ପାକିସ୍ତାନକୁ ଦୁଇ ଫାଳ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଦାବି


ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଦେଶବାସୀଙ୍କ ଆକ୍ରୋଶ ଚରମ ସୀମାରେ ପହଞ୍ଚିଛି । ସମସ୍ତଙ୍କର ଗୋଟିଏ ଦାବି ଏଥର ପାକିସ୍ତାନକୁ ଉଚିତ ଜବାବ ଦିଆଯାଉଛି । ପାକିସ୍ତାନ ଓ ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ବର୍ତ୍ତମାନ ଆପୋଷ ବୁଝାମଣାର ସମୟ ନୁହେଁ, ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେବାର ସମୟ ଆସି ଯାଇଛି । ପାକିସ୍ତାନକୁ ଦୁଇ ଭାଗ କରି ପିଓକେକୁ ଭାରତରେ ମିଶାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ରେବନ୍ତ ରେଡ୍ଡୀ । 

ସେ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀଙ୍କୁ ମୋର କେବଳ ଗୋଟିଏ ଅନୁରୋଧ, ଆମେ ଏକାଠି ହୋଇ ଦେଶବାସୀଙ୍କ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେବା । ଆତଙ୍କବାଦୀଙ୍କ ବିରୋଧରେ ଲଢ଼ିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଆମେ ପ୍ରସ୍ତୁତ ।

ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଆତଙ୍କବାଦୀ ବିରୋଧରେ ଲଢ଼େଇ ପାଇଁ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛନ୍ତି । ଏହି ଅବସରରେ ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ସେ କହିଛନ୍ତି, ପହଲଗାମରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏଭଳି ହିଂସା ଅତ୍ୟନ୍ତ ନିନ୍ଦନୀୟ । ମୃତକଙ୍କ ପରିବାର ସହ ଆନ୍ଧ୍ର ସରକାର ଓ ରାଜ୍ୟବାସୀ ରହିଛନ୍ତି । ଭାରତର ସୁରକ୍ଷାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଣ୍ଣାୟକ ନେତୃତ୍ୱକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ ।