ଭାରତ-ପାକ୍ ବିବାଦ: ଆଜି ଡିଜିଏମଓ ସ୍ତରୀୟ ବୈଠକ


ଓଡ଼ିଶା ଡଟ୍ ନ୍ୟୁଜ୍: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ଆଜି ବସିବାକୁ ଯାଉଛି ଡିଜିଏମଓ ସ୍ତରୀୟ ବୈଠକ । ମଧ୍ୟାହ୍ନ ୧୨ଟାରେ ଡାଇରେକ୍ଟର ଜେନେରାଲ ମିଲିଟାରୀ ଅପରେସନ୍ ବା ଡିଜିଏମଓ ସ୍ତରୀୟ ବୈଠକ ହେବ । ଅସ୍ତ୍ରବିରତି ପରେ ଏବେ ପାକିସ୍ତାନ ସହ କେବଳ ଡିଜିଏମ୍‌ଓ ସ୍ତରୀୟ ବୈଠକରେ ହିଁ ଆଲୋଚନା ହେବ । କୌଣସି ଅନ୍ୟ ଦେଶ ଏଥିରେ ସାମିଲ ହେବ ନାହିଁ କି ମଧ୍ୟସ୍ଥତା କରିବ ନାହିଁ । ଆଗକୁ ଦୁଇ ଦେଶ ମଧ୍ୟରେ ସୀମାରେ ଶାନ୍ତି ବଜାୟ ରଖିବା ନେଇ ବୈଠକରେ ଆଲୋଚନା କରାଯିବ ।
ବୈଠକରେ କୌଣସି ଅଧିକାରୀ ରହିବେ ନାହିଁ । କେବଳ ଦୁଇ ଦେଶର ଡିଜିଏମଓ ବୈଠକରେ ରହିବେ । ଭାରତର ଏହି ଦାୟିତ୍ବରେ ଅଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ । ପାକିସ୍ତାନ ଡିଜିଏମଓ ମେଜର ଜେନେରାଲ କାସିଫ ଅବଦୁଲ୍ଲାଙ୍କ ସହ ଆଲୋଚନା
କରିବେ ରାଜୀବ ଘାଇ । ସେ ଭାରତୀୟ ସେନାରେ ଥ୍ରୀ-ଷ୍ଟାର ରାଙ୍କ ଅଧିକାରୀ । କୌଣସି ସୈନ୍ୟ ଅଭିଯାନର ନେତୃତ୍ବ ନେଇଥାନ୍ତି ଡିଜିଏମଓ । ଯୁଦ୍ଧ ସମୟରେ ସୈନ୍ୟ ଅଭିଯାନର ସବୁ ନିଷ୍ପତ୍ତି ସେ ନେଇଥାନ୍ତି । ଯୁଦ୍ଧ ରଣନୀତି ପ୍ରସ୍ତୁତିରେ ପ୍ରମୁଖ ଭୂମିକା ତୁଲାଇଥାନ୍ତି ଓ ସିଧା ଆର୍ମି ଚିଫ୍ ବା ସେନା ମୁଖ୍ୟକୁ ରିପୋର୍ଟ କରନ୍ତି ।
ସୈନ୍ୟ ଅଭିଯାନ, ଯୁଦ୍ଧ ସମ୍ପର୍କୀତ ସବୁ ତଥ୍ୟ ଡିଜିଏମଓଙ୍କ ପାଖରେ ଥାଏ । ଗୁଇନ୍ଦା ସଂସ୍ଥା ବି ଡିଜିଏମଓଙ୍କୁ ସବୁ ଗୁଇନ୍ଦା ତଥ୍ୟ ପ୍ରଦାନ କରନ୍ତି । ଯୁଦ୍ଧ ଆରମ୍ଭରୁ ଯୁଦ୍ଧ ବିରତି ପର୍ଯ୍ୟନ୍ତ ସବୁ ନିଷ୍ପତ୍ତି ଡିଜିଏମଓଙ୍କର ରହିଥାଏ । ଡିଜିଏମଓଙ୍କ ଚୟନ ସେନା ମୁଖ୍ୟ ଓ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ହୋଇଥାଏ ।