Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ, ଉଦ୍ଧାର ପାଇଁ ଓଡ଼ିଶାରୁ ଗଲା ସ୍ଵତନ୍ତ୍ର ଟିମ୍

ସିକ୍କିମ ଦୁର୍ଘଟଣାରେ ଯାଜପୁର ରୋଡ୍ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ଓ ତାଙ୍କ ପରିବାର ନିଖୋଜ ଅଛନ୍ତି। ପରିବାର ସହ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାରେ ନିଖୋଜ ହୋଇଯାଇଛନ୍ତି। ପାହାଡ଼ ଉପରୁ ଖସିଥିବା ଗାଡ଼ିରୁ ୨ଜଣ ଛିଟିକି ପଡିଥିବା ବେଳେ ଏବେବି ୪ଜଣଙ୍କ ପତ୍ତା ମିଳିପାରି ନାହିଁ।

ସୂଚନା ମୁତାବକ, ବ୍ୟାସନଗର ସହରର ଉମାପଦା ଗାଁରୁ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସହିତ ତାଙ୍କର ଦୁଇ ପୁଅ, ଭାଇ ଅଜିତ ନାୟକ, ଭାଉଜ ସୁନିତା ନାୟକ ଏବଂ ପୁତୁରା ସିକ୍କିମ ବୁଲିବାକୁ ଯାଇଥିଲେ।

ଗୁରୁବାର ରାତିରେ ଗ୍ୟାଙ୍ଗଟକ୍କୁ ଫେରିବା ବେଳେ ଏହି ପରିବାର ଦୁର୍ଘଟଣାର ଶିକାର ହୋଇଥିଲେ। ସେମାନେ ଯାତ୍ରା କରୁଥିବା ଗାଡିଟି ପାହାଡ଼ ଉପରୁ ଖସିପଡ଼ିଥିଲା। ଗାଡି ଭିତରୁ ଇତିଶ୍ରୀଙ୍କ ସାନପୁଅ ଏବଂ ଅଜିତଙ୍କ ପୁଅ ଛିଟିକି ପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଆଉ ୪ଜଣଙ୍କୁ ଏବେ ସୁଦ୍ଧା ଠାବ କରାଯାଇପାରିନି। ପାହାଡ଼ ତଳେ ଏକ ନଦୀ ଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖା ଦେଇଛି। ଉଦ୍ଧାର ହୋଇଥିବା ଦୁଇଜଣ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ଆଉ ଏକ ଗାଡ଼ିରେ ଥିବା ଇତିଶ୍ରୀଙ୍କ ସମ୍ପର୍କୀୟ ଦୁର୍ଘଟଣା ସ୍ଥାନରେ ଉପସ୍ଥିତ ଥିବା ଜଣାପଡିଛି।

ସିକ୍କିମ ତିସ୍ତା ନଦୀରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ବସ୍ରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ସିକ୍କିମ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାର ଦୁର୍ଘଟଣାଗସ୍ତ ଯାତ୍ରୀମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଏହାର ସୁପରିଚାଳନା ପାଇଁ ଓଡ଼ିଶାରୁ ଅଧିକାରୀମାନଙ୍କ ଏକ ସ୍ବତନ୍ତ୍ର ଟିମ୍ ସିକ୍କିମ ଯାଉଛି।

ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଗାଡି ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗ-ମୁନସିଥାଙ୍ଗ ମଧ୍ୟରେ ପ୍ରାୟ ୧ ହଜାର ଫୁଟ ତଳକୁ ତିସ୍ତା ନଦୀରେ ଖସିପଡିଥିଲା। ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ଓ ଇଣ୍ଡୋ-ତିବତ ସୀମା ସୁରକ୍ଷା ବଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଉଦ୍ଧାର କାର୍ଯ୍ୟରେ ଯବାନଙ୍କୁ ସ୍ଥାନୀୟ ବାସିନ୍ଦା ସହଯୋଗ କରିଥିଲେ। ଗୁରୁତରମାନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗାଡିରେ ଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଅନେକ ଯାତ୍ରୀ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଅନ୍ୟ ସ୍ଥାନର ଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେବି ୮ ଜଣ ନିଖୋଜ ଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ