Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତଃ ଜିଲ୍ଲା ପେନସନ ଅଦାଲତ:୪ ଜିଲ୍ଲାରୁ ୫ ଶହରୁ ଉର୍ଦ୍ଧ୍ୱ ଅଭିଯୋଗ ଶୁଣାଣିରେ ନେଲେ ଭାଗ

ସମ୍ବଲପୁର:ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଓ ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଆନୁକୂଲ୍ୟରେ ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ସହଯୋଗରେ ଆନ୍ତଃ ଜିଲ୍ଲା ପେନସନ ଅଦାଲତ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଏହି ପେନସନ ଅଦାଲତରେ ସମ୍ବଲପୁର,ବରଗଡ଼, ଦେଓଗଡ଼ ଓ ଝାରସୁଗୁଡା ଜିଲ୍ଲାର ପାଞ୍ଚ ଶହରୁ ଅଧିକ ପେନସନ ଓ ଭବିଷ୍ୟନିଧି ମଞ୍ଜୁରକର୍ତ୍ତା ଏବଂ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଅବସରକାଳୀନ ବକେୟା ପ୍ରାପ୍ୟ ଅଭିଯୋଗ ଶୁଣାଣିରେ ଭାଗ ନେଇଥିଲେ l ଏହି ପେନସନ ଅଦାଲତରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ), ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦେଶକ ଶ୍ରୀ ନିହାର ରଞ୍ଜନ ଦାଶ, ପେନସନ ଓ ଭବିଷ୍ୟନିଧି ଉପ ମହାଲେଖାକାର ଶ୍ରୀ ସଞ୍ଜୟ କୁମାର,ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଟର ଅତିରିକ୍ତ ସଚିବ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ,ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ବେଦଭୂଷଣ(ଭା.ପ୍ର.ସେ),ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ କୁମାର ଭୋଇ,ଉପ ଲେଖା ନିୟନ୍ତ୍ରକ,ଉପ ନିର୍ଦ୍ଦେଶକ ଶ୍ରୀ ଅସିତ କୁମାର ପାଣି, ବରିଷ୍ଠ ଲେଖା ଅଧିକାରୀ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ଶ୍ରୀ ସୁଦାମ ସେଠୀ ଯୋଗ ଦେଇଥିଲେ l ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସମ୍ବଲପୁର ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କ ଅବସରକାଳୀନ ବକେୟା ପ୍ରାପ୍ୟ ଯେପରି ତୁରନ୍ତ ସମାଧାନ କରାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ l ଉପ ମହାଲେଖାକାର ସଞ୍ଜୟ କୁମାର ଅବସର ନେବାକୁ ଥିବା କର୍ମଚାରୀମାନଙ୍କର ଅବସରକାଳୀନ ପ୍ରାପ୍ୟ ଆବେଦନପତ୍ର ଏଜି କାର୍ଯ୍ୟାଳୟକୁ ଅବସର ପୂର୍ବରୁ ପଠାଇବାକୁ ସବୁ ଜିଲ୍ଲାର ପେନସନ ମଞ୍ଜୁରକର୍ତ୍ତାଙ୍କୁ ଅନୁରୋଧ ଜଣାଇଥିଲେ, ଯାହାଫଳରେ ଅବସରପ୍ରାପ୍ତ କର୍ମଚାରୀ ଅବସର ନେଲାପରେ ସେମାନଙ୍କର ପେନସନ, ଗ୍ରାଚୁଇଟି ଓ ଭବିଷ୍ୟନିଧି ପ୍ରାପ୍ୟ ପ୍ରଦାନ କରାଯାଇ ପାରିବ l ନିର୍ଦେଶକ ଶ୍ରୀ ଦାଶ ରାଜ୍ୟ ସରକାର ଅବସର ପ୍ରାପ୍ତ କର୍ମଚାରୀଙ୍କ ଅବସରକାଳୀନ ଦେୟ ଯେପରି ତୁରନ୍ତ ଫଇସଲା ହୋଇପାରିବ ସେଥିପ୍ରତି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ଓ ଯେଉଁ ଅଧିକାରୀମାନେ ଏହି ଲକ୍ଷ୍ୟରୁ ବିଚ୍ୟୁତ ହେବେ ସରକାର ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚାଇ ଦେଇଥିଲେ l ପ୍ରାରମ୍ଭରେ ଏଜି କାର୍ଯ୍ୟାଳୟ ପକ୍ଷରୁ ଏହି ଚାରୋଟି ଜିଲ୍ଲାରେ ବିଭିନ୍ନ କାରଣ ପାଇଁ ଅଟକି ଥିବା ପେନସନ, ଗ୍ରାଚୁଇଟି ଓ ଭବିଷ୍ୟନିଧି ଓ ଏହାର ସମାଧାନ ପାଇଁ ପିପିଟି ମାଧ୍ୟମରେ ଦର୍ଶାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସହକାରୀ ଲେଖା ଅଧିକାରୀ ମନିଷ କୁମାର, ସୌମ୍ୟ ରଞ୍ଜନ ମହାରଣା, ପୁରୁଷୋତ୍ତମ ବଳ, ଜାମି ସଞ୍ଜୟ କୁମାର, କୌଶିକ କୁମାର କବି ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପରିଚାଳନା କରିଥିଲେ l ଏହି ଅବସରରେ ଓଡିଶା ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ପେନସନ ସମ୍ୱନ୍ଧୀୟ ଅଭିଯୋଗ ଶୁଣାଣି କରାଯାଇଥିଲା l ସୂଚନା ଅନୁଯାୟୀ ପେନସନ ସମ୍ୱନ୍ଧୀୟ ଅଭିଯୋଗ ଶୁଣାଣି ଠାରେ ୨୧୭ ଟି ପେନସନ ସମ୍ୱନ୍ଧୀୟ ଅଭିଯୋଗ, ୨୬୯ ଟି ସାଧାରଣ ପ୍ରୋଭିଡେଣ୍ଟ୍ ପାଣ୍ଠି ସମ୍ୱନ୍ଧୀୟ ଅଭିଯୋଗ, ୮୧ ଜିପିଏଫ ଆରବି ଅଭିଯୋଗ ପ୍ରାପ୍ତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ