ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଦୀର୍ଘ ଦିନ ଧରି ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସେ ସ୍ୱାସ୍ଥ୍ୟ ସମସ୍ୟା ସହିତ ମଧ୍ୟ ସଂଘର୍ଷ କରୁଛନ୍ତି। ଅସୁସ୍ଥତା ଯୋଗୁଁ ତାଙ୍କୁ ଡିସେମ୍ବର ୨୦୨୪ରେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା। ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର, କାମ୍ବଲିଙ୍କ କଷ୍ଟକର ସମୟରେ ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି।
୫୩ ବର୍ଷୀୟ କାମ୍ବଲିଙ୍କୁ ଗାଭାସ୍କରଙ୍କ CHAMPS ଫାଉଣ୍ଡେସନରୁ ଆର୍ଥିକ ସହାୟତା ମିଳିବ। ଏହି ଫାଉଣ୍ଡେସନ ୧୯୯୯ ମସିହାରେ ଆରମ୍ଭ ହୋଇଥିଲା, ଯାହାର ଲକ୍ଷ୍ୟ ଥିଲା ଅସହାୟ ପୂର୍ବତନ ଆନ୍ତର୍ଜାତୀୟ ଖେଳାଳିମାନଙ୍କୁ ସାହାଯ୍ୟ କରିବା। କାମ୍ବଲି ଭାରତ ପାଇଁ ୧୦୪ଟି ଦିନିକିଆ ଏବଂ ୧୭ଟି ଟେଷ୍ଟ ଖେଳିଛନ୍ତି।
ରିପୋର୍ଟ ଅନୁଯାୟୀ, ଚାମ୍ପ୍ସ ଫାଉଣ୍ଡେସନ୍ କାମ୍ବଲିଙ୍କୁ ପ୍ରତି ମାସରେ ୩୦ ହଜାର ଟଙ୍କା ଦେବ। ସେ ତାଙ୍କ ଜୀବନସାରା ପ୍ରତି ମାସରେ ଏହି ରାଶି ପାଇବେ। ଟଙ୍କା ଦେବାର ପ୍ରକ୍ରିୟା ୧ ଏପ୍ରିଲରୁ କାର୍ଯ୍ୟକାରୀ ହୋଇଛି। ଏହା ବ୍ୟତୀତ କାମ୍ବଲିଙ୍କୁ ବାର୍ଷିକ ୩୦,୦୦୦ ଟଙ୍କା ପୃଥକ ଚିକିତ୍ସା ଖର୍ଚ୍ଚ ଦିଆଯିବ।ୱାଙ୍ଖଡେ ଷ୍ଟାଡିୟମର ୫୦ତମ ବାର୍ଷିକୀ ଅବସରରେ ଗାଭାସ୍କର କାମ୍ବଲିଙ୍କୁ ଭେଟିଥିଲେ। ତା’ପରେ ଗାଭାସ୍କର ତାଙ୍କର ଦୁଇ ଜଣ ଡାକ୍ତରଙ୍କୁ ମଧ୍ୟ ଭେଟିଥିଲେ।