Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭେଷଜବିତ୍‌‍ ପ୍ରଫେସର ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ସାହୁଙ୍କ ପରଲୋକ:ଏମକେସିଜି ମେଡିକାଲ କଲେଜକୁ ଦାନ କରାଗଲା ମର ଶରୀର

ବ୍ରହ୍ମପୁର: ବରିଷ୍ଠ ଭେଷଜବିତ୍‌‍ ତଥା ସମାଜସେବୀ, ତ୍ୟାଗୀ ପ୍ରଫେସର ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ସାହୁଙ୍କ ବୁଧବାର ପ୍ରତୁ୍ୟଷରେ ଗଜପତି ନଗର ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ 95 ବର୍ଷ ବୟସ ହୋଇଥିଲା। ମୃତୁ୍ୟ ଶଯ୍ୟା ନିକଟରେ ଧର୍ମପତ୍ନୀ ପୁଷ୍ପାଞ୍ଜଳି ସାହୁ, ଦୁଇ ପୁଅ, ଝିଅଙ୍କ ସମେତ ଆତ୍ମୀୟ ସ୍ଵଜନ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବର ପାଇ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଥିଲେ । ପିଲାବେଳୁ ଡ଼ାକ୍ତର ହେବାର ତାଙ୍କର ଇଚ୍ଛା ଥିଲା । ପାଠପଢ଼ାରେ ସେତେଟା ସୁବିଧା ନଥିଲେ ମଧ୍ୟ ଡ଼ାକ୍ତରୀ ଶିକ୍ଷା ଗ୍ରହଣ କରିଥିଲେ । ଡ଼ାକ୍ତର ହୋଇ ମାନବ ସେବା କରି ଆସୁଥିଲେ । 95 ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ରୋଗୀସେବା ଜାରି ରଖିଥିଲେ। ସେ ଅନୁଗୁଳ ଜିଲାର ତଳମୁଳ ଗ୍ରାମରେ ଅନୁଗୁଳରେ 1931 ଜାନୁଆରୀ 2 ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ବ୍ରହ୍ମପୁରକୁ କର୍ମଭୂମି ଭାବେ ଗ୍ରହଣ କରିଥିଲେ । ସେ ରାଜ୍ୟ ତଥା କେନ୍ଦ୍ରର ବିଭିନ୍ନ ପଦ ପଦବୀରେ ରହିଥିଲେ ମଧ୍ୟ ରୋଗୀସେବାକୁ ପ୍ରାଧାନ୍ୟତା ଦେଉଥିଲେ। ପ୍ରଫେସର ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଏକାଧାରରେ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭେଷଜ ଚିକିତ୍ସାବିତ୍‌‍, ମେଧାବୀ ଛାତ୍ର, ଗୁରୁଣାଂ ଗୁରୁ, ନିରଳସ ସମାଜସେବୀ, ଆଧ୍ୟାମିକବାଦୀ, ଗବେଷକ, ଆଦର୍ଶ ଶିକ୍ଷକ, ତ୍ୟାଗୀ ପୁରୁଷ ଓ ସର୍ବୋପରି ଜଣେ ଆଦର୍ଶ ବ୍ୟକ୍ତିବିଶେଷ ଭାବେ ପରିଚିତ ଥିଲେ ।
ସେଠାରୁ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ପରେ କଟକ ରେଭେନ୍ସା କଲେଜରେ ଅଧ୍ୟୟନ ଓ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଚିକିତ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରି ବାରିପଦାରେ ପ୍ରଥମ ଚାକିରି ଜୀବନ ଆରମ୍ଭ କରିଥିଲେ । ତପରେ ଉଚ୍ଚତର ସ୍ନାତକୋତ୍ତର ଶିକ୍ଷାପାଇଁ ବିଦେଶ ଯାତ୍ରାକରି ୟୁନାଇଟେଡ଼୍‌‍ କିଙ୍ଗ୍‌‍ଡ଼ମ୍‌‍ର ଏଡ଼ିନ୍‌‍ ବର୍ଗ, ଗ୍ଳାସଗୋ ବିଶ୍ଵବିଦ୍ୟାଳୟରୁ ଏମ୍‌‍.ଆର.ସି.ପି ଏବଂ ଏମ୍‌‍.ଆର.ସି.ପି, ଏଫଆରସିପି ଓ ଏଫଆଇସିପି (ଇଂଲଣ୍ଡ) ଉପାଧି ଲାଭ କରିଥିଲେ । ଓଡ଼ିଶାର ବୁର୍ଲା ମେଡ଼ିକାଲ୍‌‍ କଲେଜରେ ଅଧ୍ୟାପକ ଭାବେ ଯୋଗଦେଇ ପରେ ବ୍ରହ୍ମପୁର ମେଡ଼ିକାଲ କଲେଜରେ ଅଧ୍ୟାପକ ଓ ପରେ ବିଭାଗୀୟ ମୁଖ୍ୟ ଭାବେ କାମ କରି 1986ରେ ସ୍ଵଇଚ୍ଛାରେ ଅବସର ଗ୍ରହଣ କରି ସାଉଦି ଆରବ ଯାତ୍ରା କଲେ । ସେଠି ଭେଷଜ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟକରି 1990ରେ ପୁଣି ଭାରତ ପ୍ରତ୍ୟାବର୍ତ୍ତନ କଲେ । କାର୍ଯ୍ୟକାଳ ଅବଧିରେ ସେ ରାଜ୍ୟର ତିନିଟି ଭେଷଜ ମହାବିଦ୍ୟାଳୟରେ ଅଧ୍ୟାପନା କରି ଅନେକ ଚିକିତ୍ସକଙ୍କୁ ସୃଷ୍ଟି କରିପାରିଥିଲେ । ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସଂପାନରେ ଯୋଗଦେଇ ଉଚ୍ଚକୋଟୀର ଗବେଷଣା ମୂଳକ ନିବନ୍ଧମାନ ପାଠ କରିଥିଲେ । ତାଙ୍କରି ଅଧ୍ୟାପନା କାଳରେ ଅନେକ ଭେଷଜ ଛାତ୍ର ସୃଷ୍ଟି କରିବା ସହ ଅନେକ ଛାତ୍ରଙ୍କୁ ସ୍ନାତକୋତ୍ତର ଭେଷଜ ଉପାଧି ପ୍ରଦାନ କରିଥିଲେ । ଚିକିତ୍ସା କ୍ଷେତ୍ରରେ ରାଜଯୋଗ ଓ ପ୍ରାଣାୟାମର ପ୍ରଭାବ ଉପରେ ସେ ଗବେଷଣା କରି ବିିଭିନ୍ନ ରୋଗୀଙ୍କୁ ଉପଶମ କରିପାରିଛନ୍ତି। ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ଵବିଦ୍ୟାଳୟ, ସ୍ଵାମୀ ଶିବାନନ୍ଦ, ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ଦର୍ଶନମାର୍ଗର ସେ ଜଣେ ଅନୁଗାମୀ ଥିଲେ। ଉତ୍କଳ ବିଶ୍ଵବିଦ୍ୟାଳୟର ତତ୍‌‍କାଳୀନ କୁଳପତି ପଦ୍ମଭୂଷଣ ପ୍ରାଣକୃଷ୍ଣ ପରିଜାଙ୍କ ଠାରୁ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ପାଇଁ ସେ ୟୁନିଭରସିଟି କ୍ରେଷ୍ଟରେ ପୁରସ୍କୃତ ହୋଇଥିଲେ। ଚାକିରି ଜୀବନରେ ଦୁଇଶତାଧିକ ଭେଷଜ ଛାତ୍ର ସୃଷ୍ଟି କରିବାର ଗୌରବ ଅର୍ଜନ କରିପାରିଥିଲେ। ସେ ଶତାଧିକ ଅନୁଷ୍ଠାନରୁ ସମ୍ମାନିତ ହୋଇଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମଗ୍ରିକ କୃତିପାଇଁ ସେ କୁଳାଧିପତିଙ୍କ ଠାରୁ ସମ୍ମାନସୂଚକ ଡ଼ି.ଏସ୍‌‍ସି ଉପାଧି ଲାଭ କରିଛନ୍ତି । ଶିକ୍ଷକତା ଓ ଗବେଷଣା ପାଇଁ ତତ୍‌‍କାଳୀନ ରାଜ୍ୟପାଳ ଡ଼. ଏସ୍‌‍.ସି ଜମିରଙ୍କ ଦ୍ଵାରା ବିରଳ ବ୍ୟକ୍ତିତ୍ଵ ସମ୍ମାନ, ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ୍‌‍ଙ୍କ ଦ୍ଵାରା ମାଉଣ୍ଟ୍‌‍ ଆବୁରେ ହୃଦରୋଗର ଚିକିତ୍ସା ଓ ପ୍ରତିଷେଧକ ବ୍ୟବସ୍ଥା ପାଇଁ ସର୍ବୋତ୍ତମ ସେବା ଉପାଧି ଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବହୁ ସମ୍ମାନରେ ସମ୍ମାନିତ ପ୍ରଫେସର ଡ଼ା. ସାହୁ ଗରିବ ରୋଗୀଙ୍କ ପ୍ରତି ସହାୟତାର ହାତ ବଢ଼ାଇବା ସହ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପ୍ରତି ଆନ୍ତରିକ ବଦାନ୍ୟତା ଦେଖାଇ ଆସୁଥିଲେ। ଏଥିସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରତ ଯାଦବ, ଆନ୍ଧ୍ର ରାଜ୍ୟପାଳ ବିଶ୍ଵ ଭୂଷଣ ହରିଚନ୍ଦନ, ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ଵାରା ସମ୍ମାନିତ ହୋଇଥିଲେ । ବ୍ରହ୍ମପୁର ପ୍ରକାଶିତ ସାପ୍ତାହିକ ନବୀନର ଉପଦେଷ୍ଟା ରହିଥିଲେ । ଏହାବ୍ୟତୀତ ମାନସିକ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ‘ସଖା’ ଅନୁଷ୍ଠାନର ଉପଦେଷ୍ଟା ପଦବୀ ମଣ୍ଡନ କରିବା ସହ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ରହି ନିଃସହାୟ ଜନତାଙ୍କ ପାଇଁ କାର୍ଯ୍ୟ କରି ଆସୁଥିଲେ। ଅନୁଗୁଳ ହାଇସ୍କୁଲର ଗଙ୍ଗାଧର ଲାଇବ୍ରେରୀର ଉନ୍ନତି ପାଇଁ ସେ ଆର୍ଥିକ ସହଯୋଗ ଯୋଗାଇ ଦେଇଥିଲେ। ବୃତ୍ତିଗତ ଜୀବନରେ ସେ ୟୁନାଇଟେଡ଼୍‌‍ କିଙ୍ଗଡ଼ମ୍‌‍, ଉଜବେକିସ୍ଥାନ, ସାଉଦି ଆରବ, ମାଲେସିଆ, ବ୍ୟାଙ୍କକ୍‌‍ ଓ ଶ୍ରୀଲଙ୍କା ଇତ୍ୟାଦି ବହୁ ବିଦେଶ ଗସ୍ତ କରିଥିଲେ। ଏହି ବଦାନ୍ୟ ଏବଂ ସେବା ପ୍ରଣୋଦିତ ବ୍ୟକ୍ତିତ୍ଵ ମୃତୁ୍ୟପରେ ନିଜର ଚକ୍ଷୁ ଓ ଶରୀର ଦାନ ଏମକେସିଜି ମେଡିକାଲ କଲେଜକୁ ଦାନ କରାଯାଇଛି। ଏବେ କରୋନା ମହାମାରୀର ଭୟବହତାକୁ ସମ୍ମୁଖୀନ ହେବାପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ଏକଲକ୍ଷ ଟଙ୍କା ବ୍ୟକ୍ତିଗତ ଭାବେ ଦାନକରି ସେ ଏକ ଅନନ୍ୟ ପରମ୍ପରା ସୃଷ୍ଟି କରିଥିଲେ । ଦଧୀଚିଙ୍କ ପରି ଶରୀର ଦାନ, ଗୋପବନ୍ଧୁଙ୍କ ପରି ସେବା, ଗୁରୁ ଦ୍ରୋଣଙ୍କ ପରି ଶିକ୍ଷାଦାନ କରିଥିବା ପ୍ରଫେସର ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଜଣେ ଅଦ୍ଵିତୀୟ ଋଷିପ୍ରତିମ ବ୍ୟକ୍ତିତ୍ଵ, ଯାହାଙ୍କର ଯେତେ ପ୍ରଶଂସା କଲେ ବି ଶେଷ ହେବାର ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ