ଭୁବନେଶ୍ବର: ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂପର୍କରେ ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଏହି ନିର୍ଦ୍ଦେଶ ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ର, ଶିଶୁବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ବନ୍ଦ ରହିବ। ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ଯୋଗୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେଉଛି। ତେଣୁ ପିଲାମାନଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ଏହି ସମୟ ମଧ୍ୟରେ ଅଙ୍ଗନବାଡି ପିଲା ମାନଙ୍କୁ ସେମାନଙ୍କ ଘରେ ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ଉଭୟ ସରକାରୀ ଓ ବେସରକାରୀ କଲେଜ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଅପ୍ରେଲ ୨୩ ତାରିଖ ଠାରୁ ୫ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ତେବେ, ଏହି ସମୟରେ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା ଗୁଡିକ ନିର୍ଦ୍ଦିଷ୍ଟ ତାରିଖରେ ହେବ ଏବଂ ସଂପୃକ୍ତ ଅଧିକାରୀମାନେ ଏଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ସମୀକ୍ଷା ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଦ୍ୟାଳୟ ଓ ଗଣଶିକ୍ଷା ତଥା ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
୨୩ରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି:ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
