Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ଷତିଗ୍ରସ୍ତ ହୋଇଛି କି ପାକ୍ ପରମାଣୁ ଅସ୍ତ୍ର ଭଣ୍ଡାର ? ପରମାଣୁ ବିକରଣ ନେଇ ଚର୍ଚ୍ଚା

ପାକିସ୍ତାନର କିରାନା ହିଲ୍ସ ଆଣବିକ ସଂରକ୍ଷଣ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି। ଏହି କାରଣରୁ ବିକରଣ ହୋଇଛି ଏବଂ ଗତ ଦୁଇ ଦିନ ମଧ୍ୟରେ ତିନି ଥର ଭୂକଂପ ମଧ୍ୟ ହୋଇଛି। ଆଣବିକ ବିକରଣକୁ ନିଷ୍କ୍ରିୟ କରିବା ଲାଗି ଇଜିପ୍ଟରୁ ଏକ ସ୍ବତନ୍ତ୍ର ସାମରିକ ବିମାନ ଚୀନ ଦେଇ ପାକିସ୍ତାନ ଆସିଛି। ପାକିସ୍ତାନ ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ଜୋର ଧରିଛି। ଭାରତ କ୍ଷେପଣାସ୍ତ୍ର ମାଡ଼ରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି।

ଗତ ଗୁରୁବାର ରାତିରେ ପାକିସ୍ତାନ ସେନା ଦିଲ୍ଲୀକୁ ଟାର୍ଗେଟ୍‌ କରି ଦୀର୍ଘଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର (ଫତେହ-୨) ମାଡ଼ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଭାରତୀୟ ସେନା ଏହାକୁ ନିଷ୍କ୍ରିୟ କରି ହରିଆଣାର ହିସାର୍‌ ଅଞ୍ଚଳରେ ଖସାଇ ଦେଇଥିଲା। ପାକିସ୍ତାନର ଏହି ଆକ୍ରମଣରୁ ଭାରତ ଏକ ଭୟଙ୍କର ସ୍ଥିତିରୁ ବର୍ତ୍ତି ଯାଇଥିଲା ବେଳେ ଭାରତୀୟ ସେନା ପରବର୍ତ୍ତୀ ମୁହୂର୍ତ୍ତରେ ପାକିସ୍ତାନ ଉପରେ ଭୟଙ୍କର ଆକ୍ରମଣ କରିଥିଲା। ଯାହାକି ତିନି ଦିନର ଅପରେସନ୍‌ ସିନ୍ଦୂରରେ ସବୁଠୁ ଭୟାନକ ଥିଲା। ଭାରତୀୟ ସେନା ପାକିସ୍ତାନର ୮ଟି ପ୍ରମୁଖ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା। ଶକ୍ତିଶାଳୀ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ ଦ୍ୱାରା ଭାରତୀୟ ସେନା ରାୱଲପିଣ୍ଡି ସମେତ ପଞ୍ଜାବ ପ୍ରଦେଶ ସ୍ଥିତ ସରଗୋଦା ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ଆକ୍ରମଣ ବେଳେ ଭାରତ ପାକିସ୍ତାନ ସେନାର ଗୁରୁତ୍ୱପୂର୍ଣ୍ଣ କିରାନା ହିଲ୍ସକୁ ଟାର୍ଗେଟ୍‌ କରିଥିବା ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ଆଜି ସାମ୍ବାଦିକମାନେ ଏସଂପର୍କରେ ପ୍ରଶ୍ନ କରିବାରୁ ଏୟାର୍‌ ମାର୍ଶାଲ୍‌ ଭାରତୀ ସାମାନ୍ୟ ହସି ବ୍ୟଙ୍ଗାତ୍ମକ ଭାବେ ଧନ୍ୟବାଦ ଜଣାଇ କହିଥିଲେ, ଆମେ ଯେଉଁ ବିଷୟରେ ଜାଣିନଥିଲୁ, ସେ ସମ୍ପର୍କରେ ଆପଣମାନେ ଜଣାଇଛନ୍ତି। କିନ୍ତୁ ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ର ଉପରେ କୌଣସି ଆକ୍ରମଣ କରାଯାଇନାହିଁ ବୋଲି କହିଥିଲେ। ପାକିସ୍ତାନର ପଞ୍ଜାବ ପ୍ରଦେଶ ସ୍ଥିତ ସରବୋଦା ଜିଲ୍ଲାରେ ରହିଥିବା କିରାନା ହିଲ୍ସ ପାକିସ୍ତାନ ପ୍ରତିରକ୍ଷା ବିଭାଗର ପ୍ରମୁଖ ଅସ୍ତ୍ର ଭଣ୍ଡାର ଭାବେ ପରିଚିତ। ବିଶେଷକରି ଏଠାରେ ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ର ସଂରକ୍ଷିତ କରାଯାଇଥିବା ବେଳେ ଏହା ପାକିସ୍ତାନ ସେନା ପାଇଁ ସଞ୍ଜିବନୀ ଭାବେ ଜଣାଶୁଣା। କୁହାଯାଏ ଯେ କିରାନା ହିଲ୍ସ ମଧ୍ୟରେ ରହିଥିବା ସୁଦୃଢ଼ ଗୁମ୍ଫାଗୁଡ଼ିକ ମଧ୍ୟରେ ପାକିସ୍ତାନୀ ସେନା ଏହାର ପରମାଣୁ ଯୁଦ୍ଧାସ୍ତ୍ର ସଂରକ୍ଷଣ କରି ରଖିଛି। ସରଗୋଦା ବାୟୁସେନା ଘାଟିରୁ ଏହି ଅଞ୍ଚଳ ମାତ୍ର ୨୦ କିଲୋମିଟର ଦୂରରେ ରହିଥିବା ବେଳେ ପାକିସ୍ତାନର କୁସାବ ପରମାଣୁ କେନ୍ଦ୍ରଠାରୁ ଏହା ୭୫ କିଲୋମିଟର ଦୂରରେ ରହିଛି।

ତେବେ ଏହି ବିଷୟକୁ ନେଇ କିଛି ରହସ୍ୟ ଅଛି ବୋଲି ଆକଳନ କରାଯାଉଛି। ଯଦି ଅସ୍ତ୍ରବିରତିର ପୂର୍ବ କିଛି ଘଣ୍ଟାର ସ୍ଥିତି ସମ୍ପର୍କରେ ବିଚାର କରାଯାଏ ତେବେ ଭାରତୀୟ ସେନାର ଆକ୍ରମଣରେ କିରାନା ହିଲ୍ସରେ ଗଚ୍ଛିତ ପରମାଣୁ ଅସ୍ତ୍ର କ୍ଷତିଗ୍ରସ୍ତ ହୋଇଛି ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଆକ୍ରମଣରେ ଛାନିଆ ହୋଇ ପାକିସ୍ତାନୀ ସେନା ତୁରନ୍ତ ଆମେରିକା ଶରଣ ପଶିଥିଲା। ଏହା ପରେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ତୁରନ୍ତ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ସହ କଥା ହୋଇ ତୁରନ୍ତ ଉଭୟ ପକ୍ଷ ଉତ୍ତେଜନା ହ୍ରାସ କରିବା ପାଇଁ କହିଥିଲେ। ଏହାର କିଛି ଘଣ୍ଟା ପରେ ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ସମ୍ପର୍କରେ ଘୋଷଣା କରିଥିଲେ।

‌ପୁଣି ଗତ ଦୁଇ ଦିନରେ ତିନି ଥର ଭୂକଂପ ହୋଇଥିବା ଜଣାପଡ଼ିଛି। ପରମାଣୁ ପରୀକ୍ଷା କିମ୍ବା ପରମାଣୁ ଅସ୍ତ୍ର ଭଣ୍ଡାର ଉପରେ ଆକ୍ରମଣ ହେଲ ଏପରି ଭୂମିକଂପ ହୁଏ ବୋଲି କୁହାଯାଉଛି। ଇତିମଧ୍ୟରେ ଇଜିପ୍ଟର ଏକ ସାମରିକ ବିମାନ ପାକିସ୍ତାନରେ ପହଞ୍ଚିବା ଘଟଣା ବିଶେଷଜ୍ଞ ମହଲକୁ ବିସ୍ମିତ କରିଛି। ଭାରତୀୟ ସେନାର ଆକ୍ରମଣରେ ପାକିସ୍ତାନର କିରାନା ହିଲ୍ସ ସ୍ଥିତ ଆଣବିକ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ଏହି ବିମାନରେ ଇଜିପ୍ଟରୁ ‘ବୋରନ୍‌’ ଭଳି ଏକ ଦୁର୍ଲଭ ସାମଗ୍ରୀ ଆଣିଛି ବୋଲି କୁହାଯାଉଛି। ଇଜିପ୍ଟର ଇଜିୱାଇ-୧୯୧୬ ବିମାନଟି ଭୂର୍ବନ ବିମାନବନ୍ଦରରୁ ବାହାରି ଚୀନ ଦେଇ ପାକିସ୍ତାନରେ ପହଞ୍ଚିଥିଲା। ଇଜିପ୍ଟର ନୀଳ ନଦୀର ସନ୍ତସନ୍ତିଆ ଅଞ୍ଚଳରେ ‘ବୋରନ୍‌’ ନାମକ ଏକ ପଦାର୍ଥ ମିଳେ ଯାହାକି ପରମାଣୁ ଅସ୍ତ୍ର ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ୟୁରାନିୟମ୍‌ ବିକରଣରୁ ବୋରନ୍‌-୧୦ ଥର୍ମାଲ୍‌ ନ୍ୟୁଟ୍ରନ୍‌ ଗ୍ରହଣ କରିବା କ୍ଷମତା ରଖିଥିବାରୁ ଏହାକୁ ଆଣବିକ ଶକ୍ତିକେନ୍ଦ୍ରରେ ବ୍ୟବହାର କରାଯାଇଥାଏ। ଏହାଛଡ଼ା ଜରୁରୀକାଳୀନ ଆଣବିକ ଅସ୍ତ୍ର ପ୍ରସ୍ତୁତି ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ବୋରନ୍‌-୧୦ର ଉପାଦେୟତା ଯଥେଷ୍ଟ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ