ଖାଦ୍ୟଶସ୍ୟ ଉତ୍ପାଦନରେ ରେକର୍ଡ କଲା ଓଡ଼ିଶା


ଭୁବନେଶ୍ୱର: ଖାଦ୍ୟଶସ୍ୟ ଉତ୍ପାଦନରେ ବଡ଼ ସଫଳତା ହାସଲ କରିଛି ଓଡ଼ିଶା। ୨୦୨୨-୨୩ ବର୍ଷରେ ରାଜ୍ୟରେ ୧୩୬ ଲକ୍ଷ ୬ ହଜାର ମେଟ୍ରିକ୍ ଟନରୁ ଅଧିକ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇଛି। ଏ ନେଇ କୃଷି ବିଭାଗ ପକ୍ଷରୁ ସୂଚନା ଦିଅଆଯାଇଛି। ୨୦୨୦-୨୧ ତୁଳନାରେ ଗତ ବର୍ଷ ଅଧିକ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇଛି। ୨୦୨୦-୨୧ ରେ ୧୩୦ ଲକ୍ଷ ୩୮ ହଜାର ମେଟ୍ରିକ୍ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା। ଏଥିରେ ଖୁସି ବ୍ୟକ୍ତ କରିଛନ୍ତି କୃଷି ମନ୍ତ୍ରୀ। ଏଥିପାଇଁ ସେ ଚାଷୀ ଓ  ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  ।

ସେଥିରୁ୧୧୫ ଲକ୍ଷ ମେଟ୍ରିକ୍ ଟନ ଚାଉଳ ଉତ୍ପାଦନ ହୋଇଥିବାବେଳେ ୮ ଲକ୍ଷ ୬୦ ହଜାର ମେଟ୍ରିକ୍ ଟନରୁ ଅଧିକ ମକା, ୧ ଲକ୍ଷ ୬୧ ହଜାର ମେଟ୍ରିକ୍ ଟନରୁ ଅଧିକ ମାଣ୍ଡିଆ ଏବଂ  ୨୮ ହଜାର ମେଟ୍ରିକ ଟନରୁ ଅଧିକ ଗହମ, ବାଜରା, ଓ ଅନ୍ୟ ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇଛି ।

ସେହିପରି ୧୦ ଲକ୍ଷ ୫୫ ହଜାର ମେଟ୍ରିକ୍ ଟନରୁ ଅଧିକ ଡାଲିଜାତୀୟ ଶସ୍ୟ ଉତ୍ପାଦନ ହୋଇଥିବା ବେଳେ ୪ ଲକ୍ଷ ୨୧ ହଜାର ମେଟ୍ରିକ୍ ଟନ୍‌ରୁ ଅଧିକ ମୁଗ, ୧ ଲକ୍ଷ ୯୭ ହଜାର ମେଟ୍ରିକ୍ ଟନରୁ ଅଧିକ ବିରି, ୧ ଲକ୍ଷ ୩୭ ହଜାର ମେଟ୍ରିକ ଟନରୁ ଅଧିକ ହରଡ଼, ୯୧ ହଜାର ମେଟ୍ରିକ୍ ଟନରୁ ଅଧିକ କୋଳଥ, ୨୯ ହଜାର ମେଟ୍ରିକ ଟନରୁ ଅଧିକ ମଟର, ୭ ହଜାର ମେଟ୍ରିକ ଟନରୁ ଅଧିକ ମସୁର, ୬୮ ହଜାର ମେଟ୍ରିକ ଟନରୁ ଅଧିକ ବରଗୁଡ଼ି ଏବଂ ଅନ୍ୟ ଡାଲିଜାତୀୟ ଫସଲ ୭୬ ହଜାର ମେଟ୍ରିକ ଟନ୍ ଅନ୍ତର୍ଭୁକ୍ତ ରହିଛି ।