ସମ୍ବଲପୁର:ସମ୍ବଲପୁରରେ ଆୟୋଜିତ ହୋଇଛି ପରାକ୍ରମ ଶୋଭାଯାତ୍ରା।ଜୟ ହିନ୍ଦ୍’ ଏବଂ ‘ଭାରତ ମାତା କୀ ଜୟ’ ସ୍ଲୋଗାନରେ ସମ୍ବଲପୁର ଗୁଞ୍ଜରିତ ହୋଇଉଠିଛି।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସମ୍ବଲପୁର ଠାରେ ‘ଅପରେସନ ସିନ୍ଦୂର’ର ସଫଳତା ତଥା ଭାରତର ସେନାବାହିନୀଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆୟୋଜିତ ‘ପରାକ୍ରମ ଶୋଭାଯାତ୍ରା’ରେ ସାମିଲ ହୋଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦଳର କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣଙ୍କ ସହ ‘ପରାକ୍ରମ ଶୋଭାଯାତ୍ରା’ରେ ସାମିଲ ହୋଇ ମୁଁ ଗର୍ବ ଅନୁଭବ କରୁଛି । ଏହି ଶୋଭାଯାତ୍ରା ଅପରେସନ ସିନ୍ଦୂରର ସଫଳତା, ଦେଶର ସୈନ୍ୟଶକ୍ତିର ଶୌର୍ଯ୍ୟ ଓ ପରାକ୍ରମକୁ ସମ୍ମାନ ଜଣାଇବାର ମହାନ ଅବସର । ‘ଅପରେସନ ସିନ୍ଦୂର’ ଜରିଆରେ ଭାରତର ପରାକ୍ରମକୁ ସାରା ବିଶ୍ୱ ଦେଖିଛି । ଭାରତର ସୈନିକ ଶକ୍ତି ନିଜର ପରାକାଷ୍ଠା ଦେଖାଇଛି । ଆମର ଭାରତୀୟ ସେନାମାନେ ନିପୁଣତାର ସହ ଆତଙ୍କବାଦୀ ତଥା ସେମାନଙ୍କୁ ପ୍ରଶୟ ଦେଉଥିବା ପାକିସ୍ତାନକୁ ଉଚିତ୍ ଜବାବ୍ ଦେଇଛି । ‘ଅପରେସନ ସିନ୍ଦୂର’ରେ ଭାରତୀୟ ସେନାର ପରାକ୍ରମ ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତ଼ୃତ୍ୱରେ ଭାରତ ସାମରିକ ଶକ୍ତି କ୍ଷେତ୍ରରେ ବିଶ୍ୱରେ ନୂଆ ପରିଚୟ ତିଆରି କରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ ନେତୃତ୍ୱ ଏବଂ ଭାରତୀୟ ସେନାର ଅଦମ୍ୟ ସାହସ ପାଇଁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
‘ପରାକ୍ରମ ଶୋଭାଯାତ୍ରା’ ରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଏବଂ ଶହୀଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ, ବୀର ସୁରେନ୍ଦ୍ର ସାଏ ଓଡ଼ିଶାର ଶୌର୍ଯ୍ୟମୟ ପରିଚୟର ଅନନ୍ୟ ପ୍ରତୀକ । ତାଙ୍କର ଅଦ୍ୱିତୀୟ ସାଂଗଠନିକ ଶକ୍ତି ଓ ରଣକୌଶଳ ଓଡିଆ ଜାତିର ବୀରତ୍ୱର ପ୍ରତିଫଳନ । ତାଙ୍କର ତ୍ୟାଗ, ଶୌର୍ଯ୍ୟ ଓ ପରାକ୍ରମ ସର୍ବଦା ଆମର ଯୁବପିଢିମାନଙ୍କୁ ପ୍ରେରିତ କରିବ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ଓଡ଼ିଶାର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାୟକ, ପୂର୍ବତନ ବିଧାୟକ ନାଉରୀ ନାୟକ ଦାମୋଦର କରଙ୍କ ଭଳି ବହୁ ବିଜେପି କାର୍ଯ୍ୟକର୍ତ୍ତା, ସାଧାରଣ ଜନତା ପ୍ରମୁଖ ଯୋଗଦେଇ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଏହି ବିଶାଳ ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ। ଏହି ବିଶାଳ ଶୋଭାଯାତ୍ରା ଜେଲ୍ ଛକ ପରିସରରୁ ଆରମ୍ଭ ହୋଇ ନେଲସନ ମଣ୍ଡେଲା ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା,ପରେ ସହିଦ ସ୍ତମ୍ଭ ରେ ଶ୍ରଦ୍ଧାଞ୍ଜଳି ଦେଇ ଶୋଭାଯାତ୍ରା ସମାପନ କରାଯାଇଥିଲା।
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଶାଳ ଶୋଭାଯାତ୍ରାକୁ ସମ୍ବୋଧନ କରି କହିଲେ ମାନନୀୟ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ସେନା ଆଜି ଅପରେସନ ସିନ୍ଦୁର ମାଧ୍ୟମ ରେ ଆତଙ୍କବାଦୀ କାର୍ଯ୍ୟକଳାପ ର କଡ଼ା ଜବାବ୍ ଦେଇଛି ସେଥିପାଇଁ ସେ ଭାରତୀୟ ସେନା କୁ ସାଲ୍ୟୁଟ କରୁଛନ୍ତି।
ଏହି ବିଶାଳ ଶୋଭାଯାତ୍ରାକୁ ସମ୍ବୋଧନ କରି ଉପମୁଖ୍ୟମନ୍ତ୍ରୀ କହିଲେ ଆତଙ୍କବାଦ ବିରୋଧରେ ଲଢ଼େଇ “ଅପରେସନ ସିନ୍ଦୂର” ରେ ଭାରତୀୟ ସେନାର ପରାକ୍ରମ ସମସ୍ତ ଦେଶବାସୀଙ୍କୁ ଗର୍ବିତ କରିଛି। ସେଥିପାଇଁ ସେ ଆଜି କେନ୍ଦ୍ରସରକାର ଙ୍କ ପାଖେ କୃତଜ୍ଞ ।ତେଣୁ ସେ ସମସ୍ତଙ୍କୁ ଏହି ତ୍ରିରଙ୍ଗା ତଳେ ଶପଥ ନେବା ଯେ ଆଗାମୀ ଦିନ ରେ ଆମ ଦେଶକୁ ଯଦି ଏହି ଭଳି କିଛି ବିପଦ ଆସେ ତେବେ ସମସ୍ତେ ଏକଜୁଟ ଏହି ଭାରତୀୟ ସେନା କୁ ସମର୍ଥନ ଜଣାଇ ତାଙ୍କ ମନୋବଳ ବଢ଼ାଇବା ଓ ତାଙ୍କ ବିରତ୍ୱ କୁ ଉତ୍ସାହିତ କରିବା ବୋଲି ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ କହିଥିଲେ।
ଏହି ତ୍ରିରଙ୍ଗା ଯାତ୍ରାରେ,ରାଜସ୍ବ ବିଭାଗୀୟ ଆୟୁକ୍ତ, ଉତ୍ତରାଞ୍ଚଳ ବିଭାଗ, ସମ୍ବଲପୁର ସଚିନ୍ ରାମଚନ୍ଦ୍ର ଜାଧବ,ଆଇ.ଜି ହିମାଂଶୁ ଲାଲ,ଆରକ୍ଷୀ ଅଧିକ୍ଷକ ଶ୍ ମୁକେଶ ଭାମୂ ,ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ବେଦଭୂଷଣଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ବେଛାସେବୀ, ଏନ. ସି. ସି ସ୍କୁଲ ଛାତ୍ରଛାତ୍ରୀ,ଜନ ପ୍ରତିନିଧି, କ୍ରୀଡ଼ାବିତ, ଗଣମାଧ୍ୟମ ପ୍ରତିନିଧି, ଛାତ୍ରଛାତ୍ରୀ,ଜନସାଧାରଣ ଅଂଶ ଗ୍ରହଣ କରି ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରଂ ଧ୍ଵନି ଦେଇ ପଦଯାତ୍ରା ରେ ଯୋଗ ଦେଇଥିଲେ ।
ସମ୍ବଲପୁରରେ ପରାକ୍ରମ ଶୋଭାଯାତ୍ରା:ଜୟ ହିନ୍ଦ୍’ ଏବଂ ‘ଭାରତ ମାତା କୀ ଜୟ’ ସ୍ଲୋଗାନରେ ସମ୍ବଲପୁର ଗୁଞ୍ଜରିତ
