ମହିଳାଙ୍କୁ ସାମାଜିକ କ୍ଷେତ୍ରରେ ସୁରକ୍ଷା ଯୋଗାଇ ଦେବାକୁ ଅନେକ ଯୋଜନା ଘୋଷଣା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ହେଲେ ଏସବୁ ସ୍କିମ୍ ବିଷୟରେ ଆଜି ବି ଅନେକ ଲୋକ ଜାଣି ପାରୁନଥିବାରୁ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏହି ଯୋଜନାରେ ମହିଳାଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିବ । ଏଭଳି ହିଁ ଏକ ସ୍କିମ୍ର ନାଁ ହେଉଛି ଲକ୍ଷପତି ଦିଦି ଯୋଜନା ।
ଏହି ଯୋଜନାରେ ଏକ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ଯୋଗ୍ୟ ହିତାଧିକାରୀ । ତେବେ କଣ ଏହି ଲକ୍ଷପତି ଦିଦି ଯୋଜନା କିଭଳି ଏହାର ଲାଭ ଉଠାଇ ପାରିବେ, ତାହା ଜାଣିବା ଆବଶ୍ୟକ ।
ଦେଶର ବିକାଶରେ ମହିଳାଙ୍କ ଭାଗିଦାରୀ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ସେମାନଙ୍କୁ ସାମାଜିକ ଓ ଆର୍ଥିକ ସ୍ତରରେ ପ୍ରତ୍ୟେକ ମହିଳାଙ୍କୁ ସଶକ୍ତ ହେବାକୁ ପଡ଼ିବ । ଏଣୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଲକ୍ଷପତି ଦିଦି ଯୋଜନା । ଏହି ଯୋଜନାରେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଥିବା ମହିଳାମାନେ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଉଠାଇ ପାରିବେ । ସବୁଠାରୁ ବଡ଼ କଥା ହେଉଛି ଏହି ଋଣ ପାଇଁ ହିତାଧିକାରୀଙ୍କୁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ ।
ଲକ୍ଷପତି ଦିଦି ଯୋଜନାରେ ନିଜର ସ୍ୱତନ୍ତ୍ର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଥିବା ମହିଳାମାନଙ୍କୁ ଫୋକସ୍ କରାଯାଉଛି । ଏହି ସ୍କିମ୍ରେ ସେମାନଙ୍କୁ ଦକ୍ଷତା ତାଲିମ ବା ସ୍କିଲ୍ ଟ୍ରେନିଂ ଦେଉଛନ୍ତି ସରକାର । ଏବେ ଏହା ଦେଶର ସବୁଠାରୁ ଲୋକପ୍ରିୟ ଯୋଜନା ପାଲଟିଛି । ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଶୀଘ୍ର ଆବେଦନ କରିବାକୁ ହେବ । ଏହାର ଆବେଦନ ପ୍ରକ୍ରିୟା ମଧ୍ୟ ଅତ୍ୟନ୍ତ ସରଳ ରହିଛି । ଏଥିପାଇଁ ହିତାଧିକାରୀଙ୍କୁ ପ୍ରଥମେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ି ହେବାକୁ ପଡ଼ିବ । ମହିଳାଙ୍କ ବିଜ୍ନେସ୍ ପ୍ଲାନିଂ ବାବଦରେ ସରକାରୀ ଅଧିକାରୀ ସମୀକ୍ଷା କରିବା ପରେ ଆବେଦନ ସ୍ୱୀକାର କରାଯିବ । ଏଥିପାଇଁ ଆଧାର୍ କାର୍ଡ, ପାନ୍ କାର୍ଡ, ଆୟ ପ୍ରମାଣପତ୍ର, ବ୍ୟାଙ୍କ ପାସ୍ବୁକ୍, ପାସପୋର୍ଟ ସାଇଜ୍ ଫୋଟୋର ଆବଶ୍ୟକତା ରହିଛି ।
ଓଡ଼ିଶାରେ ଚିହ୍ନଟ କରାଯାଇଥିବା ୧୭ ଲକ୍ଷ ୫୯ ହଜାର ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କ ମଧ୍ୟରୁ ୧୪ ଲକ୍ଷରୁ ଊର୍ଦ୍ଧ୍ଵ ମହିଳା ବର୍ତ୍ତମାନ ସୁଦ୍ଧା ଲକ୍ଷପତି ଦିଦି ହୋଇପାରିଛନ୍ତି । ଲକ୍ଷପତି ଦିଦି ଯୋଜନା ଲାଗୁ କରିବା କ୍ଷେତ୍ରରେ ଅନୁମୋଦିତ ଲକ୍ଷ୍ୟର ୮୨ ପ୍ରତିଶତ ପୂରଣ କରି ଓଡ଼ିଶା ଦେଶର ଅନ୍ୟ ସମସ୍ତ ରାଜ୍ୟକୁ ଅତିକ୍ରମ କରିଛି । ଏହି ପ୍ରୟାସକୁ ଓଡ଼ିଶାରେ ମିଶନ ଶକ୍ତି ବିଭାଗ ଅଧୀନରେ ଓଡ଼ିଶା ଜୀବିକା ମିଶନ ଦ୍ୱାରା କାର୍ଯ୍ୟକାରୀ କରାଯାଇଛି । ଏହାକୁ କେନ୍ଦ୍ର ପ୍ରାୟୋଜିତ ଜାତୀୟ ଗ୍ରାମୀଣ ଜୀବିକା ମିଶନର ଲକ୍ଷ୍ୟ ସହିତ କାର୍ଯ୍ୟକାରୀ କରାଯାଇଛି । ମିଶନ-ମୋଡ୍ରେ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ରାଜ୍ୟରେ ବିଭାଗୀୟ ସହଭାଗିତା, ଆଞ୍ଚଳିକ ସ୍ତରରେ ନେତୃତ୍ୱ ଏବଂ ଜୀବନ ଜୀବିକାକୁ ସୃଦୃଢ କରି ଏକ ଶକ୍ତିଶାଳୀ ମଡେଲ୍ ଭାବେ ଉଭା ହୋଇଛି ।