“ମୋ ଭାଷଣ ଆସିଲେ ଟିଭି କାଟିଦେଉଛନ୍ତି ବିଡିଓ, ମୁଁ ବି ହାର୍ଡ ନିଷ୍ପତ୍ତି ନେଇପାରେ” : ମୁଖ୍ୟମନ୍ତ୍ରୀ ମୋହନ ମାଝୀ


“କିଛି ବିଡିଓ ମୋ ସହ ଭଲ ସମ୍ପର୍କ ରଖିନାହାନ୍ତି । ଭିଡିଓ କନଫରେନ୍ସରେ ମୋ ଭାଷଣ ଆସିଲେ, ଟିଭି ବନ୍ଦ କରିଦେଉଛନ୍ତି । ଲୋକଙ୍କୁ ପଳାଇବାକୁ କହୁଛନ୍ତି । ଏହାପରେ ପରିସ୍ଥିତି କଣ ହେବ ଆପଣମାନେ ଜାଣିଛନ୍ତି । ମୁଖ୍ୟମନ୍ତ୍ରୀ ଭିସିରେ ଭାଷଣ ଦେଉଥିବା ସମୟରେ ଟିଭି ବନ୍ଦ କରିଦେବାକୁ ମୁଁ କ୍ଷମା ଦେବିନି ।

ମୁଁ ଆଦିବାସୀ, ତଳୁ ଆସିଛି, ମୋ ସରଳତା ମୋ ଦୁର୍ବଳତା ନୁହେଁ । ମୁଁ ହାର୍ଡ ନିଷ୍ପତ୍ତି ବି ନେଇପାରେ”, ଗୁରୁବାର ଏଭଳି କିଛି କଥା କହିବା ସହିତ ବିଡିଓଙ୍କୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସେ କହିଛନ୍ତି ଯେ, ମୁଁ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛି । ଆଦିବାସୀ ବର୍ଗରୁ ପ୍ରତିନିଧିତ୍ଵ କରୁଛି । କିନ୍ତୁ ମୁଁ ବହୁତ ବଡ଼ ନିଷ୍ପତ୍ତି ନେଇପାରେ । ମୋ ପାଖରେ ସବୁ ରିପୋର୍ଟ ରହିଛି । ସେ କାଳ ପଖାଳ ଆଉ ନାହିଁ । ନୂଆ ସରକାରଙ୍କ ଆଭିମୁଖ୍ୟକୁ ନେଇ କାମ କରିବାକୁ ପଡ଼ିବ । ଯିଏ କାମ ନ କରିବ କ୍ଷମା ନାହିଁ । କୌଣସି ରାଜନୈତିକ ଚାପରେ ବଶବର୍ତ୍ତୀ ନହୋଇ କାମ କରିବାକୁ ବିଡିଓଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏହାସହ ବର୍ତ୍ତମାନ ଜିଏ ବିଭାଗର ଅତିରିକ୍ତ ସଚିବ ଥିବା ମନୋଜ କୁମାର ମହାନ୍ତି ବିଡିଓ ଥିବା ବେଳେ ଭଲ କାମ କରିଥିବା କହି ଉଦାହରଣ ଦେଇଛନ୍ତି । ଏହାସହ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମନରେଗାରେ ମେସିନରେ କାମ ବନ୍ଦ କର । ମେସିନ୍ ନ ଲଗାଇ ଶ୍ରମିକମାନଙ୍କୁ ନିଯୁକ୍ତି କରି କାମ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ଆଗାମୀ ଦିନରେ ଗାଇଡଲାଇନ୍ ଆସିବ । ମନରେଗାରେ ଲେବର୍ ଲଗାଇ କାମ ନକରି ମେସିନରେ କାମ ହେଉଛି । ମଷ୍ଟର ରୋଲରେ ବିଭିନ୍ନ ଲୋକଙ୍କ ନା ପକାଇ କାମ ହେଉଛି । ଯାହାର ନା ମଷ୍ଟର ରୋଲରେ ଅଛି, ସେ ମହାବିଦ୍ୟାଳୟର ଲେକ୍ଚର ତ ଆଉ କେଉଁଠି ମେଡିସିନ୍ ଡାକ୍ତର ବୋଲି କହିବା ସହିତ ତୁରନ୍ତ ଶ୍ରମିକଙ୍କୁ ନିଯୁକ୍ତି କରି କାମ କରିବାକୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।