ଲୁଟ୍ ପାଇଁ ଦୀର୍ଘ ୩୬ କିଲୋମିଟର ପିଛା କଲେ । ଠିକାଦାରଙ୍କୁ ରାସ୍ତାରେ ଅଟକାଇ ଲୁଟିଲେ ୫ ଜଣିଆ ଗ୍ୟାଙ୍ଗ । ହେଲେ ଡକାୟତଙ୍କର ଭାଗ୍ୟ ସାଥ୍ ଦେଲାନି । ଫସର ଫାଟିଗଲା ଡକାୟତି ପ୍ଲାନ୍ । ଫସିଗଲେ ପୋଲିସ୍ ପଂଝାରେ । ଦର୍ଶକ ବନ୍ଧୁ ଇଏ ଫିଲ୍ମର କାହାଣୀ ପରି ଏକ ଅପରାଧ ଘଟଣା । ଗୋଟିଏ ୫ ଜଣିଆ ଗ୍ୟାଙ୍ଗର ଟାର୍ଗେଟରେ ଥିଲେ ଜଣେ ନାମୀଦାମୀ ଠିକାଦାର ।
ସବୁବେଳେ ରାତି ସମୟରେ ରାଜପଥରେ ଲୁଟ ଚଳାଉଥିବା ଏହି ଗ୍ୟାଙ୍ଗ ରବିବାର ଦିନ ଟାର୍ଗେଟ କରିଥିଲା ଜଣେ ଠିକାଦାରଙ୍କୁ ।
ଠିକାଦାର ନିଜ ଡ୍ରାଇଭରଙ୍କ ସହ କାରରେ ଗାଁକୁ ଯାଉଥିବା ବେଳେ କାରକୁ ପିଛା କରିଥିଲେ ଲୁଟେରା । ରାତିରେ ଦୀର୍ଘ ୩୬ କିଲୋମିଟର ପର୍ଯ୍ୟନ୍ତ ପିଛା କରି ଶେଷରେ ଗାଡି ଅଟକାଇବାରେ ସଫଳ ହୋଇଥିଲେ । କାରକୁ ଅଟକାଇବା ପରେ ବନ୍ଧୁକ ଦେଖାଇ ଠିକାଦାରଙ୍କ କ୍ରେଟା କାର, ଏକ ଲକ୍ଷ ଟଙ୍କା ଓ ଆଇଫୋନ ଲୁଟ କରି ଚମ୍ପଟ ମାରିଥିଲେ । କିନ୍ତୁ ଫେରାର ହେବା ସମୟରେ ଫସର ଫାଟିଥିଲା ଡକାୟତି ଯୋଜନା । ଦାମୀ କାର ସିନା ଲୁଟ୍ କଲେ ହେଲେ ଏହାକୁ ଚଳାଇବା ପାଇଁ ତାଙ୍କ ଭିତରେ କେହି ଡ୍ରାଇଭର ନଥିଲେ ।
ଆଉ ଡ୍ରାଇଭର ସେଟ୍ କରୁ କରୁ ଡକାୟତ ଗ୍ୟାଙ୍ଗ ଉପରେ ପଞ୍ଝା ମାରିଲା ପୋଲିସ । ଏହି ପାଞ୍ଚ ଜଣିଆ ଡକାୟତି ଗ୍ୟାଙ୍ଗକୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ କାବୁ କଲା ତୁମୁଡ଼ିବନ୍ଧ ପୋଲିସ । ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ଲାଠିକତା ଅଞ୍ଚଳର ଠିକାଦାର ବିଜୟ କୁମାର ମିଶ୍ର ତାଙ୍କ ଡ୍ରାଇଭର ପ୍ରଦୀପ ବାଗଙ୍କ ସହ ନିଜ କାର ଯୋଗେ ବାଲିଗୁଡାରୁ ଭବାନୀପାଟଣା ଯାଉଥିଲେ । ଏହି ସମୟରେ ତାଙ୍କୁ ଲୁଟିବାର ପ୍ଲାନ୍ କରିଥିଲେ ଏହି ଡକାୟତ ଗ୍ୟାଙ୍ଗ । ବାଲିଗୁଡା ୫୯ ନମ୍ବର ଜାତୀୟ ରାଜପଥରେ ତୁମୁଡିବନ୍ଧ ଥାନା ଜାଲେସପଟ୍ଟା ପର୍ଯ୍ୟନ୍ତ ଦୀର୍ଘ ୩୬ କିଲୋମିଟର ରାସ୍ତା ପିଛା କରିଥିଲେ ।
ଆଉ ମଉକା ପାଇଁ ଗାଡ଼ି ଅଟକାଇବା ପରେ ବିଜୟଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଦେଇଥିଲେ । ତାଙ୍କ କ୍ରେଟା କାର, ଆଇ ଫୋନ ଓ ଏକ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ତେବେ ବାଲିଗୁଡାରୁ ଦୁଇଟି କାରରେ ଗଞ୍ଜେଇ ଆସୁଥିବା ଭଳି ଖବର ପାଇ ସେତେବେଳେ ପାଟ୍ରୋଲିଙ୍ଗ ଚଳାଇ ଥିଲା ତୁମୁଡିବନ୍ଧ ପୋଲିସ । ଏହି ସମୟରେ ବିଜୟ ଓ ତାଙ୍କ ଡ୍ରାଇଭରଙ୍କୁ ରାତି ଅଧରେ ଦୟନୀୟ ଅବସ୍ଥାରେ ଦେଖି ପାଟ୍ରୋଲିଙ୍ଗ କରୁଥିବା ପୋଲିସ୍। ସମସ୍ତ ସୂଚନା ନେଇ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ନେତୃତ୍ୱରେ ଏକ ଟିମ କାବୁ କରିଥିଲା ଅପରାଧୀ ଗ୍ୟାଙ୍ଗକୁ ।
ଏହି ଗ୍ୟାଙ୍ଗ ଠାରୁ ଏକ ରାଇଫଲ, ଏୟାର ପିସ୍ତଲ, ଦୁଇଟି କାତି ସମେତ ଲୁଟ ହୋଇଥିବା କାର, ଏକ ଲକ୍ଷ ଟଙ୍କା ଓ ଆଇଫୋନ ଜବତ କରିଛି ପୋଲିସ । ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ବାଲିଗୁଡା ନୂଆସାହିର ସୁଧାଂଶୁ ବାଗ, ସଂଗ୍ରାମ ପାତ୍ର ଓ ପ୍ରତୀକ ହଂସ ହୋଉଥିବା ବେଳେ ତଗାକିଆ ଗାଁର ଗୌର ଗୌଡ଼, ଗାନ୍ଦ୍ରିଗାଁର ରଞ୍ଜନ ପ୍ରଧାନ । ଚାଲାକି ତ ବହୁତ କରିଥିଲେ ଏହି ଗ୍ୟାଙ୍ଗ । ହେଲେ ପୋଲିସ ବି କିଛି କମ୍ ନୁହେଁ । ଲୁଟେରା ଯେମିତି ଠିକାଦାରଙ୍କୁ ଗୋଡ଼ାଇ ଥିଲେ ଠିକ୍ ସେମିତି ସେମାନଙ୍କୁ ଗୋଡେଇ ଗୋଡେଇ ଧରିଥିଲା ପୋଲିସ୍ । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ।