ଜ୍ୟୋତି ମାଲହୋତ୍ରାଙ୍କ ବାପା କହିଛନ୍ତି, “ମୋ ଝିଅ ବିରୋଧରେ ଲାଗିଥିବା ସବୁ ଅଭିଯୋଗ ମିଛ”


ହରିୟାଣା ହିସାରର ୟୁଟ୍ୟୁବର ଜ୍ୟୋତି ମାଲ୍‌ହୋତ୍ରା ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏହାକୁ ନେଇ ଏବେ ତଦନ୍ତ ଆରମ୍ଭ କରିଛି ପୁଲିସ । ସେ ପାକିସ୍ତାନର ଅନେକ ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ସମ୍ପର୍କରେ ରହିବା ସହ ସେମାନଙ୍କୁ ସମ୍ବେଦନଶୀଳ ତଥ୍ୟ ଦେଉଥିବା ଅଭିଯୋଗ ହୋଇଛି ।

ଏଭଳି ଖୁଲାସା ପରେ ଏବେ ୟୁଟ୍ୟୁବରଙ୍କ ପରିବାର ଚିନ୍ତାରେ ପଡ଼ିଛନ୍ତି । ଜ୍ୟୋତିଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ବାପା ।

ମିଡିଆରେ ପ୍ରତିକ୍ରିୟା ଦେଇ ଜ୍ୟୋତି ମାଲହୋତ୍ରାଙ୍କ ବାପା କହିଛନ୍ତି, “ମୋ ଝିଅ ବିରୋଧରେ ଲାଗିଥିବା ସବୁ ଅଭିଯୋଗ ମିଛ । ଯଦି କୌଣସି ବ୍ୟକ୍ତିବିଶେଷ କୌଣସି ଦେଶକୁ ବୁଲିବାକୁ ଯାଆନ୍ତି, ତାହାର ଅର୍ଥ ଏହା ନୁହେଁ ଯେ, ସେ ସମ୍ପୃକ୍ତ ଦେଶ ପାଇଁ ଗୁଇନ୍ଦାଗିରି କରୁଛି । ଜ୍ୟୋତି ପାସ୍‌ପୋର୍ଟ ଭିସା ଆବେଦନ କରିବା ସହ ଅନୁମତି ନେଇ ପାକିସ୍ତାନ ବୁଲିବାକୁ ଯାଇଥିଲେ । ବେଆଇନ ଭାବରେ ସେ ପାକିସ୍ତାନ ଯାଇନଥିଲେ ।”

ଜ୍ୟୋତିଙ୍କ ବାପା ଆହୁରି କହିଛନ୍ତି ଯେ, ଜ୍ୟୋତିଙ୍କୁ ଭିସା ଦେବା ପୂର୍ବରୁ ଭିସା ଅଧିକାରୀ ଘରକୁ ଆସି ପଚରାଉଚରା କରିଥିଲେ । ତାଙ୍କ ସବୁକିଛି ଠିକ୍‌ ଲାଗିବା ପରେ ହିଁ ସେ ପାକିସ୍ତାନ ଯିବାକୁ ଜ୍ୟୋତିଙ୍କୁ ଅନୁମତି ଦେଇଥିଲେ । ସବୁକିଛି ଆଇନଗତ ପ୍ରକ୍ରିୟା ହୋଇଥିଲା । ଏଥିପାଇଁ ଦୁଇଜଣ ସାକ୍ଷୀ ମଧ୍ୟ ରହିଥିଲେ । ଦୁଇ ବର୍ଷ ତଳେ ଜ୍ୟୋତି ପାକିସ୍ତାନ ଯାଇଥିଲେ । ତାକୁ ଗିରଫ କରାଯିବା ଖବର ପରେ ମୁଁ ପୁଲିସ ଥାନା ଯାଇ ତାଙ୍କୁ ଭେଟି ଆସିଥିଲି । ସେ କହିଥିଲା ମୁଁ ଦିନେ ଦୁଇଦିନରେ ଘରକୁ ଫେରି ଆସିବି ।

ୟୁଟ୍ୟୁବର ଜ୍ୟୋତିଙ୍କ ବିରୁଦ୍ଧରେ ଅନେକ ପ୍ରମାଣ ମିଳିଛି । ପାକିସ୍ତାନର କେତେକ ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହ ସମ୍ପର୍କରେ ରହିଥିଲେ । ସେମାନଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ଦେଉଥିବା ନେଇ ସୂଚନା ରହିଛି । ଏହାକୁ ନେଇ ଜ୍ୟୋତିଙ୍କ ବାପା କହିଛନ୍ତି, “ମୁଁ ଏସବୁ ବିଷୟରେ କିଛି ଜାଣିନି । ପାକିସ୍ତାନ ବିଷୟରେ ଜ୍ୟୋତି କେବେ ବି ଆଲୋଚନା କରି ନାହାନ୍ତି । ସେଠାରେ କେହି ବନ୍ଧୁ ଥିବା କଥା ବି ଜଣାଇ ନାହିଁ ଜ୍ୟୋତି । ତାଙ୍କ ବ୍ୟାଙ୍କ ଖାତାରେ ଅଧିକ ଟଙ୍କା ନାହିଁ । ୟୁଟ୍ୟୁବ୍‌ରୁ ତାଙ୍କୁ ପ୍ରତି ମାସରେ ୨୦ରୁ ୨୫ ହଜାର ଟଙ୍କା ହିଁ ମିଳୁଥିଲା ।”