଧିକ ସେମାନେ ଅନଲିମିଟେଡ୍ ଫ୍ରି ଟ୍ରାଞ୍ଜାକ୍ସନର ସୁବିଧା ଉଠାଇପାରିବେ ।
ଏସବିଆଇ ବାଲାନ୍ସ ଇନକ୍ୱାରୀ, ମିନି ଷ୍ଟେଟମେଣ୍ଟ ଭଳି ସେବା ପାଇଁ କୌଣସି ଚାର୍ଜ କରି ନଥାଏ । ହେଲେ ଯଦି ଆପଣ ଏହି ସବୁ ସେବା ଅନ୍ୟ ଏଟିଏମରୁ ଉଠାଉଛନ୍ତି, ତେବେ ଆପଣଙ୍କୁ ପ୍ରତି ଟ୍ରାଞ୍ଜାକ୍ସନ ପିଛା ୧୦ ଟଙ୍କା ସହିତ ଜିଏସଟି ଦେବାକୁ ପଡିବ । ଏହାସହ ଟଙ୍କା ନଥିବାରୁ ଯଦି ଆପଣଙ୍କର ଟ୍ରାଞ୍ଜାକ୍ସନ ଫେଲ୍ ହେଉଛି, ତେବେ ଏଥିପାଇଁ ଜରିମାନା ବାବଦରେ ୨୦ ଟଙ୍କା ଚାର୍ଜ କରିବ ଏସବିଆଇ । ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏହି ନୂଆ ନିୟମ ଆସନ୍ତା ମେ’ ମାସ ୧ ତାରିଖରୁ ଲାଗୁ ହେବାକୁ ଯାଉଛି ।