ଓଡ଼ିଶା ଡଟ୍ ନ୍ୟୁଜ୍: ଅସହ୍ୟ ଖରା ତାତିରେ ଆଉଟ ପାଉଟ ହେଉଛି ସାରା ରାଜ୍ୟ । ୪୦ ଡିଗ୍ରୀ ଉପରେ ଅଧିକାଂଶ ସହର । ଦିନ ୧୦ଟା ପରେ ଘରୁ ବାହାରିବା ହୋଇ ଯାଉଛି ଅସମ୍ଭବ । ଏମିତି ସ୍ଥିତିରେ ପାଣିପାଗ ବିଭାଗ ପକ୍ଷରୁ ଆସିଛି ଏକ ବଡ଼ ଖବର । ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆଜି ମୟୂରଭଞ୍ଜ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସେହିପରି ମାଲକାନଗିରି, କୋରାପୁଟ, ଗଞ୍ଜାମ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୩୦ରୁ ୪୦ କି.ମି. ବେଗରେ ପବନ ବହିପାରେ । ୨୭ ଓ ୨୮ ତାରିଖରେ ଝଡ଼ବର୍ଷାର ପ୍ରଭାବ ଅଧିକ ରହିପାରେ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ବର୍ତ୍ତମାନ ରାଜ୍ୟରେ ପ୍ରଚଣ୍ଡ ତାତିରେ କଲବଲ ହେଉଛି ଜନଜୀବନ । ତତଲା କଡ଼େଇରେ ଭାଜି ହେଉଛି ସାରା ଓଡ଼ିଶା । ଉପକୂଳରୁ ଉତ୍ତର, ପୁଣି ପଶ୍ଚିମରୁ ଦକ୍ଷିଣ ସବୁଠି ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମଲହରୀ । ବିଶେଷକରି ପଶ୍ଚିମ ଓଡ଼ିଶାର ତାପମାତ୍ରା ରେକର୍ଡ ଭାଙ୍ଗୁଛି । ଗତ ୨୨ ତାରିଖରେ ଝାରସୁଗୁଡ଼ାରେ ଏପ୍ରିଲ ମାସର ସର୍ବକାଳୀନ ତାତି ରେକର୍ଡ ହୋଇଥିଲା । ତେବେ ଆଜିଠୁ ବର୍ଷା ସମ୍ଭାବନା ଥିବାରୁ ପ୍ରଚଣ୍ଡ ତାତିରୁ ଆଶ୍ୱସ୍ତି ମିଳିବ ।