କିଛି ମାସ ତଳେ ପିଆଜ, ଅଦା, ରସୁଣ ଦର ମହଙ୍ଗା ଥିଲା। ଏବେ ପୂର୍ବ ତୁଳନାରେ ଏସବୁର ଦର କମିଛି। ରସୁଣ କେଜି ୪୦୦ଟଙ୍କାରୁ ଖସି ୧୦୦ଟଙ୍କାରେ ପହଞ୍ଚିଛି। ଅଦା ପୂର୍ବରୁ କେଜି ୨୫୦ଟଙ୍କାରେ ବିକ୍ରି ହେଉଥିଲା। ଏବେ କେଜି ୭୦ଟଙ୍କା। ପିଆଜ ୨୫, ଆଳୁ ୨୦ଟଙ୍କାରେ ବିକ୍ରି ହେଉଛି। ହେଲେ ହାଣ୍ଡିଶାଳରେ ମହଙ୍ଗା ମାଡ଼ର ପ୍ରଭାବ କମିନି।
ଏଇଥିପାଇଁ ଯେ ଇତିମଧ୍ୟରେ ଅଟା, ସୁଜି, ମଇଦା, ଚିନି, ଜିରା, ଫୁଟଣ, ନଡ଼ିଆ ତେଲ ଦାମ୍ ହଠାତ୍ ବଢ଼ିଯାଇଛି। ଖାଉଟିଙ୍କୁ ଏସବୁ ଢେର୍ ବାଧୁଛି। ଦୁଇସପ୍ତାହ ତଳେ ବଜାରରେ ନଡ଼ିଆ ତେଲ ୨୦୦ ଏମ୍ଏଲ୍କୁ ଥିଲା ୭୦ଟଙ୍କା। ଏବେ ତାହା ୯୦ଟଙ୍କାକୁ ବଢ଼ିଛି। ଅର୍ଥାତ୍ ଲିଟର ପିଛା ବୃଦ୍ଧିପାଇଛି ୧୦୦ଟଙ୍କା। ନଡ଼ିଆ ଉତ୍ପାଦନରେ ଓଡ଼ିଶା ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟ। ଏଣୁ ଏଠାରେ ନଡ଼ିଆ ତେଲ ଦର ମହଙ୍ଗା ହେବା ସ୍ବାଭାବିକ ଭାବେ ଲୋକଙ୍କୁ ବାଧୁଛି। ସେହିଭଳି ସୋରିଷ ତେଲ ଦାମ୍ ଲିଟର ୧୫୫ରୁ ବଢ଼ିକି ୧୬୫ଟଙ୍କା ହୋଇଛି। ରିଫାଇନ୍ ଲିଟର ବି ୧୦ଟଙ୍କା ବଢ଼ି ୧୭୦ଟଙ୍କା ହୋଇଛି। ବଜାରରେ ବିଭିନ୍ନ ମସଲା ଦାମ୍ ଉଚ୍ଚା ରହିଛି। ଜିରା ୧୦୦ଗ୍ରାମ୍କୁ ୪୦ଟଙ୍କା ଥିଲା। ସପ୍ତାହେ ହେଲା ଏହା ୫୦ଟଙ୍କାରେ ବିକ୍ରି ହେଉଛି। ନୂଆ ମାଲ୍ରେ ୧୦୦ ଗ୍ରାମ୍ ଦାମ୍ ୭୦ ଟଙ୍କା ହେଲାଣି। ଅର୍ଥାତ୍ ଦୁଇ ଦିନ ପରେ ଖାଉଟି ଜିରା ୧୦୦ ଗ୍ରାମ୍ ଉପରେ ଆହୁରି ୨୦ ଟଙ୍କା ଅଧିକ ଗଣିବେ। ଫୁଟଣ ଦାମ୍ ବି ୧୦୦ଗ୍ରାମ୍ରେ ୧୦ଟଙ୍କା ବଢ଼ିଯାଇଛି।
ଅଟା, ଚିନି, ସୁଜି, ନଡ଼ିଆ ତେଲ ମହଙ୍ଗା, ସପ୍ତାହକରେ ଆଳୁ ବସ୍ତା ପିଛା ବଢ଼ିଲା ୩୦୦ଟଙ୍କା
ଏବେଠୁ ପଦକ୍ଷେପ ନ ନେଲେ ଆଗକୁ ଆଳୁ ମହଙ୍ଗା
ଖୁଚୁରା ବଜାର ଦର ସରକାର ନିୟନ୍ତ୍ରଣ କରନ୍ତୁ: ବ୍ୟବସାୟୀ ମହାସଂଘ
କେନ୍ଦ୍ର ସରକାର କହୁଛନ୍ତି ଦେଶରେ ଗହମ ଯୋଗାଣରେ ନିଅଣ୍ଟାବସ୍ଥା ନାହିଁ। କିନ୍ତୁ ଗହମ ଉତ୍ପାଦିତ ସାମଗ୍ରୀ ଦାମ୍ ହୁହୁ ହୋଇ ବଢ଼ି ଚାଲିଛି। ମାସକ ମଧ୍ୟରେ ଅଟା ୫କେଜି ପ୍ୟାକେଟ୍ ଉପରେ ୧୫ରୁ ୨୦ଟଙ୍କା ବଢ଼ିଗଲାଣି। ସୁଜି କେଜି ୬୦ରୁ ୭୦ଟଙ୍କା, ମଇଦା ୫୦ରୁ ୬୦ଟଙ୍କା ବଢ଼ିଲାଣି। ସାଧାରଣତଃ ମଧ୍ୟବିତ୍ତ ପରିବାର ଲୋକ ଜଳଖିଆରେ ଯେଉଁ ରୁଟି, ଉପମା ଖାଆନ୍ତି ତାହା ଉପରେ ଏବେ ପ୍ରଭାବ ପଡ଼ିଛି। ଗହମ, ବୁଟ ଦାମ୍ ମଧ୍ୟ ବଢ଼ିଥିବାରୁ ଛତୁଆ କିଣି ଖାଇବା ସମସ୍ତଙ୍କ ପକ୍ଷେ ସମ୍ଭବପର ହେଉନି। କେବଳ ଏତିକି ନୁହେଁ, ରାଜ୍ୟ ସରକାର ରାସନ୍ କାର୍ଡ ହିତାଧିକାରୀଙ୍କୁ ଗହମ ଦେଉନାହାନ୍ତି। କେନ୍ଦ୍ରରୁ ଗହମ ଆସୁନଥିବା କଥା କହି କର୍ତ୍ତୃପକ୍ଷ ସମୟ ଟାଳୁଛନ୍ତି। ଯେଉଁ ଡାଇବେଟିସ୍ ରୋଗୀ, ବୟସାଧିକ ଲୋକ ରାତିରେ ରୁଟି ଖାଉଥିଲେ ସେମାେନ ବି ଅଟା, ସୁଜି କିଣି ଖାଇପାରୁନାହାନ୍ତି। ବଜାର ଦର ଏବେ ସମସ୍ତଙ୍କୁ ଦୁଇ ଓଳି ଭାତ ଖାଇବାକୁ ଏକରକମ ବାଧ୍ୟ କରିଦେଇଛି। ଏହାବାଦ୍ ସବୁ ଖାଦ୍ୟ ଓ ପାନୀୟରେ ଚିନି ବ୍ୟବହାର ହେଉଥିବାବେଳେ ଏବେ ଚିନି କ୍ବିଣ୍ଟାଲ୍ ପାଖାପାଖି ୩୦୦ଟଙ୍କା ବଢ଼ିଯାଇଛି। ସପ୍ତାହେ ତଳେ ଚିନି କେଜି ୪୫ଟଙ୍କା ଥିବାବେଳେ ଏବେ ୪୮, ସ୍ଥଳବିଶେଷରେ ୫୦ଟଙ୍କା ହେଲାଣି। ଅପରପକ୍ଷେ ସପ୍ତାହକ ତଳେ ଆଳୁ ବସ୍ତା ୫୦୦ଟଙ୍କା ଥିବାବେଳେ ଏବେ ବସ୍ତା ପିଛା ୩୦୦ଟଙ୍କା ବଢ଼ିଯାଇଛି। ଅର୍ଥାତ୍ ବସ୍ତା ୮୦୦ଟଙ୍କାରେ ମିଳୁଛି।