୯ ଦେଶ, ୧୨୦୦୦ ପରମାଣୁ ବୋମା, ମାନବ ସଭ୍ୟତା ଶେଷ ପାଇଁ କେବଳ ୫୦୦ ଯଥେଷ୍ଟ


ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ପରେ ପରମାଣୁ ଯୁଦ୍ଧର ଭୟ ବଢିଥିଲା । ପରମାଣୁ ଯୁଦ୍ଧ ଆଶଂକା ସବୁବେଳେ ବିଶ୍ୱରେ ଭୟର ମାହୋଲ କରି ରଖିଛି । ତେବେ ପ୍ରଶ୍ନ ଉଠେ ପରମାଣୁ ଯୁଦ୍ଧ ହେଲେ, ସତରେ କ’ଣ ଦୁନିଆ ଶେଷ ହୋଇଯିବ । ସତରେ କ’ଣ ମଣିଷ ଏତେ ପରମାଣୁ ବୋମା ତିଆରି କରିସାରିଛି, ଯାହା ଦୁନିଆକୁ ଶେଷ କରିଦେବ ?

୭ ଶହ କୋଟି ଲୋକଙ୍କୁ ଏକାସଙ୍ଗରେ ମାରିବା ଶକ୍ତି ମଣିଷ ପାଖରେ ଅଛି ? ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପୂର୍ବରୁ ଏହା ଜାଣିବା ଜରୁରି ଯେ ଦୁନିଆରେ ବର୍ତ୍ତମାନ କେତେ ପରମାଣୁ ବୋମା ବା ତାଠାରୁ ଅଧିକ ଶକ୍ତିଶାଳୀ ହାଇଡ୍ରୋଜେନ୍ ବୋମା ଅଛି । ଏବଂ କେଉଁ ଦେଶ ସବୁଠୁ ଅଧିକ ଶକ୍ତିଶାଳୀ ବୋମାର ମାଲିକ, ଯାହାକୁ ଡେଡ୍ ହ୍ୟାଣ୍ଡ ବା ଡୁମ୍ସ ଡେ ଡିଭାଇସ୍ କୁହାଯାଏ । ଏହାସହ ନ୍ୟୁକ୍ଲିୟର ବୋମା ପାଇଁ ପ୍ରତିଯୋଗିତା କେଉଁଠୁ ଆରମ୍ଭ ହେଲା ?

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ଯେତେବେଳେ ପ୍ରାୟ ସମଗ୍ର ବିଶ୍ୱ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଯାଇଥିଲା, ସେତେବେଳେ ପରମାଣୁ ବୋମା ତିଆରିର ମୂଳଦୁଆ ପଡ଼ିଥିଲା । ସେତେବେଳେ ଅଧିକାଂଶ ଦେଶ ପାଖରେ ପ୍ରାୟ ସମାନ ପ୍ରକାରର ଅସ୍ତ୍ରଶସ୍ତ୍ର ଥିଲା, କିନ୍ତୁ ପ୍ରତ୍ୟେକ ଦେଶ ଏପରି ଏକ ଅସ୍ତ୍ର ଧରିବାକୁ ଚିନ୍ତା କରୁଥିଲେ ଯାହା ଅନ୍ୟ କାହା ପାଖରେ ନଥିଲା । ଏହି ଦୌଡ଼ରେ ଅନେକ ଦେଶ ସାମିଲ ଥିଲେ, କିନ୍ତୁ ଆମେରିକା ପ୍ରଥମ ସଫଳତା ପାଇଲା । ୧୯୪୫ ମସିହାରେ, ଆମେରିକା ବିଶ୍ୱର ସବୁଠାରୁ ଧ୍ୱଂସକାରୀ ବୋମା ତିଆରି କରିଥିଲା । କିଛି ସପ୍ତାହ ପରେ, ଆମେରିକା ଏହାର ପ୍ରଭାବ ପରୀକ୍ଷା କରିବା ପାଇଁ ଦୁଇଟି ଜାପାନୀ ସହର, ହିରୋସିମା ଏବଂ ନାଗାସାକି ଉପରେ ଏହି ବୋମା ପକାଇଥିଲା । ପରିଣାମ ଏତେ ଭୟଙ୍କର ଥିଲା ଯେ ଏହାର ପ୍ରଭାବ ଏବେବି ଦେଖିବାକୁ ମିଳୁଛି ।

ଆମେରିକା ହାତରେ ଯେତେବେଳେ ଏହି ବିଧ୍ୱଂସକାରୀ ହତିଆର ଲାଗିଲା, ସେତେବେଳେ ଦୁନିଆର ଅନ୍ୟ ଦେଶ ମଧ୍ୟରେ ଏହାକୁ ହାସଲ କରିବା ପାଇଁ ପ୍ରତିଯୋଗିତା ଲାଗିଲା । ନ୍ୟୁକ୍ଲିୟର ବୋମା ତିଆରିର ୪ ବର୍ଷ ପରେ ୧୯୪୯ରେ ସୋଭିଏତ୍ ୟୁନିୟନ (ଏବେକାର ରୁଷ) ଏହାକୁ ହାସଲ କରିବାରେ ଦ୍ୱିତୀୟ ଦେଶ ହେଲା । ପରେ ୧୯୫୨ରେ ବ୍ରିଟେନ ମଧ୍ୟ ଏହି ସୂଚୀରେ ସାମିଲ ହୋଇ ପରମାଣୁ ଶକ୍ତି ରାଷ୍ଟ୍ର ହୋଇଥିଲା । ଏହାର ଆଠ ବର୍ଷ ପରେ ୧୯୬୦ରେ ଫ୍ରାନ୍ସ ମଧ୍ୟ ପରମାଣୁ ପରୀକ୍ଷଣ କରି ଦୁନିଆର ଚତୁର୍ଥ ନ୍ୟୁକ୍ଲିୟର ପାୱାର ହୋଇଥିଲା । କୁହାଯାଉଛି ଯେ ଫ୍ରାନ୍ସର ଏହି ସଫଳତାରେ ଆମେରିକା ସାହାଯ୍ୟ କରିଥିଲା ।

୧୯୬୪ ମସିହାରେ ଚୀନ ମଧ୍ୟ ସଫଳ ପରମାଣୁ ପରୀକ୍ଷଣ କରି ପଞ୍ଚମ ନ୍ୟୁକ୍ଲିୟର ପାୱର ଦେଶ ହେଲା । ଇସ୍ରାଏଲ୍ ନିଜ ପାଖରେ ପରମାଣୁ ଥିବା କେବେବି ଆନୁଷ୍ଠାନିକ ଭାବେ ସ୍ୱୀକାର କରିନି । କିନ୍ତୁ ଦାବି କରାଯାଉଛି ଯେ ୧୯୬୭ ସୁଦ୍ଧା ପାଶ୍ଚାତ୍ୟ ଦେଶ ସହଯୋଗରେ ଇସ୍ରାଏଲ୍ ମଧ୍ୟ ପରମାଣୁ ବୋମା ହାସଲ କରିସାରିଥିଲା । ୧୯୮୬ରେ ଦୁନିଆ ଇସ୍ରାଏଲକୁ ଷଷ୍ଠ ନ୍ୟୁକ୍ଲିୟର ରାଷ୍ଟ୍ର ଭାବେ ସ୍ୱୀକାର କରିଥିଲା । ଚୀନ ପରମାଣୁ ଶକ୍ତି ହେବା ପରେ ଭାରତ ମଧ୍ୟ ଏହି ଦିଗରେ ଜୋରଦାର ପ୍ରୟାସ ଆରମ୍ଭ କଲା । ଭାରତ ପାଇଁ କେବଳ ଚୀନ ନୁହେଁ ବରଂ ପାକିସ୍ତାନ ମଧ୍ୟ ସବୁବେଳେ ବିପଦ ହୋଇ ରହିଛି । ଶେଷରେ ୧୯୭୪ରେ ଅପରେସନ ସ୍ମାଇଲିଂ ବୁଦ୍ଧାରେ ଭାରତ ସଫଳ ପରମାଣୁ ପରୀକ୍ଷଣ କରି ଦୁନିଆର ସପ୍ତମ ନ୍ୟୁକ୍ଲିୟର ନେସନ୍ ହେଲା । ଏହାପରେ ୧୯୭୭ରେ ଦକ୍ଷିଣ ଆଫ୍ରିକା ପରମାଣୁ ପରୀକ୍ଷଣ କରିଥିଲା । କିନ୍ତୁ ଏହି ଦେଶ ଅନ୍ୟମାନଙ୍କ ଉଦାହରଣ ପାଲଟିଗଲା । ସେ ନିଜର ହିଁ ପରମାଣୁ ହତିଆରକୁ ନଷ୍ଟ କରି ଦେଇଥିଲା ଓ ନ୍ୟୁକ୍ଲିୟର ୱେପନ୍ ଦୌଡ଼ରୁ ନିଜକୁ ଅଲଗା କରିଦେଲା ।

ଭାରତର ପରମାଣୁ ପରୀକ୍ଷଣ ପରେ, ପାକିସ୍ତାନ ମଧ୍ୟ ତାର ପ୍ରୟାସକୁ ତୀବ୍ର କରିଥିଲା । କିନ୍ତୁ ସଫଳତା ପାଇବାକୁ ତାକୁ ୨୪ ବର୍ଷ ଲାଗିଗଲା । ୧୯୯୮ ମସିହାରେ ପାକିସ୍ତାନ ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା ଏବଂ ବିଶ୍ୱର ନବମ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ଭାବରେ ନିଜକୁ ଏହି ସୂଚୀରେ ସାମିଲ କରିଥିଲା । ଏହି ତାଲିକାରେ ସାମିଲ ହୋଇଥିବା ଶେଷ ଦେଶ ଥିଲା ଉତ୍ତର କୋରିଆ । ଚୀନ୍ ଏବଂ ରୁଷର ସହାୟତାରେ ଉତ୍ତର କୋରିଆ ୨୦୦୬ ମସିହାରେ ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା । ଯେହେତୁ ଦକ୍ଷିଣ ଆଫ୍ରିକା ପରମାଣୁ ଅସ୍ତ୍ରଶସ୍ତ୍ରଠାରୁ ନିଜକୁ ଦୂରେଇ ରଖିଲା, ତେଣୁ ବର୍ତ୍ତମାନ ବିଶ୍ୱରେ କେବଳ ୯ଟି ଦେଶ ପାଖରେ ପରମାଣୁ ଅସ୍ତ୍ର ଅଛି ।

ଯଦି ଏହି ୯ ଦେଶ ପାଖରେ ଥିବା ପରମାଣୁ ଅସ୍ତ୍ର ସଂଖ୍ୟା ଦେଖିବା, ତେବେ ଏହା ଆଶ୍ଚର୍ଯ୍ୟଜନକ ଅଟେ । ବୁଲେଟିନ୍ ଅଫ୍ ଆଟୋମିକ୍ ସାଇନଟିଷ୍ଟର ରିପୋର୍ଟ ଅନୁସାରେ ରୁଷ ପାଖରେ ୫,୫୦୦, ଆମେରିକା ପାଖରେ ୫,୦୪୪, ଚୀନ ପାଖରେ ୫୦୦, ଫ୍ରାନ୍ସ ପାଖରେ ୨୯୦, ବ୍ରିଟେନ୍ ପାଖରେ ୨୨୫, ଭାରତ ପାଖରେ ୧୭୨, ପାକିସ୍ତାନ ପାଖରେ ୧୭୦, ଇସ୍ରାଏଲ୍ ପାଖରେ ୯୦ ଓ ଉତ୍ତର କୋରିଆ ପାଖରେ ୫୦ ନ୍ୟୁକ୍ଲିୟର ବୋମା ରହିଛି । ଅର୍ଥାତ୍ ମୋଟ ଉପରେ ୧୨୦୪୧ ନ୍ୟୁକ୍ଲିୟର ହତିଆର ଏହି ୯ ଦେଶ ପାଖରେ ଅଛି ।

ରିପୋର୍ଟ ଅନୁସାରେ କେବଳ ୫୦୦ ପରମାଣୁ ବୋମା, ଯାହାର ହାରାହାରି ଓଜନ ୩୦ରୁ ୪୦ କିଲୋଟନ୍ ରହିଛି । ଦୁନିଆର ୭ ଶହ କୋଟି ଲୋକଙ୍କୁ ଶେଷ କରିବା ପାଇଁ ଏହା ଯଥେଷ୍ଟ । ପୂରା ପୃଥିବୀ ଅର୍ଥାତ୍ ୧୫ କୋଟି ବର୍ଗ କିଲୋମିଟର ମାଟିକୁ ଧ୍ୱଂସ କହିବା ପାଇଁ ୧ ଲକ୍ଷ ୨୮ ହଜାର ପରମାଣୁ ବୋମା ଦରକାର ପଡ଼ିବ । ଏହାର ଅର୍ଥ ଏହା ଯେ ବର୍ତ୍ତମାନ ଥିବା ନ୍ୟୁକ୍ଲିୟର ହତିଆରରେ ଦୁନିଆର ସବୁ ମଣିଷ ସିନା ମରିଯିବେ କିନ୍ତୁ ପୂରା ଦୁନିଆ ଶେଷ ହେବ ନାହିଁ ।

ଏବେ ଜାଣନ୍ତୁ ଦୁନିଆର ସବୁଠୁ ଶକ୍ତିଶଆଳୀ ପରମାଣୁ ହତିଆର ବିଷୟରେ, ଯାହାକୁ ‘ଡେଡ୍ ହ୍ୟାଣ୍ଡ’, ‘ପେରିମିଟର’ ବା ‘ଡ୍ରୁମ୍ସ ଡେ ଡିଭାଇସ୍’ କୁହାଯାଏ । ଏହା ରୁଷର ଅଟୋମେଟିକ୍ ନ୍ୟୁକ୍ଲୟର୍ ସିଷ୍ଟମ । ଏହା ଅନୁସାରେ କୌଣସି ପରମାଣୁ ଆକ୍ରମଣ ପରେ ଯଦି ରୁଷ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଏ, ତେବେ ଆପେଆପେ ଦୁନିଆର ସବୁ କୋଣରେ ପରମାଣୁ ବୋମା ମାଡ଼ ହୋଇଯିବ । ବାସ୍ତବରେ କହିବାକୁ ଗଲେ ମଣିଷ ଏପରି ଏକ ଅସ୍ତ୍ର ତିଆରି କରିଛି, ଯାହା ମାନବ ସଭ୍ୟତା ଓ ପୃଥିବୀକୁ ନିମିଷକେ ଧ୍ୱଂସ କରିଦେବ । ସବୁ ଦେଶ ଦ.ଆଫ୍ରିକା ପରି ବାଟ ବାଛି ନେଲେ, ଏହି ମହାବିନାଶ ଭୟ ରହିବ ନାହିଁ ।