Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମୃଦ୍ଧ ଓଡିଶା ଗଠନ ପାଇଁ ୨୦୩୬ ସୁଦ୍ଧା ୩୬ କାର୍ଯ୍ୟକ୍ରମ , ଶେଷ ସ୍ତରରେ ଥିବା ଲୋକଙ୍କୁ ମିଳିବ ସବୁ ମୌଳିକ ସୁବିଧା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ହେବ। ଏଥିପାଇଁ ୩୬ଟି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଓଡିଶାକୁ ୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ କରାଯିବ। ୨୦୩୬ ସୁଦ୍ଧା ସମାଜର ଶେଷ ସ୍ତରରେ ଥିବା ଲୋକମାନେ ଯେପରି ସବୁ ପ୍ରକାରର ମୌଳିକ ସୁବିଧା ପାଇପାରିବେ, ସେଥିପାଇଁ ପଦକ୍ଷେପ ନିଆଯିବ।
ଆଜି ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ ଠାରେ ‘ଭିଜନ ଓଡିଶା ୨୦୩୬ ଓ ୨୦୪୭’ ପାଇଁ ଆୟୋଜିତ ରାଜ୍ୟସ୍ତରୀୟ ‘ପରାମର୍ଶ କର୍ମଶାଳା’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ଏହି ଭିଜନ ଡକ୍ୟୁମେଣ୍ଟ ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱପ୍ନର ଏକ ରୋଡମ୍ୟାପ୍ । ଏହା ଆମ ଭବିଷ୍ୟତର ପିଢିଙ୍କ ପାଇଁ ଏକ ପ୍ରତିଶ୍ରୁତି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ଭିଜନ ଡକୁମେଣ୍ଟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି। ଏକ ଡ୍ରାଫ୍ଟ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି। ବିଶେଷଜ୍ଞ ମାନଙ୍କ ପରାମର୍ଶ ପରେ ଚୂଡାନ୍ତ ଡକୁମେଣ୍ଟ ପ୍ରସ୍ତୁତ କରାଯିବ। ଆଜି ଏକ ରାଜ୍ୟ ସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ କରାଗଲା। ଏହା ପରେ ସମ୍ବଲପୁର, ବାଲେଶ୍ୱର ଓ ଜୟପୁରରେ ଆହୁରି ତିନୋଟି ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ ହେବବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜିର ଏହି ରାଜ୍ୟସ୍ତରୀୟ କର୍ମଶାଳାରେ ଅଭିଜ୍ଞ ପ୍ରଶାସକ, ଶିକ୍ଷାବିତ୍, ଜନପ୍ରତିନିଧି, ଶିଳ୍ପ ଏବଂ ନାଗରିକ ସମାଜର ପ୍ରତିନିଧି, ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ମାନେ ଯୋଗଦେଇ ନିଜନିଜର ଚିନ୍ତାଧାରା ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ।
ସେ କହିଲେ ଯେ, ୨୦୩୬ ସୁଦ୍ଧା ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବା ପାଇଁ ୩୬ଟି ସର୍ବୋଚ୍ଚ ପ୍ରାଥମିକ କାର୍ଯ୍ୟକ୍ରମ ଚିହ୍ନଟ କରାଯାଇଛି। ଏହା ଏକ ରଣନୈତିକ ପଦକ୍ଷେପ (Strategic Initiative)। ଏହି ପଦକ୍ଷେପ ହେଉଛି ‘36 for 36’ । ଏହି ପଦକ୍ଷେପ ଓଡ଼ିଶାର ଅଭିବୃଦ୍ଧିର ଯାତ୍ରାକୁ ତ୍ୱରାନ୍ୱିତ କରିବ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଭିଜନ ହାସଲ ପାଇଁ ସମ୍ପୂର୍ଣ୍ଣ ସରକାର (Whole of Government) ଆଭିମୁଖ୍ୟରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଅର୍ଥନୀତି, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ପର୍ଯ୍ୟଟନ, ବିଜ୍ଞାନ ଓ ଗବେଷଣା, ଅଭିନବ ଚିନ୍ତାଧାରା(Innovation), ମହିଳା ସଶକ୍ତି କରଣ, ଗ୍ରାମ ବିକାଶ, ଆଦିବାସୀ କଲ୍ୟାଣ, ଓଡିଆ ଭାଷା, ସଂସ୍କୃତି ଓ ଅସ୍ମିତାର ପ୍ରସାର ଆଦି ୩୬ଟି କ୍ଷେତ୍ରରେ ସ୍ପଷ୍ଟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ପଦକ୍ଷେପ ମାନ ଗ୍ରହଣ କରାଯିବ।
ସେ ପୁଣି କହିଲେ ଯେ, ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ଦେଶ ଏକ ବିକଶିତ ଭାରତ ହେବା ଲକ୍ଷ୍ୟରେ ଅଗ୍ରସର ହେଉଛି। ରାଜ୍ୟ ଗଠନର ଶତବାର୍ଷିକୀ ପାଳନ ଅବସରରେ, ଆମ ସରକାର ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଏକ ଉଚ୍ଚାଭିଳାଷୀ ସଂକଳ୍ପ ନେଇଛନ୍ତି । ୨୦୪୭ ସୁଦ୍ଧା ଆମ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।
ସେ ପୁଣି କହିଲେ ଯେ, ଆମର ଭିଜନ ୨୦୩୬ ଏବଂ ୨୦୪୭ ଡକୁମେଣ୍ଟ ହେଉଛି ଏକ ସମୃଦ୍ଧ, ବିକଶିତ ଏବଂ ଗର୍ବିତ ଓଡ଼ିଶା ଗଠନ ପାଇଁ ଆମର ମହତ୍ୱାକାଂକ୍ଷୀ ସଂକଳ୍ପ – ଏକ ‘ବିକଶିତ ଓଡ଼ିଶା’ ଯାହା ‘ବିକଶିତ ଭାରତ’ ମଧ୍ୟରେ ଏକ ଉଜ୍ଜ୍ୱଳ ତାରକା ଭାବରେ ଉଦୀୟମାନ ହେବ।
ଡକୁମେଣ୍ଟ ପ୍ରସ୍ତୁତି ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ‘ଜନ ଭାଗିଦାରୀ’ ଦର୍ଶନକୁ ସମର୍ଥନ କରି ଆମେ ପରାମର୍ଶ ପାଇଁ ଦ୍ୱାର ଖୋଲିଥିଲୁ ଏବଂ ଓଡ଼ିଶାର ନାଗରିକ ଓ ପ୍ରବାସୀ ଓଡ଼ିଆଙ୍କ ଠାରୁ ୩.୨ ଲକ୍ଷରୁ ଅଧିକ ପ୍ରସ୍ତାବ ମିଳିସାରିଛି । ଆମର ଭିଜନ ଡକ୍ୟୁମେଣ୍ଟ ଲୋକଙ୍କ ପାଇଁ ଏବଂ ଲୋକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି।
ଏହି ଡକୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସର ବ୍ୟବହାର କରାଯାଇଛି ବୋଲି ମତଦେଇ ସେ କହିଲେ ଯେ, ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ, ଯାହା କୁତ୍ରିମ ବୁଦ୍ଧିମତ୍ତାର ସହାୟତାରେ ଜନସାଧାରଣ ଦେଇଥିବା ତଥ୍ୟ ଏବଂ ପରାମର୍ଶଗୁଡ଼ିକୁ ବିଶ୍ଳେଷଣ କରି, ଏହି ଦସ୍ତାବିଜ ପ୍ରସ୍ତୁତ କରୁଛନ୍ତି।
ବିଧାୟକ ଓ ସାଂସଦ ମାନଙ୍କ ଠାରୁ ମଧ୍ୟ ସେମାନଙ୍କର ଦୀର୍ଘ ଦିନର ଅଭିଜ୍ଞତା ଦୃଷ୍ଟିରୁ, ତାଙ୍କର ମୂଲ୍ୟବାନ ମତାମତ ଦେବାପାଇଁ ପତ୍ର ଜରିଆରେ ଅନୁରୋଧ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ ।
କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଲେ ଯେ, ଆମର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତର ଲକ୍ଷ୍ୟ, ଏ ଦୁଇଟି ବିଷୟକୁ ନେଇ ଆମର କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାକୁ ପଡିବ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଦେଶ ଏବେ ଆତ୍ମ ନିର୍ଭର ଭାରତ ହେବା ଦିଗରେ ଅଗ୍ରସର ହୋଇ ଚାଲିଛି। ୨୦୩୬ରେ ଓଡିଶାରେ ମହିଳା ସଶକ୍ତି କରଣ କିପରି ହେବ ସେ ବିଷୟରେ ମଧ୍ୟ ସ୍ପଷ୍ଟ ଦିଗ ନିର୍ଦ୍ଧାରଣ କରାଯାଇଛି। ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ମିଳିବା ଆବଶ୍ୟକ। ସବୁ କ୍ଷେତ୍ରରେ ସେମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯିବା ଆବଶ୍ୟକ। ଓଡିଶାରେ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡିଶା ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ଅଧିକ ସଫଳତା ହାସଲ କରିଛି ବୋଲି ପ୍ରକାଶ କରି ସେ କହିଲେ ଯେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି।
କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଆଇନ, ଅବକାରୀ ଏବଂ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ
ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ