Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଲିସ ଜାଲରେ ୫ଜଣିଆ ଡକାୟତ ଗ୍ୟାଙ୍ଗ୍: ଲୁଟି ନେଇଥିବା ଲକ୍ଷେ ଟଙ୍କା ସହ ଦାମିକା କାର୍ ଓ ଅସ୍ତ୍ରଶସ୍ତ୍ର ଜବତ

ବାଲିଗୁଡା, ତା, ୨୧/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ଜଳେଶପଟ୍ଟା ପୋଲ ନିକଟରେ ରବିବାର ଭୋର୍ ୩ଟାରେ ଏକ ବଡ଼ଧରଣର ଡକାୟତି ହୋଇଥିଲା । ତେବେ ତୁମୁଡ଼ିବନ୍ଧ ପୁଲିସ ତ୍ବରିତ ପଦକ୍ଷେପ ଗ୍ରହଣ କରି ୫ଜଣିଆ ଡକାୟତ ଗ୍ୟାଙ୍ଗ୍‌କୁ କାବୁ କରିବାରେ ସଫଳ ହୋଇଛି। ସେମାନେ ହେଲେ ସାରଙ୍ଗଗଡ଼ ଥାନା ଗଣ୍ଡ୍ରିଗାଁର ରଞ୍ଜନ
ପ୍ରଧାନ (୨୫), ବାଲିଗୁଡ଼ା ନୂଆସାହିର ସୁଧାଂଶୁ ବାଗ୍ (୨୩), ପ୍ରତୀକ ହଂସ (୨୨), ସଂଗ୍ରାମ ପାତ୍ର (୨୧) ଏବଂ ବାରଖମା ନିକଟ ତଗାକିଆର ଗୌର ଗୌଡ଼ (୨୦)। ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବେଳେ ସେମାନଙ୍କଠୁ ଲୁଟ୍ ହୋଇଥିବା ୧ ଲକ୍ଷ ଟଙ୍କା ଓ ୨୧.୫ ଲକ୍ଷ ଟଙ୍କା ମୂଲ୍ୟର ଦାମିକା କ୍ରେଟା କାର୍ ଏବଂ ଗୋଟିଏ ବନ୍ଧୁକ, ଗୋଟିଏ ରାଇଫଲ୍, ଦୁଇଟି କାତି, ୫ଟି ମୋବାଇଲ୍ ଓ ୫ଟି କଳାମୁଖା ଜବତ ହୋଇଛି। ଏନେଇ ତୁମୁଡ଼ିବନ୍ଧ ଥାନାରେ କେସ୍ ନମ୍ବର ୪୯/୨୫ରେ ଏକ ମାମଲା ରୁଜୁ
ହୋଇଥିବା ବାଲିଗୁଡ଼ା ଏସଡିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଅଞ୍ଚଳର ବିଜୟ କୁମାର ମିଶ୍ର (୩୫) ତାଙ୍କ କାର୍ (କ୍ରେଟା)ରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଯାଉଥିଲେ। ରବିବାର ଭୋର୍ ୩ଟା ବେଳେ ତାଙ୍କ କାର୍‌କୁ ଏକ ଏକ୍ସୟୁଭି କାର୍ ପିଛା କରିଥିଲା। ତୁମୁଡ଼ିବନ୍ଧ ଥାନା ଜଳେଶପଟ୍ଟା ପୋଲ ନିକଟରେ ଡକାୟତ ଦଳ ତାଙ୍କ କାର୍ ଆଗରେ ହଠାତ୍ ଗାଡ଼ି ରଖି ବାଗ୍ ଅଟକାଇଥିଲେ । ଡ୍ରାଇଭର୍ ପ୍ରଦୀପ (୩୩)ଙ୍କ ମୁଣ୍ଡରେ ବନ୍ଧୁକ ରଖି ଭୟଭୀତ କରିଥିଲେ । ପରେ ସେମାନଙ୍କ ଠାରୁ ୧ ଲକ୍ଷ ଟଙ୍କା, ଗୋଟିଏ ଆଇ ଫୋନ୍ ମୋବାଇଲ୍ ଓ ଗୋଟିଏ ରିୟଲମି ମୋବାଇଲ୍ ସହ କାର୍ ଛଡ଼ାଇ ନେଇଥିଲେ | ବିଜୟ ସକାଳେ ତୁମୁଡ଼ିବନ୍ଧ ଥାନାରେ ପହଞ୍ଚି ଥାନାଧିକାରୀ ଆଶୁତୋଷ ଜେନାଙ୍କୁ ଘଟଣା ବିଷୟରେ ଅବଗତ କରିଥିଲେ । ଥାନାଧିକାରୀ ଓ ଟିମ୍ ବିଭିନ୍ନ ସ୍ଥାନରେ ଧରପଗଡ଼ କରି ଉକ୍ତ ଗ୍ୟାଙ୍ଗ୍‌କୁ ମଧ୍ୟାହ୍ନରେ କାବୁ କରିବାରେ ସଫଳ ହୋଇଥିଲେ । ଏହି ଗ୍ୟାଙ୍ଗ୍‌ରେ ଆଉ କିଏ ସଂପୃକ୍ତ ଅଛନ୍ତି, ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବିଷୟ ଏସଡିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ