Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୦ରେ ଗୋଡଭଗା କେମ୍ପ୍‌ଠାରେ ନବନିର୍ମିତ ଜଗନ୍ନାଥ ଏବଂ ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍ ଅନ୍ତର୍ଗତ କଳାମାଟି ପଞ୍ଚାୟତ ଅଧିନସ୍ଥ ଗୋଡଭଗା କେମ୍ପ୍‌ଠାରେ ନବନିର୍ମିତ ଜଗନ୍ନାଥ ଏବଂ ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଦିନ ଧାର୍ଯ୍ୟ ହୋଇଯାଇଛି। ସୂଚନା ମୁତାବକ ଆସନ୍ତା ଏପ୍ରିଲ ୨୩ ତାରିଖରୁ ମଣ୍ଡଳକରଣ ଓ ଅଙ୍କୁରାରୋପଣରୁ ପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଏପ୍ରିଲ ୩୦ରେ ପ୍ରାତଃକାଳେ ଆବାହିତ ଦେବାଦେବୀଙ୍କର ଯଥାବିହିତ ପୂଜନ, କର୍ତ୍ତାସ୍ନାନ, ଯୁପସ୍ଥାପନ, ଧ୍ୱଜାକଳସାଦି ସ୍ଥାପନ, ଦେବତା ପ୍ରବେଶ, ସ୍ୱର୍ଗଦ୍ୱାର ଉନ୍ମୋଚନ ଏବଂ ପୂର୍ଣ୍ଣାହୁତିରେ ସମାପନ ହେବାର ସ୍ଥିରୀକୃତ ହୋଇଛି। ପ୍ରତିଷ୍ଠା ମହୋତ୍ସବ ଅବସରରେ ପ୍ରତିଦିନ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ଏପ୍ରିଲ ୨୪ରେ କଳସ ଯାତ୍ରା, ଘଣ୍ଟବାଦ୍ୟ, ସଂକୀର୍ତ୍ତନ, ବିଶ୍ୱ ଦୁଲ୍‌ଦୁଲି (ବାବେବିରା) ଓ ସନ୍ଧ୍ୟାରେ ରେମଣ୍ଡା ଏବଂ ତଲାବିରାର କୃଷ୍ଣଗୁରୁ, ୨୫ ଓ ୨୬ ତାରିଖ ଅପରାହ୍ନରେ ଢେଙ୍କାନାଳର ମାଆ ମଙ୍ଗଳା ପାଲା ପରିଷଦ (ମହିଳା) ଦ୍ୱାରା ପାଲା ପରିବେଷଣ ଏବଂ ୨୬ ତାରିଖ ସନ୍ଧ୍ୟାରେ ବରଗଡ ର କଳାଜୀବୀ ଡ୍ୟାନ୍ସ୍ ଗ୍ରୁପ୍‌ର ନୃତ୍ୟ କାର୍ଯ୍ୟକ୍ରମ ରହିଛି। ୨୭ ତାରିଖ ଅପରାହ୍ନରେ ମହିଳା ସଂକିର୍ତ୍ତନ (ସୁଶ୍ରୀ ଇତିଶ୍ରୀ କର, ଭତରା), ସୁଶ୍ରୀ ସୁମି ବାଗ (ସର୍ଗିପାଲି) ଓ ସନ୍ଧ୍ୟାରେ କ୍ରିଷ୍ଣା ଏଣ୍ଡ୍ ଗ୍ରୁପ୍‌ (ଗୋଶାଳା, ସମ୍ବଲପୁର)ର ଭଜନ ପରିବେଷଣ କାର୍ଯ୍ୟକ୍ରମ ରହିଛି। ୨୮ ତାରିଖ ଅପରାହ୍ନରେ ମହିଳା ସଂକିର୍ତ୍ତନ (ଶ୍ରୀମତୀ ସୈରେନ୍ଦ୍ରି ଜାଲ – ତାମ୍ବିମୁଣ୍ଡା) ଓ (ଶ୍ରୀମତୀ କସ୍ତୁରୀ କିସାନ – ମୁଣ୍ଡକାଟି) ଏବଂ ସନ୍ଧ୍ୟାରେ ସିଦ୍ଧେଶ୍ୱର ସଙ୍ଗୀତ ସନ୍ଧ୍ୟା ଭଜନ ଗ୍ରୁପ୍ (ଶ୍ରୀମତୀ ମାନସୀ ପାତ୍ର, ପ୍ରାର୍ଥନା ଚ୍ୟାନେଲ) ଓ ୨୯ ତାରିଖରେ ପାରାୟଣ ଗାୟିକା ସୁଶ୍ରୀ ପ୍ରାପ୍ତି ଆଚାର୍ଯ୍ୟ (ବଲାଙ୍ଗୀର), ପ୍ରିନ୍ସ୍ ଡାନ୍ସ୍ ଗ୍ରୁପ୍ (ବ୍ରହ୍ମପୁର) ଓ ଉଡାନ୍ (ସମ୍ବଲପୁର) ଙ୍କ କାର୍ଯ୍ୟକ୍ରମ ରହିଛି। ୩୦ ତାରିଖ ଶେଷ ଦିନ ଅପରାହ୍ନରେ ସୁନ୍ଦରାକାଣ୍ଡ ପାରାୟଣ (ଶ୍ରୀମତୀ ମୋନାଲି ମହାପାତ୍ର – ବଲାଙ୍ଗୀର), ସନ୍ଧ୍ୟାରେ ଭଜନ ସମ୍ରାଟ୍ ପଦ୍ମଶ୍ରୀ ଅନୁପ ଜଲୋଟା ଓ ଏଲ୍‌.ନିତେଶ କୁମାର (ମୁମ୍ବାଇ) ଭଜନ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଛି। ଏତଦ୍ ବ୍ୟତୀତ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ‘ମୁରାସୁର ଦରବାର’ ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ। ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ଟାରୁ ଆନନ୍ଦ ଵଜାରରେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଲୋକଙ୍କ ପାଇଁ ମୀନା ବଜାର ଓ ବିଭିନ୍ନ ଦୋଳିର ବ୍ୟବସ୍ଥା ମଧ୍ୟ କରାଯାଇଛି। ବ୍ୟାପକ ଜନସମାଗମ ଦୃଷ୍ଟିରୁ ଯାନବାହାନ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ବୋଲିି ମନ୍ଦିର ପ୍ରତିଷ୍ଠା ମହୋତ୍ସବ କମିଟି ସୂତ୍ରରୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ