ସ୍ୱାମୀଙ୍କ ଆଇନଗତ ପ୍ରତିନିଧି ବା ଅଭିଭାବକ ହୋଇପାରିବେ ପତ୍ନୀ : ହାଇକୋର୍ଟ


ସ୍ୱାମୀଙ୍କ ଆଇନଗତ ପ୍ରତିନିଧି ବା ଅଭିଭାବକ ହୋଇପାରିବେ ପତ୍ନୀ । ବିଶେଷକରି ସ୍ବାସ୍ଥ୍ୟଗତ କାରଣରୁ ଅଚେତନ ଅବସ୍ଥାରେ ଥିବା ସ୍ବାମୀଙ୍କ ଆଇନଗତ ଅଭିଭାବକ ଭାବରେ ପତ୍ନୀଙ୍କୁ ନିଯୁକ୍ତି ଦିଆଯାଇପାରିବ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଅଚେତନ ଅବସ୍ଥାଗ୍ରସ୍ତ ସ୍ବାମୀଙ୍କ ଅଭିଭାବକ ଭାବେ ପତ୍ନୀଙ୍କୁ ସ୍ବୀକୃତି ଦେବା ସାମ୍ବିଧାନିକ ମୂଲ୍ୟ ଅନୁପରୂପ ବୋଲି କୋର୍ଟ କହିଛନ୍ତି ।

ଏହା ମଧ୍ୟ ବୈବାହିକ ବନ୍ଧନକୁ ଏକତା, କର୍ତ୍ତବ୍ୟ ଓ ପାରସ୍ପରିକ ରକ୍ଷକ ଭାବେ ମାନ୍ୟତା ପ୍ରଦାନ କରୁଥିବା ପରମ୍ପରା ସହିତ ଜଡିତ ବୋଲି କୋର୍ଟ କହିଛନ୍ତି । ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ପାଇଁ ଜଣେ ବ୍ୟକ୍ତି ଅଚେତନ ଅବସ୍ଥାରେ ମଧ୍ୟ ଦୀର୍ଘ ଦିନ ବଞ୍ଚି ରହିବା ସମ୍ଭବ ହେଉଛି । ଏଭଳି ସ୍ଥିତିରେ ବାସ୍ତବିକ ସ୍ଥିତିକୁ ବିଚାରକୁ ନିଆଯିବା ଉଚିତ । ମାନବୀୟ ଗରିମାକୁ ଅଣଦେଖା ନ କରି ଏପରି ଅକ୍ଷମ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି ।

ଏଥି ସହିତ ଏକ ବର୍ଷରୁ ଅଧିକ ଦିନ ହେବ ଅଚତେନ ଅବସ୍ଥାରେ ଥିବା ସ୍ବାମୀଙ୍କ ଆଇନଗତ ଅଭିଭାବକ ଓ ପ୍ରତିନିଧି ଭାବେ ପତ୍ନୀଙ୍କୁ ନିଯୁକ୍ତି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାମୀଙ୍କ ବୈଧାନିକ ଦାୟିତ୍ବ ସମେତ ବ୍ୟକ୍ତିଗତ, ଆଇନଗତ, ମେଡିକାଲ ଓ ବ୍ୟାବସାୟିକ ମାମଲା ପରିଚାଳନା ପାଇଁ ପତ୍ନୀଙ୍କ ପୂର୍ଣ୍ଣ ଅଧିକାର ରହିବ । ସମସ୍ତ ବ୍ୟାଙ୍କ, ନିୟାମକ ସଂସ୍ଥା ଓ ଅନ୍ୟ କର୍ତ୍ତୃପକ୍ଷ ପତ୍ନୀଙ୍କ ଏପରି ଅଧିକାରକୁ ସ୍ବୀକାର କରି‌ବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି ।