ଆଜି କୁନୋ ନ୍ୟାସନାଲ ପାର୍କରୁ ଗାନ୍ଧୀ ସାଗର ଅଭୟାରଣ୍ୟକୁ ସ୍ଥାନାନ୍ତର ହେବେ ଚିତା


ଓଡ଼ିଶା ଡଟ୍ ନ୍ୟୁଜ୍: ପୁଣି ବିସ୍ତାର ହେବ ଚିତାଙ୍କ ବାସସ୍ଥଳୀ । ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କରୁ କିଛି ଚିତାଙ୍କୁ ଗାନ୍ଧୀ ସାଗର ବନ୍ୟପ୍ରାଣୀ ଅଭୟାରଣ୍ୟଙ୍କୁ ଆଜି କରାଯିବ ସ୍ଥାନାନ୍ତର । ସୀମାନ୍ତ ଜିଲ୍ଲା ମନ୍ଦସୋର ଓ ନିମୁଚ ଜିଲ୍ଲା ସ୍ଥିତ ଅଭୟାରଣ୍ୟ ହେବ ସେମାନଙ୍କ ନୂଆ ଠିକଣା ।
ଚିତାଙ୍କୁ ସ୍ଥାନାନ୍ତର ନେଇ ସୂଚନା ଦେଇଥିଲେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଚିତାଙ୍କ ଲାଗି ପରିବେଶ ଅନୁକୂଳ ଥିବାରୁ ନୂଆ ଅଭୟାରଣ୍ୟକୁ ଚିତାଙ୍କୁ ସ୍ଥାନାନ୍ତର କରାଯିବ । ଚିତାଙ୍କ ସ୍ଥାନାନ୍ତର ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ବା ଏନଟିସିଏ ସହ ଆଲୋଚନା ହୋଇଥିଲା ।
ଗତ ୨୦୨୨ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୫ ମାଈ ଓ ୩ଟି ଅଣ୍ଡିରା ଚିତାଙ୍କୁ କୁନୋ ପାର୍କରେ ଛଡାଯାଇଥିଲା । ୨୦୨୩ ଫେବ୍ରୁଆରୀରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତାଙ୍କୁ ଆଣି କୁନୋରେ ଛଡାଯାଇଥିଲା । ବର୍ତ୍ତମାନ କୁନୋ ଜାତୀୟ ପାର୍କରେ ମୋଟ ୨୬ଟି ଚିତା ଥିବାବେଳେ ସେମାନଙ୍କ ମଧ୍ୟରୁ ୯ଟି ଚିତା ଏନକ୍ଲୋଜରରେ ରହୁଛନ୍ତି । ଏହି ୨୬ଟି ଚିତାଙ୍କ ମଧ୍ୟରୁ ଭାରତରେ ଜନ୍ମ ନେଇଥିଲେ ୧୪ଟି ଛୁଆ ।