ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ..ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା…


ଆତଙ୍କୀସ୍ଥାନର ମୁହଁଫୁଟାଣି ଛାଡିଗଲା । ସବୁ ସତ ମାନିଲା ।ମୁହଁଟାଣ ଦେଖାଉ ଥିବା ପାକିସ୍ତାନ ଶେଷରେ ମାନିଲା । ଭାରତର ଆକ୍ରମଣକୁ ସ୍ୱୀକାର କରିଛି ପାକିସ୍ତାନ । ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ପ୍ରଥର ଥର ପାଇଁ ସାର୍ବଜନିକ ରୂପରେ ଭାରତ ଦ୍ୱାରା ହୋଇଥିବା ଅପରେସନ୍ ‘ସିନ୍ଦୂର’ ଜରିଆରେ ରାୱଲପିଣ୍ଡର ନୂର ଏୟାରବେସ୍ ଓ ଅନ୍ୟ ସୈନ୍ୟ ଘାଟିରେ ହୋଇଥିବା ମିସାଇଲ ମାଡ଼କୁ ସ୍ୱୀକାର କରିଛନ୍ତି ।

ନୂର ଖାନ୍ ଏୟାରବେସ୍ରେ ଭାରତର ମିସାଇଲ ମାଡ଼କୁ ସ୍ୱୀକାର କରି ଶେହବାଜ ସରିଫ୍ କହିଛନ୍ତି, ” ମେ ୯ ଓ ୧୦ ତାରିଖ ରାତି ୨ଟା ୩୦ରେ ପାକିସ୍ତାନ ଆର୍ମି ଚିଫ୍ ଅସିମ୍ ମୁନୀର ଫୋନ୍ କରିଥିଲେ । କହିଥିଲେ ଭାରତର ବାଲାଷ୍ଟିକ ମିସାଇଲ ନୂର ଏୟାରବେସ୍ ଓ ଅନ୍ୟ ସୈନ୍ୟ ଠିକଣାରେ ଆକ୍ରମଣ କରିଛି । ଆମର ବହୁତ କ୍ଷତି ହୋଇଛି । ଆମ ବାୟୁସେନା ଦେଶକୁ ବଞ୍ଚେଇବାକୁ ସ୍ୱଦେଶୀ ଟେକନିକ୍ ଆପଣେଇଥିଲା ।”

ଶେହବାଜ ସରିଫ୍ ଇସଲାମାବାଦ ସ୍ଥିତ ପାକିସ୍ତାନ ମନ୍ୟୁମେଣ୍ଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତର ଆକ୍ରମଣକୁ ସ୍ୱୀକାର କରିଛନ୍ତି । ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି । ଭୟଙ୍କର କ୍ଷତି ସହିଥିବା ନେଇ ଶେଷରେ ମାନିଛି ପାକିସ୍ତାନ । ଶେହବାଜଙ୍କ ସ୍ୱୀକାରୋକ୍ତି ସମୟର ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କହି ରଖୁଛି କି, ଏପ୍ରିଲ ୨୨ରେ ପହଲଗାମ ବୈସନର ଘାଟିରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୬ ନୀରିହ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଜଣେ ନେପାଳୀ ନାଗରିକ ଥିଲେ । ପହଲଗାମ ଆତଙ୍କୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଥିଲା । ଧର୍ମ ପଚାରି ସ୍ତ୍ରୀ ଆଗରେ ସ୍ୱାମୀକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ । ଏହି ଆକ୍ରମଣର ପ୍ରତିଶୋଧ ନେବାକୁ କ୍ରୋଧର ନିଆଁରେ ଜଳୁଥିଲେ ଦେଶବାସୀ । ଶେଷରେ ମେ ୬ ବିଳମ୍ବିତ ରାତିରେ ଭାରତୀୟ ସେନାର ଅପରେସନ୍ ‘ସିନ୍ଦୂର’ ଆରମ୍ଭ ହୋଇଥିଲା । ଲୁହ-ଲହୁର ହିସାବ ନେଇଥିଲା ଭାରତ । ପାକିସ୍ତାନ ଓ ପିଓକେ ସମେତ ୯ଟି ଆତଙ୍କୀ ଆଡ୍ଡାରେ ମିସାଇଲ ମାଡ଼ କରି ମାଟିରେ ମିଶାଇ ଦେଇଥିଲେ ଭାରତୀୟ ସେନା । ଏଥିରେ ୧୦୦ ଆତଙ୍କୀ ନିପାତ ହୋଇଥିଲେ । ପାକିସ୍ତାନର ଏକାଧିକ ଏୟାରବେସ୍କୁ ଧ୍ୱଂସ ହୋଇଥିଲା । ସରଗୋଡ଼ା, ରହିମ ଏୟାର ଖାନ୍ ଓ ନୂର ଖାନ୍ ସମେତ ଏକାଧିକ ଏୟାରବେସ୍ ଛାରଖାର ହୋଇଥିଲା ।