ପଣା ସଂକ୍ରାନ୍ତିରେ ପରମ୍ପରା ଅନୁଯାୟୀ ଆଜିଠାରୁ ପ୍ରଚଳନ ହୋଇଛି ନୂଆ ପଞ୍ଜିକା। ପଣା ସଂକ୍ରାନ୍ତିକୁ ଓଡ଼ିଶାରେ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଉଥିବା ବେଳେ ଏବର୍ଷ ରାଜ୍ୟ, ଦେଶ ଓ ବିଶ୍ବର କ’ଣ ଭାଗ୍ୟ ଭବିଷ୍ୟତ ରହିବ ତା’କୁ ନେଇ ଲାଗି ରହିଛି ଚର୍ଚ୍ଚା। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସୂଚନା ଅନୁଯାୟୀ ଆମ ରାଜ୍ୟ ପାଇଁ ଏବର୍ଷ ଭଲ ଥିବା ନେଇ ପଞ୍ଜିକାର ମତପୋଷଣ କରିଥିଲେ ମଧ୍ୟ ଭାରତର ବିଭିନ୍ନ ସ୍ଥାନରେ ହିଂସା, ବନ୍ୟା, ବାତ୍ୟା, ଚୋରି ସତ୍ତ୍ବେ ରାଜନୈତିକ ସ୍ଥିରତା ରହିବ।
ସମସ୍ତେ ଶ୍ରୀଜଗନ୍ନାଥ ଓ ସଙ୍କଟ ମୋଚନ ପ୍ରଭୁ ହନୁମାନଙ୍କ ନିକଟରେ ଶରଣାପନ୍ନ ହୋଇ ନିଜକୁ ସମର୍ପିତ କଲେ ବିପଦକୁ ଟାଳି ହେବ ବୋଲି ଗବେଷକ ମତ ରଖିଛନ୍ତି।
ଚଳିତ ପଣା ସଂକ୍ରାନ୍ତି ଠାରୁ ୨୦୨୬ ପଣା ସଂକ୍ରାନ୍ତି ଯାଏଁ ଏକବର୍ଷ ଯାଏଁ ଆମ ରାଜ୍ୟ, ଦେଶ ଓ ବିଶ୍ଵର ସ୍ଥିତି ଓ ଭାଗ୍ୟ ଭବିଷ୍ୟତ କିଭଳି ରହିବ ତା’କୁ ନେଇ ବିଭିନ୍ନ ଚର୍ଚ୍ଚା ରହିଛି।ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସୂଚନା ଅନୁଯାୟୀ ବିଶ୍ବର ସ୍ଥିତିକୁ ଦେଖିଲେ ସ୍ନାୟୁ ବା ଅସ୍ଥି ସମ୍ବନ୍ଧିତ ରୋଗ ଓ ମୁଖ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ନୀତି ପ୍ରତିକୂଳ ହେବ।ବିକଶିତ ଦେଶରେ ସରକାର ପରିବର୍ତ୍ତନ ସହ ରାଷ୍ଟ୍ର ଗୁଡ଼ିକ ଭିତରେ କୂଟନୈତିକ ବିଭେଦ ସୃଷ୍ଟି ହେବ। ଅର୍ଥ ପ୍ରଦାନକାରୀ ଦେଶ ବା ବିଶ୍ବ ବ୍ୟାଙ୍କରେ ଆର୍ଥିକ ସଙ୍କଟ ଦେଖାଦେବ।
ସେହିପରି ମୁସଲମାନ ଦେଶ, ଚୀନ ଓ ରୁଷ୍ରେ ମାନବାଧିକାର ଉଲଂଘନ ଓ ଦମନକାରୀ ଘଟଣା ଦେଖାଦେବ।ସଟ୍ଟା ବଜାରରେ ଆର୍ଥିକ କ୍ଷତି ଓ ଅପରାଧ ଆଲୋଚନାର ବିଷୟବସ୍ତୁ ହେବ। ପଶ୍ଚିମ ଦେଶରେ ମଧ୍ୟ ଅଜଣା ମହାମାରୀ ଭଳି ରୋଗ ସଂକ୍ରମିତ ହେବ।ତେବେ ଭାରତରେ ଧାର୍ମିୟ ବ୍ୟବସ୍ଥା ଓ ସଂଗଠନର ପ୍ରଚାର ପ୍ରସାର ହେବ। କିଛି ଅବାଞ୍ଛନୀୟ ଘଟଣା ବୈଦେଶିକ ସମ୍ବନ୍ଧରେ ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ।
ସେହିପରି ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଅଗ୍ରଗତି ଘଟିବ ଏବଂସଂଚାର ଓ ପ୍ରସାର କ୍ଷେତ୍ରରେ ସରକାରଙ୍କର ନିୟନ୍ତ୍ରଣାଧୀନ ରହିବ।କୌଣସି ମହିଳା ରାଜନୈତିକ ନେତ୍ରୀଙ୍କର ଦେହାନ୍ତ ଘଟିପାରେ। ଲୌହ, ସ୍ବର୍ଣ୍ଣ ଓ ରୌପ୍ୟ ମୂଲ୍ୟ ସ୍ଥିର ରହିବ।ଉତ୍ତର ପୂର୍ବ ଓ ଦକ୍ଷିଣାଞ୍ଚଳରେ ଆଞ୍ଚଳିକ ସଂଘର୍ଷ ଏବଂ ପୂର୍ବୋତ୍ତର କ୍ଷେତ୍ରରେ ଭୂକମ୍ପ ବା ମୂର୍ତ୍ତିକାସ୍ଖଳନ ଯୋଗୁ ଜନଜୀବନ କ୍ଷୟକ୍ଷତି ହେବ। ଆବାସ, ସ୍ବାସ୍ଥ୍ୟ ଓ ଚିକିତ୍ସା ପ୍ରତି ସରକାର ପ୍ରାଧାନ୍ୟ ଦେବେ ବୋଲି ପଞ୍ଜିକାରେ ଉଲ୍ଲେଖ ରହିଛି। ଏସବୁ ସହ ଓଡ଼ିଶା ପାଇଁ ଏ ବର୍ଷ ଭଲ ରହିବ।ସମୟ ଉପଯୋଗୀ ବର୍ଷା ଯୋଗୁଁ ଭଲ ଫସଲ ହେବ।
ତେବେ ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ଲଘୁଚାପଜନିତ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ।ଶାସନ କ୍ଷେତ୍ରରେ କୋହଳ ମନୋବୃତ୍ତି ଶାସକୀୟ ଦଳ ପୋଷଣ କରିବେ।ଧାର୍ମିକ ଅନୁଷ୍ଠାନର ଉନ୍ନତି କରଣ ହେବା ସହ ଆଇନଶୃଙ୍ଖଳା ପରିସ୍ଥିତି ଓ ଦଣ୍ଡବିଧାନ କଠୋର ହେବ।ତେବେ ବିରୋଧି ମାନେ ଧିରେ ଧିରେ ଦୁର୍ବଳ ହୋଇଯିବେ।ତେବେ ଏବର୍ଷ ଚାରିଥର ପଞ୍ଚଗ୍ରହକୂଟ ରହିଥିବାରୁ ରାଜ୍ୟ ପ୍ରତି ଅଶୁଭ ସଙ୍କେତ ଅଟେ।ବାରମ୍ବାର ଦୁର୍ଘଟଣା, ଚୋରି, ଡକାୟତି, ରାହାଜାନୀ ଓ ହିଂସା ଯୋଗୁ ଧନଜୀବନ ବିପର୍ଯ୍ୟୟ ହେବ।
ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ନିକଟରେ ନୂଆ ପାଞ୍ଜି ପୂଜା କରାଯାଇଥିଲା। ଉତ୍କଳର ପରମ୍ପରା ଅନୁଯାୟୀ ପଣା ସଂକ୍ରାନ୍ତିଠାରୁ ନୂଆ ପାଞ୍ଜି ପ୍ରଚଳନ ହେବାର ପରମ୍ପରା ରହିଛି। ତେଣୁ ଆଜି ଓଡ଼ିଆ ନବବର୍ଷରେ ରାଜ୍ୟବାସୀ ଏହାକୁ ବେଶ୍ ଉତ୍ସାହର ସହ ପାଳନ କରୁଛନ୍ତି।